ଓଡିଶା

odisha

ETV Bharat / state

ଅଣସରର ଆଜି ତ୍ରୟୋଦଶୀ ତିଥୀ, ଶ୍ରୀଜିଉଙ୍କୁ ଲାଗି ହେବ ଘଣା ଓ ଖଳି ପ୍ରସାଦ - Ratha yatra 2024

Anasara rituals of lord Jagannath: ଚଳଚଞ୍ଚଳ ହେବାରେ ଲାଗିଲାଣି ଶ୍ରୀକ୍ଷେତ୍ର । ରଥଯାତ୍ରାକୁ ଆଉ ତିନିଦିନ । ସୁସ୍ଥ ହୋଇସାରିଲେଣି ଚତୁର୍ଦ୍ଧାମୂର୍ତ୍ତି । ଆଜି ଘଣା ଓ ଖଳି ଭୋଗ ଲାଗି ନୀତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 4, 2024, 10:43 AM IST

ଅଣସରର ଆଜି ତ୍ରୟୋଦଶୀ ତିଥୀ, ଶ୍ରୀଜିଉଙ୍କୁ ଲାଗି ହେବ ଘଣା ଓ ଖଳି ପ୍ରସାଦ
ଅଣସରର ଆଜି ତ୍ରୟୋଦଶୀ ତିଥୀ, ଶ୍ରୀଜିଉଙ୍କୁ ଲାଗି ହେବ ଘଣା ଓ ଖଳି ପ୍ରସାଦ (ETV Bharat Odisha)

ପୁରୀ:ବିଶ୍ବନିୟନ୍ତାଙ୍କ ମାନବୀୟ ଲୀଳାର ମହାପର୍ବ ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ମଝିରେ ଆଉ ମାତ୍ର ତିନି ଦିନ । ଅଣସରରେ ଚତୁର୍ଦ୍ଧାମୂର୍ତ୍ତି ସୁସ୍ଥ ହୋଇସାରି ଥିବା ବେଳେ, ପରମ୍ପରା ଅନୁସାରେ ଏକଥା ଶ୍ରୀନଅରକୁ ମଧ୍ୟ ଅବଗତ କରାଯାଇ ସାରିଛି । ଅଣସର ନୀତି ଶେଷ ହେଉଥିବା ବେଳେ ରଥଯାତ୍ରା ପ୍ରାକ ପର୍ବ ମଧ୍ୟ ଆରମ୍ଭ ହୋଇଛି । ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଅଣସରର ତ୍ରୟୋଦଶୀ ତିଥୀରେ ଶ୍ରୀଜିଉଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ ।

ପତିତ ପାବନଙ୍କ ସ୍ଥାନରେ ପୂଜା ପାଉଛନ୍ତି ଶ୍ରୀ ନାରାୟଣ ପଟିଦିଁଅ (ETV Bharat Odisha)

କଣ ଏହି ନୀତି:-

ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉମାନଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ନୀତି ସମ୍ପନ୍ନ କରାଯିବ । ଶୁଦ୍ଧ ସୁଆରଙ୍କ ଘରଠାରୁ ଘଣ୍ଟ, ଛତା, କାହାଳି ସହ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରିବ । ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସମ୍ପନ୍ନ ହେବ । ଏହାପୂର୍ବରୁ ନୂତନ ବିଗ୍ରହଙ୍କୁ ଗୋପନ ସେବାରେ ରକ୍ତ ବସ୍ତ୍ର ଆବରଣ କରାଯିବ । ଗୋପନିୟତା ରକ୍ଷା କରି ଦଇତା ଓ ପତିମହାପାତ୍ର ସେବକମାନେ ଏକ ସ୍ୱତନ୍ତ୍ର ଶୈଳୀରେ ଶ୍ରୀଜିଉଙ୍କୁ ରକ୍ତବସ୍ତ୍ର ଆବରଣ କରିବେ । ନବଯୌବନ ଦର୍ଶନ ପୂର୍ବରୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ଶେଷ ଦଫାରେ ବିଳମ୍ବିତ ରାତିରେ ଖଳି ଲାଗି କରାଯିବ ।

ଶେଷ ଭାଗରେ ରଥ ନିର୍ମାଣ କାର୍ଯ୍ୟ (ETV Bharat Odisha)

କେଉଁଠି ଓ କି’ଏ ପ୍ରସ୍ତୁତ କରନ୍ତି ଖଳି ଭୋଗ:-

ଏହି ଖଳିକୁ ଶୁଦ୍ଧସୁଆରମାନେ ନିଜ ନିଜ ବାସଭବନରେ ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରିଥାନ୍ତି । ଏହି ଖଳି ବିଜେ‌ ପାଇଁ ଶ୍ରୀମନ୍ଦିରରୁ ଘଣ୍ଟ, ଛତା ସହ ଡକାରା ଯାଇଥାଏ । ବିଜେ କାହାଳି, ବଜୟନ୍ତ୍ରୀ, ଘଣ୍ଟ ଛତା ସହ ଶୋଭାଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପାଇଁ ତିନି ଶୁଦ୍ଧ ସୁଆର ଅଧିବାସିତ ଖଳି ପ୍ରସାଦକୁ ତଥା ଦିବ୍ୟ ପ୍ରଲେପ ଶ୍ରୀମନ୍ଦିରକୁ ବିଜେ କରାଇବେ । ଏହା ପୂର୍ବରୁ ଏହି ଖଳିକୁ ଶୁଦ୍ଧ ସୁଆରଙ୍କ ବାସ ଭବନରେ ଖଳି ହାଣ୍ଡିକୁ ମହିଳାମାନେ ବନ୍ଦାପନା କରିବେ । ବିଜେ କାହାଳି ବାଜିବା ପରେ ବରକନ୍ଦାଜଙ୍କ ସୁରକ୍ଷା ବଳୟ ଭିତରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ଶ୍ରୀମନ୍ଦିରକୁ ବିଜେ କରିବ । ଶୁଦ୍ଧସୁଆର ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ଆଜି ବିଳମ୍ବିତ ରାତିରେ ଏହି ଖଳିକୁ ଶ୍ରୀବିଗ୍ରହଙ୍କୁ ଦଇତାପତି ମାନେ ଲାଗି କରିବେ ।

ଅଣସରର ଆଜି ତ୍ରୟୋଦଶୀ ତିଥୀ, ଶ୍ରୀଜିଉଙ୍କୁ ଲାଗି ହେବ ଘଣା ଓ ଖଳି ପ୍ରସାଦ (ETV Bharat Odisha)

ଶେଷ ହୋଇସାରିଛି ଏହି ‘ରାଜପ୍ରସାଦ ବିଜେ ନୀତି’:-
ଗତକାଲି ଅଣସର ଦ୍ଵାଦଶୀ ତିଥିରେ ଶ୍ରୀଜିଉମାନଙ୍କର ଅନୁଷ୍ଠିତ ହୋଇସାରିଛି ରାଜପ୍ରାସାଦ ବିଜେ ନୀତି । ଶ୍ରୀମନ୍ଦିରରେ ସକାଳଧୂପ ନୀତି ବଢ଼ିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯାଇଥିଲା । ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବା ବେଳେ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ମଧ୍ୟ ମହାପ୍ରଭୁଙ୍କୁ ଲାଗି କରାଯାଇଥିଲା । ମହାପ୍ରଭୁ ଏବେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ପାଇଁ ଦଇତାପତି ଓ ପତି ମହାପାତ୍ର ସେବକ ଶ୍ରୀଜୀଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ର କୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିଥିଲା ।

ସେବାୟତଙ୍କ ସହ ଆଲୋଚନା କରିଥିଲେ ଗଜପତି:-

ଶ୍ରୀନହରକୁ ଗତକାଲି ରାଜପ୍ରସାଦ ବିଜେ ନୀତି ସମ୍ପାଦିତ ହେବା ପରେ ଗଜପତି ଦିବ୍ୟସିଂହ ଦେବ ଦଇତାପତି ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଆଗାମୀ ରଥଯାତ୍ରାରେ କିଭଳି ନୀତିକାନ୍ତି ଶୃଙ୍ଖଳିତ ହେବ, ନୀତି ତ୍ୱରାନ୍ୱିତ ହେବ, ୫୩ ବର୍ଷ ପରେ ହେଉଥିବା ବିରଳ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନା କରିବା, ଭକ୍ତଙ୍କ ଦର୍ଶନ ନେଇ ଦଇତାପତିଙ୍କ ସହ ଗଜପତି ଆଲୋଚନା କରିବା ସହ ପରାମର୍ଶ ଦେଇଛନ୍ତି । ବିଶେଷ କରି ଚଳିତବର୍ଷ ରଥଯାତ୍ରା ଦୁଇ ଦିନ ପଡ଼ୁଥିବାରୁ ଦୁଇଦିନର ନୀତିକୁ କିଭଳି ଗୋଟିଏ ଦିନରେ କରାଯାଇପାରିବ, ଅପରାହ୍ନ ୨ଟା ସୁଦ୍ଧା ପହଣ୍ଡି ଓ ଅପରାହ୍ନ ୫ଟାରେ ରଥ ଟଣା ପାଇଁ ଗଜପତି ସେବାୟତଙ୍କୁ ପରାମର୍ଶ ଦେଇଛନ୍ତି ।

ଏଥର ରଥଯାତ୍ରା ପାଇଁ ଭିନ୍ନ ନୀତି ନିର୍ଘଣ୍ଟ:-
ଚଳିତ ଜୁଲାଇ 7ତାରିଖରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତବର୍ଷ ଗୁଣ୍ଡିଚା ଯାତ୍ରା ଦିନ ନେତ୍ରୋତ୍ସବ, ନବଯୌବନ ଦର୍ଶନ ପଡୁଛି । ଏଣୁ ନୀତି ଅଧିକ ଥିବାରୁ ଚଳିତ ନବଯୌବନ ଦର୍ଶନକୁ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଛି । ଚଳିତ ରଥଯାତ୍ରା ଦୁଇଦିନ ଅନୁଷ୍ଠିତ ହେବ । 7ତାରିଖ ଅପରାହ୍ନ 5ଟାରେ ରଥ ଟଣା ଆରମ୍ଭ ହେବ । ପରଦିନ ଅର୍ଥାତ (8 ତାରିଖ)ରେ ମଧ୍ୟ ଭକ୍ତ ରଥ ଟାଣିବେ । ଦୁଇ ଦିନ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details