କଟକ:ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ସୁପରଫାଷ୍ଟ ଏକ୍ସପ୍ରେସକୁ ଗୁଳିମାଡ଼ ଘଟଣା । କାଚ ଭାଙ୍ଗିବା ପଛର କାରଣ ଖୋଜୁଛି ରେଳ ବିଭାଗ । ଟ୍ରେନର ଗାର୍ଡ ମହେନ୍ଦ୍ର ବେହେରାଙ୍କ ଅଭିଯୋଗ କ୍ରମେ ରୁଜୁ ହୋଇଛି ମାମଲା । ବାଲାଷ୍ଟିକ ଏକ୍ସପର୍ଟଙ୍କ ଯାଞ୍ଚ ରିପୋର୍ଟକୁ ଅପେକ୍ଷା ରହିଛି ରେଳ ବିଭାଗ । ଭଦ୍ରକ GRPରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପ୍ରତିକ୍ରିୟା ରଖିଲେ ରେଳବାଇ ଅଧୀକ୍ଷକ ସୁରେଶ କୁମାର ନାୟକ ।
ଖୁବଶୀଘ୍ର ଆସିବ ଯାଞ୍ଚ ରିପୋର୍ଟ:
ଏନେଇ ରେଳବାଇ ଅଧୀକ୍ଷକ ସୁରେଶ କୁମାର ନାୟକ କହିଛନ୍ତି,"ଖୁବଶୀଘ୍ର ଆସିବ ଯାଞ୍ଚ ରିପୋର୍ଟ । ବାଲାଷ୍ଟିକ ଏକ୍ସପର୍ଟଙ୍କ ରିପୋର୍ଟ ପରେ ହିଁ ଚିତ୍ର ସ୍ପଷ୍ଟ ହେବ । ଟ୍ରେନର ଗାର୍ଡଙ୍କ ଅଭିଯୋଗ କ୍ରମେ ଭଦ୍ରକ GRPରେ ରୁଜୁ ହୋଇଛି ମାମଲା ।"ଗତକାଲି (ମଙ୍ଗଳବାର) ଚଳନ୍ତା ଟ୍ରେନ ଉପରକୁ ଦୁର୍ବୃତ୍ତଙ୍କ ଗୁଳି ମାଡ ଘଟଣା ସାମ୍ନାକୁ ଆସିଥିଲା । ଗୁଳିମାଡ଼଼ରେ ଭାଙ୍ଗିଥିଲା ଟ୍ରେନର କାଚ । ଭଦ୍ରକ-ବାଉଦପୁର ମଝିରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳି ମାଡ଼ ହୋଇଥିବା ସୂଚନା ମିଳିଥିଲା । ଟ୍ରେନଟି ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ସମୟରେ ଗୁଳିମାଡ କରିଥିଲେ ଦୁର୍ବୃତ୍ତ ।