ପୁରୀ:ସମୁଦ୍ରରେ ପଇଁତରା ମାରୁଛି ଭାରତୀୟ ନୌସେନାର ଯୁଦ୍ଧ ଜାହାଜ । ଆଗାମୀ ଡିସେମ୍ବର ୪ ତାରିଖରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ଅନୁଷ୍ଠିତ ହେବାକୁ ଥିବା ନୌସେନା ଦିବସରେ ବିଭିନ୍ନ ଯୁଦ୍ଧର ରଣ କୌଶଳ ପ୍ରଦର୍ଶନ କରିବ ଏହି ଯୁଦ୍ଧ ଜାହାଜ । କେବଳ ସେତିକି ନୁହେଁ ଚିତ୍ତାକର୍ଷକ ଏୟାର ସୋ' ମଧ୍ୟ ପ୍ରଦର୍ଶନ କରିବେ ନୌସେନାର ଏୟାରକ୍ରାଫ୍ଟ । ସେହିପରି ଶତ୍ରୁ ପକ୍ଷକୁ କିଭଳି ଯୁଦ୍ଧରେ ମୁକାବିଲା କରାଯାଏ ତା'ର ସମ୍ପୂର୍ଣ୍ଣ ଯୁଦ୍ଧ ରଣ କୌଶଳ ପ୍ରଦର୍ଶନ କରାଯିବ । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ଦେଖିବା ପାଇଁ ପୁରୀ ବାସିନ୍ଦା ଓ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ରହିଛି । ପୁରୀ ସମୁଦ୍ରରେ ୮ଟି ଯୁଦ୍ଧ ଜାହାଜ ଆଜି ପହଞ୍ଚିଥିବା ବେଳେ ପର୍ଯ୍ୟାୟକ୍ରମେ ୨୫ଟି ଯୁଦ୍ଧ ଜାହାଜ, ୪୦ଟି ଏୟାରକ୍ରାଫ୍ଟ, ୮ଟି ଯୁଦ୍ଧ ଟ୍ୟାଙ୍କ, ହେଲିକପ୍ଟର, ପ୍ୟାରାଚୁଟ, ମାର୍କୋଶ କମାଣ୍ଡୋ ଏହି ସ୍ବତନ୍ତ୍ର ନୌସେନା ଦିବସରେ ସାମିଲ୍ ହୋଇ ନୌବାହିନୀ ନିଜର ପରାକ୍ରମ ପ୍ରଦର୍ଶନ କରିବେ । ନୌସେନା ଦିବସ ଆଉ ମାତ୍ର ଅଳ୍ପ ଦିନ ଥିବାରୁ ନୌସେନାର ମର୍କୋସ କମାଣ୍ଡୋ, ହେଲିକପ୍ଟର, ଟ୍ୟାଙ୍କ ପୁରୀ ବ୍ଲୁ ଫ୍ଲାଗ ବିଚରେ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛନ୍ତି ।
ରାଷ୍ଟ୍ରପତିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା:
ନୌସେନା ଦିବସର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜୋରସୋରରେ ଲାଗି ପଡିଛି ପୁରୀ ଜିଲ୍ଲା ପ୍ରଶାସନ । ଭିଭିଆଇପିମାନଙ୍କ ପାଇଁ ବସିବା ବ୍ୟବସ୍ଥା, ରାଷ୍ଟ୍ରପତିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହିତ ସୁରକ୍ଷାକୁ କିଭଳି କଡ଼ାକଡ଼ି କରାଯିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଏସବୁ ପ୍ରସ୍ତୁତିର ବ୍ଲୁ ଫ୍ଲାଗ ବିଚ୍ ଆସି ଆଜି ଅନୁଧ୍ୟାନ କରିଛନ୍ତି ପୂର୍ତ୍ତ ବିଭାଗ ସଚିବ ବୀର ବିକ୍ରମ ଯାଦବ ଓ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ନ୍ୟାଭି-ଡେ ପାଇଁ ୨୦ଟି ପାର୍କିଂ ସ୍ଥଳର ବ୍ୟବସ୍ଥା ହୋଇଥିବା ବେଳେ ଆସନ୍ତା ୧ ତାରିଖରୁ ବିଧିବଦ୍ଧ ଭାବେ ଯୁଦ୍ଧଭ୍ୟାସ କରିବ ଭାରତୀୟ ନୌସେନା । ସେପଟେ ସୁରକ୍ଷା ଦୃଷ୍ଟିକୋଣରୁ ସମୁଦ୍ରରେ ପର୍ଯ୍ୟଟକଙ୍କ ପାଇଁ ସମୁଦ୍ର ସ୍ନାନ ଉପରେ କଟକଣା ଜାରି କରାଯିବ । ଆଜିଠାରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ନୌସେନା ଜାହାଜ ଥିବା ସମୁଦ୍ର ଜଳ ସୀମାରେ ମତ୍ସ୍ୟଜୀବୀମାନଙ୍କ ପାଇଁ ପ୍ରବେଶ ଉପରେ କଟକଣା ଜାରୀ କରାଯାଇଛି । ନୌସେନା ଦିବସ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଆଜି ନୌସେନାର ବରିଷ୍ଠ ଅଧିକାରୀମାନେ ପହଞ୍ଚିବା ପରେ ସମସ୍ତ ପ୍ରସ୍ତୁତି ଆହୁରି ଜୋରଦାର ହେବ ।
ଉତ୍ସାହିତ ପୁରୀବାସୀ:
ପୁରୀ ସହର ବୁଦ୍ଧିଜୀବୀଶ୍ରୀମନ୍ତ ଦାଶ କହିଛନ୍ତି, "ଓଡ଼ିଶାରେ ଏବଂ ପୁରୀ ସମୁଦ୍ର କୂଳରେ ନୌସେନା ଦିବସ ଆଗାମୀ ଡ଼ିସେମ୍ବର ୪ ତାରିଖରେ ପାଳନ ହେବ । ଏହି ଉତ୍ସବକୁ ଦେଖିବାକୁ ଉତ୍ସାହର ସହ ଅପେକ୍ଷାରେ ଅଛୁ । ବିଶେଷ କରି ନୌସେନା ପକ୍ଷରୁ ଯୁଦ୍ଧର ରଣ କୌଶଳ ପ୍ରଦର୍ଶନ କରାଯିବ । ଯାହାକୁ ଦେଖିବାକୁ ଆମେ ଉତ୍କଣ୍ଠାର ସହ ଅପେକ୍ଷାରେ ଅଛୁ । ନୌସେନା ଦିବସ ପୁରୀରେ ଆୟୋଜନ ହେବା ସର୍ବୋକୃଷ୍ଟ ସ୍ଥାନ । କେବଳ ପୁରୀ ବାସିନ୍ଦା ନୁହନ୍ତି ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ ନୌସେନାର ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଦେଖି ପାରିବେ । ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । ଯୁବପିଢ଼ି ନୌସେନା ବିଷୟରେ ଅନେକ କିଛି ଜାଣିପାରିବେ । ଏହାକୁ ଦେଖି ଯୁବ ପିଢ଼ି ଅନୁପ୍ରାଣିତ ହୋଇ ନୌସେନାରେ ଯୋଗ ଦେଇ ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗ କରିପାରିବେ । ତେବେ ନୌସେନା ଦିବସକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ଯେଉଁ କଟକଣା କରିଛି ତାହାକୁ ସମସ୍ତେ ମାନି ନୌସେନା ଦିବସ ଉତ୍ସବ ଦେଖିବା ଉଚିତ୍ । ଏହାଦ୍ବାରା ଏହି କାର୍ଯ୍ୟକ୍ରମ ସଫଳ ହୋଇ ପାରିବ ।