ଜଗତସିଂହପୁର: ପାରାଦ୍ବୀପରେ ଏକ ଘରୋଇ ବସର ତିନି ଜଣ କର୍ମଚାରୀଙ୍କୁ ଜଣେ ଅଜଣା ବ୍ୟକ୍ତି ଚା'ରେ ନିଶା ଦେଇ ବସଟିକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ପୋଲିସ ବସକୁ ଠାବ କରିବାରେ ସଫଳ ହୋଇଥିବାବେଳେ ତିନି ବସ କର୍ମଚାରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପାରାଦ୍ବୀପ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଏଭଳି ଘଟଣା ପରେ ବସଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । କିଏ ଓ କାହିଁକି ଏଭଳି ବସକୁ ଅପହରଣ କରିନେଲା, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ପାରାଦ୍ବୀପ ବସଷ୍ଟାଣ୍ଡ ନିକଟରେ ଏକ ଘରୋଇ ବସ ପାରାଦ୍ବୀପରୁ କଟକ ଯିବାପାଇଁ ଅପେକ୍ଷା କରିଥିଲା । ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ଏହି ଘରୋଇ ବସ ନିକଟରେ ପହଞ୍ଚି ବାହାଘର ପାଇଁ ରିଜର୍ଭ ବୁକିଂ ପାଇଁ କଣ୍ଡକ୍ଟରକୁ କହିଥିଲା । କଣ୍ଡକ୍ଟର ଜଣଙ୍କ ବୁକିଂ ସମ୍ବନ୍ଧରେ ସମ୍ପୃକ୍ତ ବସ ମାଲିକଙ୍କ ସହ କଥାହେବା ପରେ ନିର୍ଦ୍ଧାରିତ ସମୟରେ ଗାଡି ପହଞ୍ଚିବ ବୋଲି କହିଥିଲେ । ଏଥିରେ ଅଜଣା ବ୍ୟକ୍ତି ଜଣଙ୍କ ଭଡା ବାବଦରେ କଥା ହୋଇ କିଛି ଟଙ୍କା ଅଗ୍ରିମ କଣ୍ଡକ୍ଟରଙ୍କୁ ଦେଇଥିଲା । ଏ ସମ୍ବନ୍ଧରେ କିଛି ସମୟ ବସର କଣ୍ଡକ୍ଟର, ଡ୍ରାଇଭର ଓ ହେଲଫରଙ୍କ ସହିତ ଅଜଣା ବ୍ୟକ୍ତି ଜଣଙ୍କ ବହୁତ ସମୟ କଥା ହେବା ସହିତ ତିନି ଜଣଙ୍କୁ ଚା' ପିଇବା ପାଇଁ ଡାକିଥିଲା । ଘରୋଇ ବସର ଏହି ତିନି କର୍ମଚାରୀ ସେହି ଅଜଣା ବ୍ୟକ୍ତିଙ୍କ ନିକଟରୁ ଚା' ପିଇଥିଲେ । ଚା' ପିଇବାର କିଛି ସମୟ ପରେ ତିନି ବସ କର୍ମଚାରୀ ଅଚେତ ହୋଇ ପଡ଼ିଥିଲେ । ବସ କର୍ମଚାରୀମାନେ ଅଚେତ ହୋଇ ପଡିବା ପରେ ସଂପୃକ୍ତ ଅଜଣା ବ୍ୟକ୍ତି ଜଣଙ୍କ ବସଟିକୁ ନିଜେ ଚଳାଇ ନେଇ ଯାଇଥିଲା ।