ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣିଥରେ ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାକୁ ଆସୁଛନ୍ତି । ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ଖିଚିଂ ସ୍ଥିତ ଐତିହାସିକ ମା' କୀଚକେଶ୍ବରୀ ମନ୍ଦିର ପହଞ୍ଚିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ ମା' କୀଚକେଶ୍ବରୀଙ୍କୁ ଦର୍ଶନ କରିବା ସହିତ ମା'ଙ୍କ ଆଳତୀରେ ଉପସ୍ଥିତ ରହିବେ ରାଷ୍ଟ୍ରପତି ମୁର୍ମୁ । ଏନେଇ ରାଷ୍ଟ୍ରପତିଙ୍କ ଭବନରୁ ମା' କୀଚକେଶ୍ବରୀ ମନ୍ଦିର କମିଟିକୁ ଇ-ମେଲ୍ ଯୋଗେ ଖବର ଦିଆଯାଇଛି । ଯାହାର ସୂଚନା ଦେଇଛନ୍ତି ମା' କୀଚକେଶ୍ବରୀ ମନ୍ଦିର କମିଟିର ପରିଚ୍ଛା ଅଜୟ କୁମାର ସାହୁ ।
ତେବେ ରାଷ୍ଟ୍ରପତି ଭବନ ପକ୍ଷରୁ ମା' କୀଚକେଶ୍ବରୀ ମନ୍ଦିର କମିଟିକୁ ଦିଆଯାଇଥିବା ଇ-ମେଲ୍ ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ଫେବୃଆରୀ ମାସ ୨୯ ତାରିଖ ଦିନ 10.10 ସମୟରୁ ଦିନ 10.40 ସମୟ ପର୍ଯ୍ୟନ୍ତ ଅଧଘଣ୍ଟା ପର୍ଯ୍ୟନ୍ତ କୀଚକେଶ୍ବରୀ ମନ୍ଦିରରେ ରହି ମା'ଙ୍କ ଦର୍ଶନ ସହ ମା'ଙ୍କ ଆରତୀରେ ସାମିଲ ହେବେ । ତେବେ ଏହି ମନ୍ଦିରକୁ ଆସିବା ପାଇଁ ମନ୍ଦିର କମିଟି ପକ୍ଷରୁ ୨୦୨୩ ମସିହା ଡିସେମ୍ବର ୨୮ ତାରିଖ ଦିନ ଇ-ମେଲ ଯୋଗେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରାଯାଇଥିବା ସୂଚନା ମଧ୍ୟ ଦେଇଛନ୍ତି ମନ୍ଦିର ପରିଚ୍ଛା ଅଜୟ କୁମାର ସାହୁ । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ମିଳିବା ପରେ ଖିଚିଂ କୀଚକେଶ୍ବରୀ ମନ୍ଦିର କମିଟି ବେଶ ଖୁସି ବ୍ୟକ୍ତ କରିଛନ୍ତି ।