ଓଡିଶା

odisha

ପ୍ରତୀକ୍ଷାର ଘଟିଲା ଅନ୍ତ; ରଥଟଣା ଆରମ୍ଭ, ଗଡ଼ିଲା ତାଳଧ୍ବଜ, ପଛେ ପଛେ ଦେବୀ ଶୁଭଦ୍ରା - Chariot Pulling begins

By ETV Bharat Odisha Team

Published : Jul 7, 2024, 6:20 PM IST

Chariot Pulling begins in Puri: ପ୍ରତୀକ୍ଷାର ଘଟିଲା ଅନ୍ତ । ଶରଧାବାଲି ଅଭିମୁଖେ ଗଡ଼ିଲା ବଡ଼ ଠାକୁର ବଳଭଦ୍ରଙ୍କ ରଥ । ଅଧିକ ପଢନ୍ତୁ

Chariot Pulling begins in Puri
Chariot Pulling begins in Puri (ETV Bharat Odisha)

ପୁରୀ:ବହୁ ପ୍ରତିକ୍ଷିତ ମୁହୂର୍ତ୍ତର ଘଟିଲା ଅନ୍ତ । ଘର୍‌ ଘର୍‌ ହୋଇ ଗଡ଼ିଲା ରଥ । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଛେରା ପହଁରା ନୀତି ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଛି । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଗଡ଼ିଛି । ଆନନ୍ଦ ଉଲ୍ଲାସିତ ହୋଇ ରଥ ଟାଣି ନେଉଛନ୍ତି ଅଗଣିତ ଭକ୍ତ । ବଡ଼ ଠାକୁରଙ୍କ ରଥ ଗଡ଼ିବା ସମୟରେ ଘଣ୍ଟଘଣ୍ଟା, ମୃଦଙ୍ଗ ଓ ହୁଳୁହୁଳିରେ ପ୍ରକମ୍ପିତ ହୋଇ ଉଠିଛି ବଡ଼ ଦାଣ୍ଡ ।

Chariot Pulling begins in Puri (ETV Bharat Odisha)

ଛେରା ପହଁରା ନୀତି ଶେଷ ହେବା ପରେ ରଥଟଣା ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଛି । ଗଜପତି ମହାରାଜା ଛେରା ପହଁରା ନୀତି ପାଇଁ ଶ୍ରୀନଅରରୁ ପଟୁଆରରେ ଆସିଥିଲେ । ଗଜପତିଙ୍କ ସେବାରେ ଉଲ୍ଲେଖ ଥିବା ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଓ ମର୍ଯ୍ୟାଦାଜନକ ସେବା ହେଉଛି ତିନିରଥ ଉପରେ ଗଜପତି ମହାରାଜାଙ୍କ ଛେରାପହଁରା ସେବା । ସ୍ବତ୍ବଲିପି ଅନୁସାରେ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ବାହୁଡ଼ାଯାତ୍ରାରେ ଶ୍ରୀଜିଉମାନେ ରଥ ଉପରେ ବିଜେ ହେବା ପରେ ଗଜପତି ମହାରାଜା ଶ୍ରୀନଅରରୁ ପଟୁଆରରେ ଆସି ଛେରାପହଁରା କରନ୍ତି । ତିନି ରଥରେ ଛେରା ପହଁରା ନୀତି ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଥାଏ ।

ଏହା ବି ପଢନ୍ତୁ- 3 ରଥରେ ଛେରା ପହଁରା କଲେ ଗଜପତି ମହାରାଜା

ଛେରା ପହଁରା ସରିବା ପରେ ରଥରୁ ଚାରମାଳ ଫିଟା ଯାଇ ଅଶ୍ବ ବନ୍ଧା ଯାଏ । ତାଳଧ୍ବଜ ରଥରେ 4ଟି ଅଶ୍ବ ରହିଥାଏ । ପ୍ରଥମେ ବଡ଼ ଠାକୁରଙ୍କ ରଥଟଣା ହୁଏ । ଏହାପରେ ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତେଙ୍କ ନନ୍ଦିଘୋଷ ରଥ ଟାଣିଥାନ୍ତି ଭକତେ । ଏହାରି ସହିତ ନବ ଦିନାତ୍ମକ ଯାତ୍ରାରେ ବାହାରିଥାନ୍ତି ତିନି ଠାକୁର । କାଳିଆ ଠାକୁର ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ବଡ଼ ଦେଉଳରେ ଛାଡ଼ି ନିଜ ଜନ୍ମସ୍ଥାନ ଅଭିମୁଖେ ବଡ଼ ଭାଇ ଓ ସାନ ଭଉଣୀ ସହ ବାହାରିଥାନ୍ତି ।

ଚଳିତ ବର୍ଷ ବିରଳ ରଥଯାତ୍ରା ଦେଖୁଛନ୍ତି ଭକ୍ତ । ଗୋଟିଏ ଦିନରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା । ଏହି ଦିବ୍ୟ ମୁହୂର୍ତ୍ତରେ ସାକ୍ଷୀ ରହିବାକୁ ବଡଦାଣ୍ଡରରେ ଭକ୍ତଙ୍କ ଗହଳି । ଭଜନ କୀର୍ତ୍ତନ କାହାଳିରେ କମ୍ପୁଛି ବଡଦାଣ୍ଡ । ବର୍ଷକୁ ଥରେ ଏହି ଦିନକୁ ଅପେକ୍ଷା କରିଥାନ୍ତି ଭକ୍ତ ଓ ଭଗବାନ । ରତ୍ନବେଦୀ ଛାଡି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ହୋଇଛି ଅପୂର୍ବ ମିଳନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details