ମୁଖ୍ୟମନ୍ତ୍ରୀ ଯଦି ବିଚାର କରିବେ ରାଜ୍ୟସଭା ଯିବି: ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବ୍ରହ୍ମପୁର: ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର । ଆସନ୍ତା ଫେବୃଆରୀ ୨୭ ତାରିଖରେ ୧୫ ରାଜ୍ୟରେ ହେବ ରାଜ୍ୟସଭା ନିର୍ବାଚନ । ଓଡିଶାର ତିନୋଟି ରାଜ୍ୟସଭା ଆସନ ପାଇଁ ହେବାକୁ ଯାଉଛି ନିର୍ବାଚନ । ଏନେଇ ପେବୃଆରୀ ୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ହେବାକୁ ରହିଥିବା ବେଳେ ବିଜେଡିର ପ୍ରମୁଖ ନେତା ଏହି ରେସରେ ଅଛନ୍ତି । ଏଭଳି ସମୟରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟ ସଭାକୁ ଯିବା ପାଇଁ ପ୍ରତିଶୃତି ପାଇଥିବା ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ବିଜେଡି ଦଳର ବରିଷ୍ଠ ନେତା ଡାକ୍ତର ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଗଣମାଧ୍ୟମ ସାମନାରେ ନିଜର ଅଭିଳାଶ ରଖିଛନ୍ତି ।
ଚ୍ୟାଉ ପଟ୍ଟନାୟକ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ ଯଦି ବିଚାର କରିବେ ତାହା ହେଲେ ରାଜ୍ୟସଭାକୁ ଯାଇପାରିବି । ସେ କେବେ ବି ମୋତେ ଟିକେଟ ଦିଅନ୍ତୁ ବୋଲି କହିନଥିବା ବେଳେ ମୁଖ୍ୟମନ୍ତ୍ରୀ ମୋତେ ଭଲରେ ରଖିଛନ୍ତି । ବର୍ତ୍ତମାନ ରାଜ୍ୟର ତିନୋଟି ସିଟ ଖାଲି ହେଉଥିବା ଯୋଗୁଁ ଯଦି ମୁଖ୍ୟମନ୍ତ୍ରୀ ଚାହିଁବେ ତେବେ ରାଜ୍ୟସଭାକୁ ଯାଇପାରିବି। ଯେହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ମୋତେ କହିଥିଲେ ଏଣୁ ମୁଁ ତାହା ଆଶା କରିନାହିଁ।’’
ଅଧିକ ପଢନ୍ତୁ- RajyaSabha Race: ଲବି କରିନି, ସୁପ୍ରିମୋଙ୍କ ଉପରେ ଭରସା ଅଛି: ରମେଶ ଚ୍ୟାଉ ପଟ୍ଟନାୟକ
ସେହିପରି ଚ୍ୟାଉ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟସଭା ନପଠାଇଥିଲେ ମଧ୍ୟ ମୋତେ ଦାୟିତ୍ବ ଦେଇଛନ୍ତି। ଯେ କୌଣସି ଦାୟିତ୍ୟ ଦେଲେ ସେ ସୂଚାର ରୂପେ ପରିଚାଳନା କରିବେ । ବିଶେଷତଃ ଦଳର ଗଞ୍ଜାମ ଜିଲ୍ଲା ସଭାପତି ଭାବରେ ରହିଥିବାରୁ ଗଞ୍ଜାମ ଜିଲ୍ଲାରେ ବିଜୁ ଜନତା ଦଳର ସାଙ୍ଗଠନିକ କାର୍ଯ୍ୟ କିପରି ବୃଦ୍ଧି ପାଇବ ସେ ନେଇ ଆପ୍ରାଣ ଉଦ୍ୟମ କରୁଛି ।
ସେହିଭଳି ଚ୍ୟାଉ ପଟ୍ଟନାୟକ କହିଛନ୍ତି ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟସଭା ପଠାଇବେ ବୋଲି । ତା ବଦଳରେ ରାଜ୍ୟର ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଠାରୁ ଆରମ୍ଭ କରି ବର୍ତ୍ତମାନର ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଦାୟିତ୍ବ ପ୍ରଦାନ କରି କ୍ୟାବିନେଟ ପାହ୍ୟା ପ୍ରଦାନ କରିଥିବାରୁ ସବୁବେଳେ ତାଙ୍କର ଆଶୀର୍ବାଦ ମୋ ଉପରେ ରହିଛି । ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ବ ଦେଇଛନ୍ତି ମୁଁ ସେଥିରେ ଖୁସି । ପ୍ରବାଦ ପୁରୁଷଷ ବିଜୁ ବାବୁଙ୍କ ଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ କେବେ ସେ କୌଣସି ବି ପଦବୀ ପାଇଁ ଲବି କରିନାହାଁନ୍ତି । ଏପରିକି ନିର୍ବାଚନ ସମୟରେ କେବେ ବି ଟିକେଟ ପାଇବା ପାଇଁ ଦରଖାସ୍ତ କରିନଥିବା ବେଳେ ତାଙ୍କୁ ଟିକେଟ ପ୍ରଦାନ କରାଯାଉଥିଲା । ଏଣୁ ତାହାକୁ ନୀତିଗତ ଭାବରେ ବଜାୟ ରଖିଥିବା କହିଛନ୍ତି ବ୍ରହ୍ମପୁରରର ଏହି ପୂର୍ବତନ ବିଧାୟକ ।
ଇଟିଭି ଭାରତ, ବ୍ରହ୍ମପୁର