ଖୋର୍ଦ୍ଧା/ନୟାଗଡ଼:ଆଜି ରାମମୟ ହୋଇ ପଡ଼ିଛି ସାରା ବିଶ୍ୱ । କେବଳ ଅଯୋଧ୍ୟା ନୁହଁ ବରଂ ବିଶ୍ୱର କୋଣ ଅନୁକୋଣରେ ସୃଷ୍ଟି ହୋଇଛି ଆଧାତ୍ମିକ ପରିବେଶ। ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ସେହିପରି ନୟାଗଡ଼ ଫତେଗଡ଼ର ଗିରି ଗୋବର୍ଦ୍ଧନ ପାହାଡ ଦ୍ବିତୀୟ ଅଯୋଧ୍ୟାର ଭ୍ରମ ସୃଷ୍ଟି କରିଛି। ଆଜି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଏଠାରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ସହ ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇଛି। ଏଥିପାଇଁ ଶ୍ରୀରାମ ମନ୍ଦିର ଓ ପାର୍ଶ୍ବ ଦେବାଦେବୀ ମନ୍ଦିର ସଜେଇ ହୋଇଛି ।
ପାହାଡ଼ ଶୀର୍ଷରେ ରାମ ମନ୍ଦିର । ଅଯୋଧ୍ୟା ନ ଯାଇପାରିଲେ ବି ଏହି ସ୍ଥାନକୁ ଆସିଲେ ଅଯୋଧ୍ୟାର ଭ୍ରମ ସୃଷ୍ଟି କରିବ। ପ୍ରାକୃତିକ ପରିବେଶରେ ରହିଛି ଏହି ମନ୍ଦିର । ରାମଙ୍କ ଦର୍ଶନ ସହ ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କର ମିଳିବ ଦର୍ଶନ । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ପାହାଡ଼ ଶୀର୍ଷରେ ରହିଛି ଏହି ଅଯୋଧ୍ୟା ରୂପୀ ସ୍ଥାନ । ଫତେଗଡ ଗ୍ରାମବାସୀ ଓ ଶ୍ରୀରାମ ସେବା ପରିଷଦ ନିଜସ୍ବ ପୁଞ୍ଜିରେ ନିର୍ମାଣ କରିଛନ୍ତି ଏହି ଭବ୍ୟ ରାମ ମନ୍ଦିର । ଜିଲ୍ଲାର ବଛା ବଛା କାରିଗର ଏହି ମନ୍ଦିର ନିର୍ମାଣ କରିଛନ୍ତି । ତେବେ ରେଖା, ଭଦ୍ର , ମୋହନ ଢାଞ୍ଚାରେ ତିଆରି ହୋଇଥିବା ଏହି ମନ୍ଦିରର ଉଚ୍ଚତା ପ୍ରାୟ 65 ଫୁଟ । ରେଖା ଉଚ୍ଚତା 65, ଭଦ୍ରର 35 ଓ ମୋହନର ଉଚ୍ଚତା 25 ଫୁଟ ରହିଛି । ମନ୍ଦିରରେ ପୁରୀ, କୋଣାର୍କ ଓ ତାରାତାରିଣୀର କାରୁକାର୍ଯ୍ୟ ମଧ୍ୟ ଦେଖିବାକୁ ମିଳିଛି ।