ବ୍ରହ୍ମପୁର MKCG ମେଡିକାଲରେ ରାଗି° ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ରାଗିଂ ଅଭିଯୋଗ । ମେଡିକାଲ କ୍ୟାମ୍ପସରେ ଏମବିବିଏସରେ ଅଧ୍ୟୟନରତ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଦୁଇଜଣ ସିନିୟର ଛାତ୍ର ମାଡ ମାରିବା ସହ ରାଗିଂ କରିଥିବା ନେଇ ପୀଡିତଙ୍କ ବାପା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏକ କମିଟି ଏହି ମାମଲାର ତଦନ୍ତ କରିବ ବୋଲି ସୂଚନା ମିଳିଛି ।
ବ୍ରହ୍ମପୁର ଏମକେସିଜି ମେଡିକାଲରେ ଦ୍ୱିତୀୟ ବର୍ଷର ଏମବିବିଏସ ଛାତ୍ରଙ୍କୁ ସିନିୟର ଛାତ୍ରଙ୍କ ରାଗିଂ ଅଭିଯୋଗ । ଏନେଇ ପୀଡିତଙ୍କ ବାପା ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିବା ପରେ ଦିଲ୍ଲୀରୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲ କଲେଜର ଆଭ୍ୟନ୍ତରୀଣ ଆଣ୍ଟି ରାଗିଂ ସେଲ ଏହି ମାମଲାର ତଦନ୍ତ କରିବ ବୋଲି ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି । ଏଥିସହ ଉଭୟ ଅଭିଯୋଗ ଆଣିଥିବା ଛାତ୍ର ଓ ସିନିୟର ଛାତ୍ରଙ୍କୁ ଡାକି ପଚରାଉଚରା କରାଯିବ ବୋଲି କୁହାଯାଇଛି ।
ଅନ୍ୟପଟେ ଛାତ୍ରଙ୍କ ବାପା ତାଙ୍କ ପୁଅକୁ ରାଗିଂ କରାଯିବା ସହ ମାଡ଼ ମରାଯାଇଥିବା ନେଇ ଟୁଇଟ କରିଛନ୍ତି । ଗତ ଶୁକ୍ରବାର ରାତିରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ଏମବିବିଏସ ଛାତ୍ରଙ୍କୁ କ୍ୟାମ୍ପସ ଭିତରେ ଏଭଳି ମାଡ ମରା ଯାଇଥିବା ନେଇ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ଏହାମଧ୍ୟ ପଢନ୍ତୁ..ରାଗିଂକୁ ନେଇ UGCର କଡା ଚେତାବନୀ, କଲେଜର ଅଧ୍ୟକ୍ଷ ହେବେ ଉତ୍ତରଦାୟୀ
ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲାର ସୁନାହାଟ ଅଞ୍ଚଳର ସୂର୍ଯ୍ୟ ରାଉତଙ୍କ ପୁଅ ରୁଦ୍ର ରାଉତ ଏମକେସିଜି ମେଡିକାଲ କଲେଜରେ ଏମବିବିଏସ ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର । ଶୁକ୍ରବାର ରାତିରେ କ୍ୟାମ୍ପସ ଭିତରେ ହେଉଥିବା ବ୍ୟାଣ୍ଡ୍ ପାର୍ଟି ଅଭ୍ୟାସ ସରିବା ପରେ ଦୁଇ ଜଣ ସିନିୟର ଛାତ୍ର ତାଙ୍କୁ ଅନୁରୋଧ କରିବାରୁ ସେ ଉଭୟଙ୍କୁ ନେଇ ପୋଲିସ ଫାଣ୍ଡି ନିକଟରେ ଛାଡିଥିଲେ । ହେଲେ କୌଣସି କାରଣକୁ ନେଇ ସେଠାରେ ଉପସ୍ଥିତ ଥିବା ଏମବିବିଏସ ଚତୁର୍ଥ ବର୍ଷରେ ପଢୁଥିବା ୨ ଜଣ ସିନିୟର ତାଙ୍କୁ ମାଡ ମାରିଥିଲେ । ଆକ୍ରମଣ ପରେ ଏହି ଘଟଣାକୁ ନେଇ ଛାତ୍ର ଜଣଙ୍କ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିବା ବେଳେ ଏନେଇ ଏକ ମାମଲା ରୁଜୁ ହୋଇଥିବା କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେଶ ଚନ୍ଦ୍ର ସେଠୀ ।
ସିନିୟର ଛାତ୍ରଙ୍କ ଦ୍ବାରା ରାଗିଂର ଶିକାର ହେବା ପରେ ଘଟଣା ସମ୍ପର୍କରେ ଟୁଇଟ ଯୋଗେ ଏମକେସିଜି କର୍ତ୍ତୃପକ୍ଷ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ, ଗଞ୍ଜାମ ଜିଲାପାଳ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଛାତ୍ରଙ୍କ ବାପା । ଏପରିକି ଆଣ୍ଟି ରାଗିଂ ସେଲକୁ ମଧ୍ୟ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରେ ଦୁଇରୁ ତିନିଜଣ ଛାତ୍ରଙ୍କୁ ଚିହ୍ନଟ କରାଯାଇଥିବା ନେଇ ସୂଚନା ରହିଛି ।
ଅନ୍ୟପଟେ ଏହି ରାଗିଂ ଘଟଣାକୁ ନେଇ DMETର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଉମାକାନ୍ତ ଶତପଥୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି," 4 ଜଣିଆ କମିଟି ଘଟଣାର ତଦନ୍ତ କରୁଛି । ତଦନ୍ତର ରିପୋର୍ଟ ଅନୁଯାୟୀ ପଦକ୍ଷେପ ନିଆଯିବ । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"
ଇଟିଭି ଭାରତ, ବ୍ରହ୍ମପୁର