ପୁରୀ:ଚଳିତ ବର୍ଷ ମାର୍ଚ୍ଚ ମାସ ୮ ତାରିଖରେ ମହାଶିବରାତ୍ରି ବା ଜାଗର ଯାତ୍ରା । ପୁରୀର ପ୍ରସିଦ୍ଧ ଶୈବ ପୀଠ ଲୋକନାଥ ପୀଠରେ ପ୍ରଭୁ ଶ୍ରୀଶ୍ରୀଲୋକନାଥ ଦେବଙ୍କ ଜାଗର ଯାତ୍ରାକୁ ସୁଚାରୁ ରୂପେ ପରିଚାଳନା ପାଇଁ ଏକ ବୈଠକ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ବିଜୟ କୁମାର ଅଧ୍ୟକ୍ଷତା କରି ଜାଗର ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି ।
ଲୋକନାଥ ପୀଠରେ ଜାଗର ଯାତ୍ରାରେ ବିପୁଳ ଜନସମାଗମ ହୋଇଥାଏ । ତେଣୁ ଚଳିତ ଯାତ୍ରାକୁ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ପରିଚାଳନା ସହ ଯେପରି ଶ୍ରଦ୍ଧାଳୁମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ସହ ସେମାନେ ଯେମିତି ଏକ ସୁଖଦ ଅନୁଭୂତି ନେଇ ଘରକୁ ଯିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଉପଜିଲ୍ଲାପାଳ ଗୋପୀନାଥ କୁଅଁର ସମସ୍ତଙ୍କୁ ସ୍ବାଗତ ସହ ମାର୍ଚ୍ଚ ୬ ତାରିଖରେ ହେବାକୁ ଥିବା ପଙ୍କୋଦ୍ଧର ଏକାଦଶୀ ଓ ଜାଗର ଯାତ୍ରାର ନୀତିକାନ୍ତି ଓ ସମୟ ନିର୍ଘଣ୍ଟର ସୂଚନା ଦେବା ସହ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ ।
ନୀତିକାନ୍ତି କାର୍ଯ୍ୟସୂଚୀ:-ଆଇନ ଶୃଙ୍ଖଳା ରକ୍ଷା, ପାର୍କିଂ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ପରିମଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ବ୍ୟାରିକେଡ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର, ଆମ୍ବୁଲାନ୍ସ ବ୍ୟବସ୍ଥା, ସୂଚନା କେନ୍ଦ୍ର ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ଆଲୋଚନା କରାଯାଇ ସଠିକ କାର୍ଯ୍ୟ ପରିଚାଳନା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ପଙ୍କୋଦ୍ଧାର ପାଇଁ ୬ ତାରିଖ ରାତ୍ର ୨ଟାରୁ ପହୁଡ଼ ଦ୍ବାର ଖୋଲା, ରାତ୍ର ୩ଟାରୁ ମଙ୍ଗଳ ଆରତୀ, ଅବକାଶ, ରାତ୍ର ୪ ଟାରୁ ସକାଳ ୬ ଘଟିକା ମଧ୍ୟରେ ସକାଳ ଧୂପ, ସକାଳ ୬ରୁ ୭ ଟା ମଧ୍ୟରେ ମଧ୍ୟାହ୍ନ ଧୂପ, ୭ଟାରୁ ୮ଟା ମଧ୍ୟରେ ଏକାଦଶୀ ଦର୍ଶନ, ୮ଟାରୁ ଦିବା ୧୨ ଘଟିକା ମଧ୍ୟରେ ପଙ୍କୋଦ୍ଧାର କାର୍ଯ୍ୟକ୍ରମ ଓ ମାଘ ସ୍ନାନ, ଦିବା ୧୨ ଘଟିକାରୁ ରାତ୍ର ୯ ଘଟିକା ସର୍ବସାଧାରଣ ଦର୍ଶନ ଓ ରାତ୍ର ୯ ଘଟିକାରୁ ରାତ୍ର ୧୧ଟା ମଧ୍ୟରେ ଧୂପ ଓ ଅନ୍ୟାନ୍ୟ ନୀତି ଏବଂ ବଡସିଂହାର ବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।