ନିମାପଡ଼ା:କଠିନ ପରିଶ୍ରମ ହେଉଛି ସଫଳତାର ପ୍ରକୃତ ଚାବିକାଠି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଗୋପ ଅଞ୍ଚଳର କୈଳାଶ ସାହୁ । ଶିକ୍ଷିତ ହୋଇ ମଧ୍ୟ ଚାକିରି ପଛରେ ନପଡି ମାଛଚାଷକୁ ଆପଣାଇ ସ୍ଵାବଲମ୍ୱୀ ହେବା ସହିତ ଅନ୍ୟକୁ ରୋଜଗାର ଯୋଗାଇ ପାରିଛନ୍ତି କୈଳାଶ । ନିଜର ଘର ପାଖରେ ଥିବା ଗୋଟେ ଛୋଟ ପୋଖରୀରୁ ଦିନେ ଆରମ୍ଭ କରିଥିଲେ ମାଛଚାଷ । ଆଜିର ଦିନରେ ନିଜର ୪୦ରୁ ଊର୍ଦ୍ଧ୍ବ ପୋଖରୀରେ ମାଛ ଜାଆଁଳ ଚାଷ କରି କୈଳାଶ ହୋଇପାରିଛନ୍ତି ପରିଚିତ ଚେହେରା ।
ପୁରୀ ଜିଲ୍ଲା ଗୋପ ବ୍ଲକ ସୁବର୍ଣ୍ଣପୁର ଅଞ୍ଚଳର ବାସିନ୍ଦା ହେଉଛନ୍ତି କୈଳାଶ ଚନ୍ଦ୍ର ସାହୁ ।୨୦୦୦ମସିହାରେ ପ୍ରଥମେ ନିଜର ଏକ ଛୋଟ ପୋଖରୀରୁ ଆରମ୍ଭ କରିଥିଲେ ମାଛଚାଷ । ଆଜି ସେହି ଚାଷ ସଫଳତାର ସହ ୨୪ବର୍ଷ ଅତିକ୍ରମ କରିବା ସହିତ କୈଳାଶଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଏବେ ନିଜର ୨୫ ଏକରରୁ ଊର୍ଦ୍ଧ୍ବ ଜମିରେ ୪୦ରୁ ଊର୍ଦ୍ଧ୍ବ ପୋଖରୀ କରି ସେଥିରେ ଉନ୍ନତ ଧରଣର ବ୍ରିଡ଼ ଦ୍ୱାରା ରୋହି, ଭାକୁର, ଗ୍ରାସକାର୍ପ, ମିରିକାଳୀ ସହିତ ଆନୁବଂଶିକ ପଦ୍ଧତିରେ ବିକଶିତ ହୋଇଥିବା ବିଭିନ୍ନ ମାଛ ଜାଆଁଳ ପ୍ରସ୍ତୁତ କରି ନିଜେ ରୋଜଗାରକ୍ଷମ ହେବା ସହିତ ନିଜ ଅଞ୍ଚଳର ଅନେକ ଯୁବକଙ୍କୁ କରିଛନ୍ତି ରୋଜଗାରକ୍ଷମ । ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି କୈଳାଶ ।