ନିମାପଡ଼ା(ପୁରୀ):ରାଷ୍ଟ୍ରପତି ଭବନରୁ ଆସିଛି ଡକରା । ପୁରୀରୁ ଦିଲ୍ଲୀ ଯିବେ ମାଛ ଚାଷୀ । ସାଧାରଣତନ୍ତ୍ର ଦିବସରେ ସଫଳ ଚାଷୀ ଭାବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ସମ୍ମାନିତ କରିବେ । ଜଣେ ସଫଳ ଯୁବ ମାଛଚାଷୀ ଭାବରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା ବେଳେ ଜାନୁଆରୀ 26ରେ ରାଷ୍ଟ୍ରପତି ଭବନରେ ଅତିଥି ହେବେ । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ଜିଲ୍ଲାର ଏକମାତ୍ର ସଫଳ ଚାଷୀ ଭାବେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସ୍ୱତନ୍ତ୍ର ଭାବେ ତାଙ୍କୁ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରାଯାଇଛି । ତେବେ କିଏ ସେ ସଫଳ ଯୁବ ମାଛ ଚାଷୀ ?
ପୁରୀରୁ ରାଷ୍ଟ୍ରପତି ଭବନ ଯିବେ ସଫଳ ଚାଷୀ:
ପୁରୀ ଜିଲ୍ଲା ଗୋପ ବ୍ଲକ ଗଣେଶ୍ୱରପୁର ପଞ୍ଚାୟତ ସୁବର୍ଣ୍ଣପୁର ଅଞ୍ଚଳ ବାସିନ୍ଦା ଜ୍ଞାନ ସ୍ୱରୂପ ସାହୁ । ୨୦୦୦ ମସିହାରୁ ବାପା କୈଳାଶ ଚନ୍ଦ୍ର ସାହୁ ପ୍ରଥମେ ନିଜର ଏକ ଛୋଟ ପୋଖରୀରୁ ମାଛଚାଷ ଆରମ୍ଭ କରିଥିଲେ । ପାଠପଢା ଶେଷ ପରେ ପରେ ବାପାଙ୍କ ସହ ଯୋଡି ହେଲେ ପୁଅ ଜ୍ଞାନ ସ୍ୱରୂପ ସାହୁ । କଠିନ ପରିଶ୍ରମ କରି ସଫଳତାର ସହ ସ୍ଥାନୀୟ ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି ଜ୍ଞାନ ସ୍ୱରୂପ । ୨୫ ଏକରରୁ ଊର୍ଦ୍ଧ୍ବ ଜମିରେ ୪୦ରୁ ଊର୍ଦ୍ଧ୍ବ ପୋଖରୀ କରି ସେଥିରେ ଉନ୍ନତ ଧରଣର ମାଛ ଚାଷ କରି ସଫଳ ଯୁବ ମାଛ ଚାଷୀ ଭାବେ ସଫଳତା ଅର୍ଜନ କରିଛନ୍ତି । ଏଥିପାଇଁ ସଫଳ ଯୁବ ମାଛଚାଷୀ ଜ୍ଞାନ ସ୍ୱରୂପ ସାହୁଙ୍କ ନିକଟକୁ ଆସିଛି ରାଷ୍ଟ୍ରପତି ଭବନରୁ ଚିଠି । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ଜିଲ୍ଲାର ଏକମାତ୍ର ସଫଳ ଚାଷୀ ଭାବେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଜ୍ଞାନ ସ୍ୱରୂପ ସାହୁଙ୍କୁ ସ୍ୱତନ୍ତ୍ର ଭାବେ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି । ସମ୍ମାନିତ କରାଯିବା ପାଇଁ ଚିଠି ମିଳିବା ପରେ ଜ୍ଞାନ ଓ ତାଙ୍କ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ସାଧାରଣତନ୍ତ୍ର ଦିବସରେ ହେବେ ସମ୍ମାନିତ:
ଜାନୁଆରୀ ୩ ତାରିଖ ଦିନ ରାଷ୍ଟ୍ରପତି ଭବନକୁ ଯିବା ପାଇଁ ରାଷ୍ଟ୍ରପତିଙ୍କ ଭବନରୁ ଜ୍ଞାନ ସ୍ୱରୂପଙ୍କ ନିକଟକୁ ଏକ ଫୋନ କଲ ଆସିଥିଲା । ସଫଳ ମାଛ ଚାଷୀ ଜ୍ଞାନସ୍ୱରୂପ ଏହାକୁ ସହଜରେ ବିଶ୍ୱାସ କରିପାରି ନଥିଲେ । ପରେ ନିମାପଡା ଫୋଷ୍ଟ ଅଫିସରୁ ପୋଷ୍ଟମାଷ୍ଟର ଏକ ଚିଠି ନେଇ ଜ୍ଞାନ ସ୍ୱରୂପଙ୍କ ଘରକୁ ଆସିଥିଲେ । ଏହା ଥିଲା ରାଷ୍ଟ୍ରପତି ଭବନରୁ ଜ୍ଞାନ ସ୍ୱରୂପଙ୍କ ପାଇଁ ଦିଲ୍ଲୀ ଡାକରା ତଥା ରାଷ୍ଟ୍ରପତି ଭବନକୁ ଯିବାପାଇଁ ନିମନ୍ତ୍ରଣପତ୍ର । ଏହା ଜାଣିବା ପରେ ଜ୍ଞାନ ସ୍ୱରୂପଙ୍କ ପରିବାରରେ ଖୁସୀର ଲହରୀ ଖେଳିଯାଇଥିଲା । କେବଳ ଜ୍ଞାନଙ୍କ ପରିବାର ନୁହେଁ ବରଂ ସମ୍ପୂର୍ଣ୍ଣ ପୁରୀ ଜିଲ୍ଲାର ସମସ୍ତ ଚାଷୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ରାଷ୍ଟ୍ରପତିଙ୍କ ଭବନରୁ ନିମନ୍ତ୍ରଣ ଆସିବା ପରେ ଜ୍ଞାନସ୍ୱରୂପଙ୍କ ବାପା-ମାଆ ଓ ପତ୍ନୀ ଗର୍ବିତ ଥିବାବେଳେ ଜ୍ଞାନ ସ୍ୱରୂପ ନିଜକୁ ଧନ୍ୟମନେ କରିଛନ୍ତି । ଜାନୁଆରୀ ୨୬ ତାରିଖ ତଥା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜ୍ଞାନ ସ୍ୱରୂପ ସାହୁ ସଫଳ ଯୁବ ମାଛଚାଷୀ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରୁ ସମ୍ମାନିତ ହେବେ ।