ନିମାପଡ଼ା: ଧରାପଡିଲା ସୈତାନ ବାପା । ନିଜ ଝିଅ ସହ ଦୁଷ୍କର୍ମ କରିବା ଅଭିଯୋଗ ପରେ ଫେରାର୍ ଥିବା ପୁରୀ ଜିଲ୍ଲା ଗୋପ ଅଞ୍ଚଳର ଅଭିଯୁକ୍ତ ମଳୟ ରଞ୍ଜନ ମହାନ୍ତି ଗିରଫ ହୋଇଛି । କୋଣାର୍କ ଥାନା ମାଧିପୁରୁ ଛକରୁ ତାକୁ ଗିରଫ କରାଯାଇଛି । ପରେ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ତାକୁ ନିମାପଡା ଉପକାରାଗାରକୁ ପଠାଯାଇଥିବା ସୂଚନା ମିଳିଛି । ଗତ ୧୯ ତାରିଖରେ ପୀଡ଼ିତା ନାବାଳିକା ଝିଅର ଆତ୍ମହତ୍ୟା ପରଠୁ ଅଭିଯୁକ୍ତ ମଳୟ ରଞ୍ଜନ ଫେରାର୍ ହୋଇଯାଇଥିଲା । ସେ ନିଜ ଝିଅ ସହ ଦୁଷ୍କର୍ମ କରିଥିବାରୁ ବାଧ୍ୟ ହୋଇ ଝିଅଟି ଜୀବନ ହାରିଥିବା ତା'ର ମାଆ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଅଭିଯୁକ୍ତକୁ ଧରିବାକୁ ଖୋଜାଖୋଜି କରୁଥିବା ବେଳେ ଶେଷରେ ତାକୁ ଗିରଫ କରାଯାଇଛି ।
ଗତ ୧୯ ତାରିଖ ଦିନ ପୁରୀ ଜିଲ୍ଲା ଗୋପ ଅଞ୍ଚଳରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ଏଠାରେ ନବମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା । ତେବେ ନିଜ ବାପା ଝିଅଟି ସହ ଦୁଷ୍କର୍ମ କରୁଥିବାରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତର ସ୍ତ୍ରୀ ତଥା ମୃତ ନାବାଳିକାର ମାଆ ଓ ସମ୍ପର୍କୀୟ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ, କିଛି ଦିନ ହେବ ବାପା ମଳୟ ରଞ୍ଜନ ମହାନ୍ତି ନିଜ ବଡ଼ ଝିଅକୁ ଦୁଷ୍କର୍ମ କରୁଥିଲା । ଝିଅ ମାଆ ଘରେ ନଥିବା ବେଳେ ବାପା ମଦ ପିଇ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିଲା । ଏହା ସହିନପାରି ଗତ ୧୯ ତାରିଖରେ ଝିଅ ନିଜ ଜୀବନ ହାରିବା ପରେ ବାପା ଫେରାର୍ ହୋଇଯାଇଥିଲା।