ଓଡିଶା

odisha

ETV Bharat / state

ଶଙ୍ଖ କ୍ଷେତ୍ରରୁ ଶଙ୍ଖ ନାଦ; ପୁରୀ ସଂସଦୀୟ କ୍ଷେତ୍ରର ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା - Odisha Assembly Election

BJD meeting at Naveen Niwas: ନିର୍ବାଚନୀ ବିଗୁଲ ପରେ ଆରମ୍ଭ ହେଲା ଟିକଟ କସରତ । ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରର ନେତାଙ୍କ ବୈଠକ ଶେଷ ହୋଇଛି । ଅଧିକ ପଢନ୍ତୁ

BJD meeting
BJD meeting

By ETV Bharat Odisha Team

Published : Mar 18, 2024, 1:10 PM IST

Updated : Mar 18, 2024, 5:04 PM IST

BJD meeting

ଭୁବନେଶ୍ବର:ଶଙ୍ଖ କ୍ଷେତ୍ରରୁ ଆରମ୍ଭ ହୋଇଛି ଶଙ୍ଖ ନାଦ । ମେଣ୍ଟ ଚର୍ଚ୍ଚା ଭିତରେ ବିଜୁ ଜନତା ଦଳରେ ଆରମ୍ଭ ହୋଇଛି ଟିକେଟ କସରତ । କାହାକୁ ଟିକେଟ ମିଳିବ ଏବଂ କିଏ ବାଦ ପଡିବ ସେନେଇ ଆରମ୍ଭ ହୋଇଛି ଅଙ୍କକଷା । ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସିଟ ପାଇଁ ବିଜେଡି ସୁପ୍ରିମୋ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିବା ବେଳେ ବୈଠକ ଶେଷ ହୋଇଛି । ନୟାଗଡ ବିଧାୟକ ଅରୁଣ ସାହୁ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟ ରୁଦ୍ର ମହାରଥୀ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସମେତ ସଞ୍ଜୟ ଦାସ ବର୍ମାଙ୍କୁ ଡକରା ହୋଇଥିବାବେଳେ ସମସ୍ତେ ବୈଠକରେ ଉପସ୍ଥିତ ରହିଥିଲେ ।

ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଲାଗି ରହିଛି । ରାଜ୍ୟ ବିଜେପି ନେତା ମେଣ୍ଟକୁ ଖଣ୍ଡନ କରୁଛନ୍ତି । କିନ୍ତୁ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶାରେ ବିଜେଡି ସହ ମେଣ୍ଟକୁ ନେଇ ସ୍ପଷ୍ଟୀକରଣ ଦେଇନାହିଁ । ସେହିପରି ବିଜେଡି ଶିବିରରେ ମେଣ୍ଟ ନେଇ ଅସମ୍ଭବ ନୀରବତା ଦେଖିବାକୁ ମିଳୁଛି । ଦଳ ପକ୍ଷରୁ ସେମିତି କେହି ବିଧିବଦ୍ଧ ମତ ରଖୁନାହାନ୍ତି । ସେପଟେ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ସହ ଆଦର୍ଶ ଆଚରଣ ବିଧି ଘୋଷଣା କରିଛନ୍ତି । ଦୀର୍ଘ ସମୟ ନିରବତା ପରେ ତତ୍ପର ହୋଇଛି ବିଜୁ ଜନତା ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ ।

ବୈଠକ ପରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ କହିଛନ୍ତି, "ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପୁରୀ ସଂସଦୀୟ କ୍ଷେତ୍ରର ସାଙ୍ଗଠନିକ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ସବୁ ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ବୃଦ୍ଧି କରିବାକୁ ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣଙ୍କ ପାଖକୁ ଯିବା ସହ ଉନ୍ନୟନମୂଳକ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ଏହାସହ ସାଂଗଠନିକ ପ୍ରକ୍ରିୟାକୁ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ସଂସଦୀୟ କ୍ଷେତ୍ରକୁ ନେଇ ବିସ୍ତୃତ ଆଲୋଚନା ହୋଇ ଜନସାଧାରଣଙ୍କ ଅଧିକ ନିକଟତର ହେବାକୁ ରୋଡ଼ମ୍ୟାପ ପ୍ରସ୍ତୁତ ହୋଇଛି ।"

ଖୋର୍ଦ୍ଧା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରବୀନ୍ଦ୍ର କୁମାର ଜେନା କହିଛନ୍ତି, "ପୁରୀ ସଂସଦୀୟ କ୍ଷେତ୍ରକୁ ନେଇ ଆଜିର ବୈଠକରେ ଆଲୋଚନା ହୋଇଛି । ସାଙ୍ଗଠନିକ କାମକୁ କିଭଳି ତ୍ୱରାନ୍ୱିତ କରାଯିବ ସେ ଉପରେ ଆଗାମୀ ଏକ ମାସ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟ ଖସଡ଼ା ଏହି ବୈଠକରେ ପ୍ରସ୍ତୁତ ହୋଇଛି । ବିଜେଡି ସଂଗଠନକୁ କିଭଳି ମଜଭୁତ କରାଯିବ, ସେନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି । ଆମେ ନିର୍ବାଚନକୁ କିପରି ସାମ୍ନା କରିବୁ ସେନେଇ ବୈଠକରେ ଆଲୋଚନା ହୋଇଛି । ପ୍ରାର୍ଥୀ ଘୋଷଣା ନେଇ ମୁଖ୍ୟମନ୍ତ୍ରୀ ଠିକଣା ସମୟରେ ନିଷ୍ପତ୍ତି ନେବେ ।"

ସେହିପରି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କହିଛନ୍ତି, "ଆଜି ପୁରୀ ସଂସଦୀୟ କ୍ଷେତ୍ରକୁ ନେଇ ଆଲୋଚନା ହୋଇଛି । ବିଜେଡି କିପରି ନିର୍ବାଚନ ଲଢ଼ିବ ଓ ସେଠାରେ କେମିତି ଜିତିବ ସେନେଇ ଆଲୋଚନା ହୋଇଛି । ପୁରୀ ଲୋକସଭା କ୍ଷେତ୍ରରେ ଦଳ ସବୁ ସିଟରେ ଲଢ଼ିବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।"

ଏହା ମଧ୍ୟ ପଢନ୍ତୁ: ମେଣ୍ଟ ଚର୍ଚ୍ଚା ମଧ୍ୟରେ ନବୀନ ଡାକିଲେ ବିଜେଡି ଛାମୁଆ ନେତାଙ୍କ ବୈଠକ, ହୋଇପାରେ ବଡ଼ ନିଷ୍ପତ୍ତି

ବର୍ତ୍ତମାନ ମେଣ୍ଟକୁ ନେଇ ଦ୍ଵନ୍ଦ୍ବ ରହିଛି । ଯଦି ମେଣ୍ଟ ହୁଏ, ବିଜେଡି ଖାତାକୁ କେଉଁ ଆସନ ଆସିବ, ସେଠାରେ କିପରି ସମୀକରଣ ତିଆରି ହେବ । କାହାକୁ କେଉଁଠି ଲଢ଼ିବାକୁ ପଡିବ । ସେହିପରି ଯଦି ମେଣ୍ଟ ନହୁଏ, ତେବେ ବିଜେଡିରୁ କିଏ କେଉଁ ଆସନରୁ ଲଢ଼ିବ । ଏ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ପୁରୀ ଲୋକସଭା କ୍ଷେତ୍ରରେ ରହିଛି ପୁରୀ ସଦର, ସତ୍ୟବାଦୀ, ପିପିଲି, ନୟାଗଡ଼, ରଣପୁର, ଚିଲିକା ଓ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ।

2019 ସାଧାରଣ ନିର୍ବାଚନରେ ବିଜେଡି ହାତରୁ ପୁରୀ ସଦର, ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଖସିଯାଇଥିଲା । ଉଭୟ ଆସନ ବିଜେପି ଖାତାକୁ ଯାଇଥିଲା । ପୁରୀ ସଦର ସିଟ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରିରୁ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜୟୀ ହୋଇଥିଲେ । ଉଭୟ ପ୍ରଥମ ଥର ବିଜୟୀ ହୋଇଥିଲେ । କିନ୍ତୁ ସେମାନେ ବିଜେଡିର ହେଭିୱେଟ ତଥା ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି ଓ ସଞ୍ଜୟ ଦାସବର୍ମାଙ୍କୁ ହରାଇଥିଲେ । ସେହିପରି ଅନ୍ୟ ସବୁ ବିଧାନସଭା କ୍ଷେତ୍ରରେ ବିଜେପିର ଭୋଟ ହାର ମଧ୍ୟ ବୃଦ୍ଧି ହୋଇଥିଲା । ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ବିଜେଡିର ପିନାକୀ ମିଶ୍ରଙ୍କ ଠାରୁ ସ୍ଵଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 18, 2024, 5:04 PM IST

ABOUT THE AUTHOR

...view details