ପୁରୀ: ଶ୍ରୀମନ୍ଦିର ରୋଷଶାଳାରେ ମାଟି କୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ପ୍ରସ୍ତୁତ କରାଯାଉଛି ମହାପ୍ରସାଦ । ଏକଥା ପ୍ରଘଟ ହେବା ପରେ କୋଟି କୋଟି ଜଗନ୍ନାଥପ୍ରେମୀ ଓ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଶ୍ରୀମନ୍ଦିରର ଶହ ଶହ ବର୍ଷର ପରମ୍ପରାକୁ ଭଙ୍ଗ କରାଯାଇ ଲୁହା କଡ଼େଇରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତ ହେବାକୁ ସମସ୍ତେ ସମାଲୋଚନା କରିଛନ୍ତି । ରୋଷଘରେ ବ୍ୟବହୃତ ହେଉଥିବା ଲୁହା କଡ଼େଇକୁ ଜବତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇସାରିଛି ।
ମାଟି କୁଡୁଆ ଅଭାବ ହେତୁ କିଛି ସୂପକାର ସେବକ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରୁଥିବା କହିଛନ୍ତି ସୁଆର-ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର । ମାଟି କୁଡୁଆ ଅଭାବ ଆଗାମୀ ଦିନରେ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟାପକ ବିଭ୍ରାଟ ସୃଷ୍ଟି କରିବାର ଆଶଙ୍କା ରହିଛି । ଏଣୁ ପ୍ରଶାସନ ଏହାର ଶୀଘ୍ର ସମାଧାନ ପାଇଁ ସୁଆର ମହାସୁଆର ନିଯୋଗ ଦାବି କରିଛି ।
Preparation of Puri Jagannath Mahaprasad in iron kadhai Due to Shortage of earthen pots (ETV Bharat Odisha) - ମାଟି କୁଡୁଆ ପରିବର୍ତ୍ତେ ଲୁହା କଡ଼େଇ !
ମାଟି କୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତିକୁ ସମାଲୋଚନା କରିଛି କୁମ୍ଭକାର ନିଯୋଗ । ମାଟି କୁଡୁଆ ନମିଳିବା ଆଳରେ ଶ୍ରୀମନ୍ଦିରରେ ଶହ ଶହ ବର୍ଷର ପରମ୍ପରା ଭଙ୍ଗାଯିବା ଠିକ୍ ନୁହେଁ ବୋଲି କୁମ୍ଭକାର ନିଯୋଗ କହିଛି । ତେବେ ଶ୍ରୀମନ୍ଦିରରେ ମାଟି କୁଡୁଆ ଅଭାବ ପାଇଁ ପ୍ରଶାସନକୁ ଦାୟୀ କରିଛି ଶ୍ରୀମନ୍ଦିର କୁମ୍ଭକାର ନିଯୋଗ । କୁମ୍ଭକାରମାନଙ୍କୁ ପ୍ରଶାସନ ଓ ସରକାର କୌଣସି ସହଯୋଗ, ଆର୍ଥିକ ସହାୟତା ପ୍ରଦାନ କରୁନଥିବାରୁ ଯୁବ କୁମ୍ଭକାରମାନେ ଆଉ କୁଡୁଆ ତିଆରି କରିବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି । କୁମ୍ଭକାରଙ୍କ ଅନେକ ମୌଳିକ ସମସ୍ୟା ଓ ଭିତ୍ତିଭୂମି ଅଭାବ ରହିଛି । ଏହା ଦୂର ହୋଇ ପାରିଲେ ଶ୍ରୀମନ୍ଦିରକୁ କୁଡୁଆ ଯୋଗାଣରେ ଅଭାବ ରହିବ ନାହିଁ ବୋଲି କୁମ୍ଭକାର ନିଯୋଗ କହିଛି ।
Preparation of Puri Jagannath Mahaprasad in iron kadhai Due to Shortage of earthen pots (ETV Bharat Odisha) କାହିକି ସୃଷ୍ଟି ହେଲା କୁଡୁଆ ସଙ୍କଟ :-
ମହାପ୍ରଭୁଙ୍କ ମହାପ୍ରସାଦ ମୁଖ୍ୟତଃ ଦୁଇପ୍ରକାର କୁଡୁଆ, ମଠ କୁଡୁଆ ଓ ଢ଼ଳା କୁଡୁଆରେ ପ୍ରସ୍ତୁତ ହୋଇଥାଏ । ଭାତ କୁଡୁଆ, ଢ଼ଳା କୁଡୁଆ, ନମ୍ବରି, ଚକା ନମ୍ୱରି, ମଠ କୁଡୁଆ, ଢ଼ଳା ମଠ କୁଡୁଆ, ବଡ ମଠ, ଏମାର୍, ଦାସିଆ, ସମାଧି, ବାଇହାଣ୍ଡି ଆଦି ବିଭିନ୍ନ ପ୍ରକାର ମାଟି କୁଡୁଆ ରୋଷରେ ବ୍ୟବହାର ହୋଇ ଭକ୍ତଙ୍କୁ ମହାପ୍ରସାଦ ଦିଆଯାଏ । ତେବେ ଢ଼ଳା କୁଡୁଆର ଘୋର ଅଭାବ ଦେଖାଦେଇଛି । ଶ୍ରୀମନ୍ଦିରକୁ କୁମ୍ଭକାରମାନେ ମାଟି କୁଡୁଆ ଯୋଗାଇ ଥାଆନ୍ତି । ପୁରୀର ଟିକରପଡ଼ା, ଗୋପାଳପୁର, କୁମ୍ଭାରପଡ଼ା ଓ ପୁରୀ ନିକଟବର୍ତ୍ତୀ ବିଭିନ୍ନ ଗ୍ରାମାଞ୍ଚଳରୁ ଏହି ମାଟି କୁଡୁଆ ଶ୍ରୀମନ୍ଦିରକୁ ଆସିଥାଏ । ତେବେ ଏହି ପାରମ୍ପରିକ ମାଟି କୁଡୁଆ ପ୍ରସ୍ତୁତିରେ ଆଉ ବର୍ତ୍ତମାନର ଯୁବପିଢ଼ି ଇଛା ପ୍ରକାଶ କରୁନାହାନ୍ତି । ଏହା ପଛରେ ଗୋଟିଏ ନୁହେଁ ବରଂ ଏକାଧିକ କାରଣ ମଧ୍ୟ ରହିଛି । ଏହା ଏକ କଷ୍ଟସାଧ୍ୟ କାର୍ଯ୍ୟ ଓ ଏହାର ବଜାର ମୂଲ୍ୟ ପରିଶ୍ରମ ଅନୁଯାୟୀ ସେମାନଙ୍କୁ ମିଳୁନାହିଁ । ତେଣୁ ଯୁବ କୁମ୍ଭକାରମାନେ ଆଉ କୁଡୁଆ ତିଆରି ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏଣୁ ଶ୍ରୀମନ୍ଦିରକୁ ଆବଶ୍ୟକତା ଅନୁଯାୟୀ ମାଟି କୁଡୁଆ ଆସିପାରୁନଥିବାରୁ ରୋଷଶାଳାରେ କୁଡୁଆ ସମସ୍ୟା ବଢିବାରେ ଲାଗିଛି ।
Preparation of Puri Jagannath Mahaprasad in iron kadhai Due to Shortage of earthen pots (ETV Bharat Odisha) - ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କଲା କୁମ୍ଭକାର ନିଯୋଗ:-
ଏନେଇ କୁମ୍ଭକାର ନିଯୋଗର ବରିଷ୍ଠ କାର୍ଯ୍ୟକର୍ତ୍ତା ମହେନ୍ଦ୍ର କୁମାର ବିଷୋୟୀ କହିଛନ୍ତି, ‘‘ଏ ସମସ୍ୟା ନିରାକରଣ ପାଇଁ ଆମେ ରାଜ୍ୟ ସରକାରଙ୍କୁ ବାରମ୍ବାର କହି ଆସୁଛୁ । ଆଗକୁ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟାପକ ବିଭ୍ରାଟ ଘଟିବାର ଆଶଙ୍କା ରହିଛି । ଏଣୁ ରାଜ୍ୟ ସରକାର ଶ୍ରୀମନ୍ଦିର ନିକଟରେ କୁଡୁଆ ତିଆରି ପାଇଁ ଏକ କାରଖାନା କରନ୍ତୁ । ଏହା ସମ୍ଭବ ହେଲେ ଅଧିକରୁ ଅଧିକ ମାଟି କୁଡୁଆ ତିଆରି ହୋଇପାରିବ । ଶ୍ରୀମନ୍ଦିରରେ ମାଟି କୁଡୁଆକୁ ନେଇ ସମସ୍ୟା ରହିବନାହିଁ । ତେବେ ଢ଼ଳା କୁଡୁଆ ଘୋର ଅଭାବ ଯୋଗୁଁ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟାପକ ସମସ୍ୟା ବଢ଼ିବାରେ ଲାଗିଛି । ଏହାର ସମାଧାନ ଶୀଘ୍ର ଶ୍ରୀ ମନ୍ଦିର ପ୍ରଶାସନ କରିବା ଦରକାର । ’’
Preparation of Puri Jagannath Mahaprasad in iron kadhai Due to Shortage of earthen pots (ETV Bharat Odisha) ମହେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, ଗତ ଫନି ମହାବାତ୍ୟାରେ କୁମ୍ଭକାରମାନଙ୍କ ଶାଳ ଭାଙ୍ଗିଗଲା । ହେଲେ ଦୁଃଖର ବିଷୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କୌଣସି ଆର୍ଥିକ ସାହାଯ୍ୟ ଦେଲେ ନାହିଁ । ଅଯୋଗ୍ୟ ହିତାଧିକାରୀଙ୍କୁ ଫନି ସହାୟତା ଦିଆଗଲା ହେଲେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ଦିଆଗଲା ନାହିଁ । ମାଟି କୁଡୁଆ ନମିଳିବା ଯୋଗୁ ଅନ୍ୟପାତ୍ରରେ ମହାପ୍ରସାଦ ପ୍ରସ୍ତୁତି ହେବା ଶ୍ରୀ ଜଗନ୍ନାଥ ମନ୍ଦିର ନୀତି ଓ ପରମ୍ପରା ବିରୋଧୀ । କୁମ୍ଭକାରମାନେ ଏହାକୁ କେବେ ଗ୍ରହଣ କରିବେନାହିଁ । କାରଣ କୁମ୍ଭକାରଙ୍କ ମୌଳିକ ସମସ୍ୟା ଯେପର୍ଯ୍ୟନ୍ତ ସମାଧାନ ହୋଇନାହିଁ, ସେପର୍ଯ୍ୟନ୍ତ ଅଧିକ ମାଟି କୁଡୁଆ ତିଆରି ଆମ ପାଇଁ ବେଶ କଷ୍ଟକର ହୋଇପଡୁଛି ।
Preparation of Puri Jagannath Mahaprasad in iron kadhai Due to Shortage of earthen pots (ETV Bharat Odisha) - ଫନିରେ ଭାଟି ଶାଳ ଭାଙ୍ଗିଥିଲା, ପୁନରୁଦ୍ଧାର କରଗଲା ନାହିଁ:-
ମହେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି,‘‘ଗତ ଫନି ବାତ୍ୟାରେ ଆମର ବଡ ଭାଟି, ବଡ ସାଳ ଭାଙ୍ଗିଗଲା । ଏପରି ସ୍ଥିତିରେ ଅଧିକ ଉତ୍ପାଦନ କିଭଳି କରିବୁ । ଯଦି ସରକାର ଆର୍ଥିକ ସାହାଯ୍ୟ ପ୍ରଦାନ କରିବେ ନାହିଁ କିଭଳି ଆମେ କାର୍ଯ୍ୟ କରିବୁ । ଆମେ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରୁଛୁ କୁମ୍ଭକାରମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି କିଭଳି ସ୍ୱଚ୍ଛଳ ହୋଇପାରିବ ସେ ଦିଗରେ ପଦକ୍ଷେପ ନିଆଯାଉ । କୁମ୍ଭକାର ନିଯୋଗକୁ 20 ଏକର ଜମି ଦିଆଯାଉ । ଯାହା ଫଳରେ ଆମେ ମାଟି ସଂଗ୍ରହ କରିପାରିବୁ । କାଠ ଯୋଗାଇ ଦିଆଯାଉ । ଭିତ୍ତିଭୂମି ଅଭାବ ଯୋଗୁ ଆମେ ଅଧିକ ମାଟି କୁଡୁଆ ଉତ୍ପାଦନ କରିପାରୁନାହୁଁ । ବଡ ଗୋଦାମ ଗୃହ ନଥିବାରୁ ଅଧିକ କୁଡୁଅ ରଖିବାକୁ ସ୍ଥାନ ନାହିଁ । ଏଣୁ ଏହି ସବୁ ମୌଳିକ ସମସ୍ୟା, ଭିତ୍ତିଭୂମି ସୁବିଧା ଯୋଗାଇ ଦିଆଗଲେ ଆମେ ଅଧିକ କୁଡୁଆ ତିଆରି କରି ଶ୍ରୀମନ୍ଦିରକୁ ଯୋଗାଇ ପାରିବୁ ।’’
Preparation of Puri Jagannath Mahaprasad in iron kadhai Due to Shortage of earthen pots (ETV Bharat Odisha) - ଆବଶ୍ୟକତା ଅନୁଯାୟୀ ହୋଇପାରୁନି ଉତ୍ପାଦନ:-
ମହେନ୍ଦ୍ର କହିଛନ୍ତି, ତିଆରି ହେଉଥିବା କୁଡୁଆ ପାଇଁ ଅନେକ ଖର୍ଚ୍ଚ ହେଉଥିବା ବେଳେ ଉପଯୁକ୍ତ ମୂଲ୍ୟ ଆମେ ପାଉନାହୁଁ । କୁଡୁଆ ତିଆରି ପାଇଁ ମାତ୍ର 12ଟି ବଡ ଭାଟି ରହିଛି । ତେବେ 200 ଭାଟିର ଆବଶ୍ୟକତା ରହିଛି । ଏଣୁ ଆବଶ୍ୟକତା ଅନୁଯାୟୀ କୁଡୁଆ ଉତ୍ପାଦନ ହୋଇ ନ ପାରିବାରୁ କୁଡୁଆ ସଙ୍କଟ ଦେଖାଦେଇଛି । ଯଦି ସରକାର ଓ ପ୍ରଶାସନ କୁମ୍ଭକାରଙ୍କ ମୌଳିକ ସମସ୍ୟା ସମାଧାନ କରିବା ସହ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦେବେ କୁଡୁଆ ଉତ୍ପାଦନରେ ଅଭାବ ରହିବ ନାହିଁ ।
ମହାପ୍ରଭୁଙ୍କ ପରମ୍ପରା ଅକ୍ଷୁର୍ଣ୍ଣ ରଖିବାକୁ କି ପଦକ୍ଷେପ ନେବ ପ୍ରଶାସନ ?:-
ସମସ୍ୟା ସମ୍ପର୍କରେ ଅବଗତ ଥିବା ଓ ସମାଧାନ ପାଇଁ କାମ ଜାରି ରହିଥିବା ପୁରୀ ଜିଲ୍ଲା ପ୍ରଶାସନ କହିଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟାରେ କହିଛନ୍ତି,‘‘ ଶ୍ରୀମନ୍ଦିରରେ କୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତି ଆଦୌ ଗ୍ରହଣୀୟ ନୁହେଁ । ମହାପ୍ରଭୁଙ୍କ ପରମ୍ପରାକୁ କ୍ଷୂର୍ଣ୍ଣ କରିବାକୁ ଦିଆଯିବ ନାହିଁ । ତେବେ କୁଡୁଆ ଅଭାବ ସମ୍ପର୍କରେ ସୁଆର ଓ ମହାସୁଆର ନିଯୋଗ ସହ ଅଲୋଚୋନା କରାଯିବ । କୁମ୍ଭକାର ନିଯୋଗ ସହ ମଧ୍ୟ ଆଲୋଚୋନା କରାଯାଇ କୁଡୁଆ ଅଭାବର ମୁଖ୍ୟ କାରଣ ଓ ଏହା କିଭଳି ସମାଧାନ ହୋଇ ପାରିବ ସେନେଇ ପଦକ୍ଷପ ନିଆଯିବ ।’’
ଇଟିଭି ଭାରତ, ପୁରୀ