ରାଇରଙ୍ଗପୁର: 5 ଦିନିଆ ଓଡିଶା ଗସ୍ତରେ ଆସି ଆଜି ପୁରୀରେ ନୌସେନା ଦିବସରେ ଅଂଶଗ୍ରହଣ କରିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 6 ତାରିଖ (ଶୁକ୍ରବାର) ଜନ୍ମମାଟି ରାଇରଙ୍ଗପୁର ଗସ୍ତ କରିବେ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଚତୁର୍ଥ ମୟୂରଭଞ୍ଜ ଜିଲ୍ଲା ଗସ୍ତ । ତାଙ୍କୁ ସ୍ବାଗତ କରିବା ପାଇଁ ସଜେଇ ହେଉଛି ଜନ୍ମମାଟି । ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ସେଠାରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା (ଶୁକ୍ରବାର) ମହାମହିମ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ଉପରବେଡା ଗ୍ରାମକୁ ପହଞ୍ଚିବେ ।
- କଲେଇକୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିବେ ରାଷ୍ଟ୍ରପତି:
କଲେଇକୁଣ୍ଡା ଏୟାରଷ୍ଟ୍ରିପରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ରଙ୍ଗାମାଟିଆ ଅସ୍ଥାୟୀ ହ୍ୟାଲିପେଡରେ ଅବତରଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରୁ ଉପରବେଡା ଗ୍ରାମକୁ ଯାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିବା ସହ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କିଛି ବିଶେଷ ବ୍ୟକ୍ତିଙ୍କୁ ଭେଟି ନିଜ ପୈତୃକ ଘରେ କିଛି ସମୟ ରହି ନିଜ ସମ୍ପର୍କୀୟଙ୍କୁ ଭେଟିବେ । ପରେ ସେଠାରୁ ସଡ଼କ ପଥରେ ସ୍ବତନ୍ତ୍ର କାରକେଡ ମଧ୍ୟରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସଭବନକୁ ଆସି ସେଠାରେ ମଧ୍ୟାହ୍ନ ଭୋଜନ ଓ କିଛି ସମୟ ବିଶ୍ରାମ ନେବେ ।
- ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟକୁ ଯିବେ ରାଷ୍ଟ୍ରପତି :
ଏହାପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ଏସଏଲଏସ ଟ୍ରଷ୍ଟ ବୋର୍ଡ ତରଫରୁ ଏକ ଆମ୍ବୁଲାନ୍ସ ଡାକ୍ତରଖାନାକୁ ହସ୍ତାନ୍ତର କରିବା ପରେ ସେଠାରୁ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଆସିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିବା ସହ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ।
- ନିଜ ଘରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି:-
ପରେ ସେଠାରୁ ରାଇରଙ୍ଗପୁର ମୁର୍ମୁ ଛକରେ ଥିବା ବାବା ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିର ଯାଇ ଶ୍ରୀଗଣେଶଙ୍କ ପ୍ରତିମା ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି । ସେଠାରୁ ମହୁଲଡିହା ସ୍ଥିତ ନିଜ ବାସଭବନରେ ରାତ୍ରୀଯାପନ ସହିତ ରାତ୍ରିଭୋଜନ କରିବେ ରାଷ୍ଟ୍ରପତି ।