ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆସନ୍ତା ୫ ତାରିଖରେ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ସେହିଦିନ ତେଲେଙ୍ଗାନାରୁ କାର୍ଯ୍ୟକ୍ରମ ସାରି ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ଅପରାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବେ । ସେଠାରୁ ସେ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ସେଠାରେ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ପରେ ପରେ ଏକ ସାଧାରଣ ସଭାରେ ଯୋଗଦେବେ । ସେହି ସଂଧ୍ୟାରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରି ସେ ବିମାନ ଯୋଗେ କୋଲକାତା ଅଭିମୁଖେ ଯାତ୍ରା କରିବେ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ସଂପର୍କରେ ବିଶଦ ସୂଚନା ଦେଇଛନ୍ତି ରାଜ୍ୟ ସ୍ବରାଷ୍ଟ୍ର ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଡଃ. ସନ୍ତୋଷ ବାଲା । ପ୍ରଧାନମନ୍ତ୍ରୀ ଓଡ଼ିଶାରେ କାର୍ଯ୍ୟକ୍ରମ ଓ କୋଲକାତା ଅଭିମୁଖେ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ଆନୁଷଙ୍ଗିକ ପ୍ରଶାସନିକ ପ୍ରସ୍ତୁତି ଓ ସୁରକ୍ଷା ସଂପର୍କିତ ପ୍ରଶାସନିକ ତଦାରଖ ବ୍ୟବସ୍ଥା ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମୀକ୍ଷା କରିଛନ୍ତି । ଲୋକସେବା ଭବନରେ ଆଜି ରାଜ୍ୟ ପ୍ରଶାସନ ତଥା ପୋଲିସ ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ସବିଶେଷ ସମୀକ୍ଷା କରିଛନ୍ତି । ବୈଠକରେ ଭୁବନେଶ୍ବର ବିମାନ ବନ୍ଦର, ଚଣ୍ଡିଖୋଲ ହେଲିପ୍ୟାଡ ଏବଂ କାର୍ଯ୍ୟକ୍ରମ ସ୍ଥଳକୁ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେବା ଓ ମେଲାଣି ଦେବା ସମୟରେ ସୁରକ୍ଷା ଓ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଛି ।
ଅଧିକ ପଢନ୍ତୁ- ମାର୍ଚ୍ଚ 5ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଚଣ୍ଡିଖୋଲରେ ରହିଛି କାର୍ଯ୍ୟକ୍ରମ
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କର ଜରୁରୀକାଳୀନ ସାମୟିକ ରହଣି ବ୍ୟବସ୍ଥା, ପ୍ରସ୍ତୁତ ହେବାକୁ ଥିବା ମଞ୍ଚର ସୁରକ୍ଷା ଯାଞ୍ଚ, କାରକେଡ ବ୍ୟବସ୍ଥା, ଭିଭିଆଇପି ଯାତ୍ରା ସମୟରେ ବିଭିନ୍ନ ସେବା ପାଇଁ ଆବଶ୍ୟକ ଯାନ ବ୍ୟବସ୍ଥା, ବ୍ୟବହୃତ ହେବାକୁ ଥିବା ହେଲିକପ୍ଟରର ନିରାପତ୍ତା, ଚିକିତ୍ସା ବ୍ୟବସ୍ଥା ପାଇଁ ଆମ୍ବୁଲାନ୍ସ ପ୍ରସ୍ତୁତି, କାର୍ଯ୍ୟକ୍ରମ ସ୍ଥଳ ନିକଟସ୍ଥ ଡାକ୍ତରଖାନାକୁ ସ୍ବତନ୍ତ୍ର ବ୍ୟବସ୍ଥା ସହ ପୂର୍ଣ୍ଣ ପ୍ରସ୍ତୁତି, ଭିଭିଆଇପିଙ୍କ ଦ୍ବାରା ବ୍ୟବହୃତ ହେବାକୁ ଥିବା ସଡ଼କର ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ, ପରିମଳ ବ୍ୟବସ୍ଥା, କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ନିଶ୍ଚିତ କରାଯିବା ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଛି । କାର୍ଯ୍ୟକ୍ରମ ସ୍ଥଳରେ ଆବଶ୍ୟକ ଜେନେରେଟର ସୁବିଧା ସହ ୨ ଟି ଅତିରିକ୍ତ ଜେନେରେଟରର ସୁବିଧା ହେବ । ପ୍ରତ୍ୟେକ ସ୍ଥାନରେ ୨ ଜଣ ଅପରେଟର ମୁତୟନ ହେବେ ।