କଟକ:ଆଜି ହେଉଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ଘୋଷଯାତ୍ରା। ଭକ୍ତ ଓ ଭଗବାନଙ୍କର ମିଳନର ପର୍ବ । ପବିତ୍ର ଘୋଷଯାତ୍ରା ଅବସରରେ ଚଳଚଞ୍ଚଳ ଜଗନ୍ନାଥ ମନ୍ଦିର । ସେହିକ୍ରମରେ ଆଜି ହଜାର ବର୍ଷର ପୁରାତନ ଐତିହାସିକ କଟକ ନଗରରେ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ବା ଘୋଷଯାତ୍ରା ପାଳନ ହୋଇଛି । ଘଣ୍ଟଘଣ୍ଟା ହୁଳହୁଳିରେ ପ୍ରକମ୍ପିତ ହେଉଛି ଗଗନ ପବନ, ଲୋକାରଣ୍ୟ ହୋଇ ଉଠିଛି କଟକ ସହର। ସହରର ଅନ୍ୟତମ ତିନୋଟି ଶ୍ରୀଜଗନ୍ନାଥ ମନ୍ଦିର ଚାନ୍ଦିନୀ ଚୌକ, ହରିପୁର-ଦୋଳମୁଣ୍ଡାଇ ଓ ରାଣୀହାଟରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅବସରରେ ହଜାର ହଜାର ଭକ୍ତଙ୍କର ସମାବେଶ ହୋଇଥିଲା।
ରଥଯାତ୍ରା ପାଇଁ ସହରର ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ପାଇଁ ରାଣୀହାଟ, ଦୋଳମୁଣ୍ଡାଇ ଏବଂ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର ସଂଲଗ୍ନ ରାସ୍ତାକୁ ଏକତରଫା ଗାଡ଼ି ଚଳାଚଳ ବ୍ୟବସ୍ଥା କରାଯାଇଥିଲା । ରଥଯାତ୍ରା ପାଇଁ କଟକ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସହରର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଭିନ୍ନ ଭିନ୍ନ ସମୟରେ ପ୍ରଭୁଙ୍କର ପହଣ୍ଡି ବିଜେ ଏବଂ ରଥ ଟଣାଯାଇ ଥିଲା । ସେହିଭଳି ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ପରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ଚାନ୍ଦିନୀଚୌକର ୩ଟି ରଥ ବେଲଭ୍ୟୁ ଛକ ସ୍ଥିତ ଅସ୍ଥାୟୀ ଗୁଣ୍ଡିଚା ଘରେ ପହଞ୍ଚି ଯାଇଥିଲା । ସେହିଭଳି ଦୋଳମୁଣ୍ଡାଇ ପତିତପାବନ ଜୀଉ ମନ୍ଦିରରେ ପହଣ୍ଡି ବିଜେ, ଛେରାପହଁରା କରାଯାଇ ଅପରାହ୍ନରେ ରଥ ଟଣା ଯାଇଥିଲା।