ଭୁବନେଶ୍ବର:ଦେଶର ଷଷ୍ଠ ତଥା ରାଜ୍ୟର ତୃତୀୟ ପର୍ଯ୍ୟାୟରେ ନିର୍ବାଚନ 25 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶାରେ 6ଟି ଲୋକସଭା ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା କ୍ଷେତ୍ରରେ ମତଦାନ ହେବ । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଭୋଟର ମତାଧିକାର ସାବ୍ୟସ୍ତ କରିବେ । ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଚୂଡାନ୍ତ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।
All Set For Third Phase Polling (ETV Bharat Odisha) ସେ କହିଛନ୍ତି,"ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆସନ୍ତା 25 ତାରିଖରେ ଅନୁଷ୍ଠିତ ହେବ । 6ଟି ସଂସଦୀୟ ଓ ଏହା ଅନ୍ତର୍ଗତ 42ଟି ବିଧାନସଭା ମଣ୍ଡଳୀ ପାଇଁ ମତଦାନ ହେବ । ତୃତୀୟ ପର୍ଯ୍ୟାୟରେ 94.48 ଲକ୍ଷ ଭୋଟର ମତଦାନ କରିବେ । 48.30 ଲକ୍ଷ ପୁରୁଷ ଭୋଟର ମତଦାନ କରିବେ । ସେହିପରି 46.18 ଲକ୍ଷ ମହିଳା ଭୋଟର ଅଛନ୍ତି । ତୃତୀୟ ଲିଙ୍ଗ ଭୋଟର ହେଉଛି 1 ହଜାର 291 ଜଣ । ପ୍ରଥମ ଥର 18ରୁ 19 ବର୍ଷର ଭୋଟରଙ୍କ ସଂଖ୍ୟା ମୋଟ ସଂଖ୍ୟାର 20.5 ପ୍ରତିଶତ । ସେହିପରି ଯୁବ ଭୋଟରଙ୍କ ସଂଖ୍ୟା 21 ପ୍ରତିଶତ । ଯାହାଙ୍କ ବୟସ 30 ବର୍ଷରୁ କମ୍ । ଏହି 6 ସଂସଦୀୟ କ୍ଷେତ୍ରର 85 ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ, ଭିନ୍ନକ୍ଷମ ଭୋଟର ଓ ଅନ୍ୟାନ୍ୟ ଭୋଟରଙ୍କ ହୋମ ଭୋଟିଂ ହୋଇଛି । ମୋଟ 31 ହଜାରରୁ ଅଧିକ ପୋଷ୍ଟାଲ ଭୋଟ ଦେଇଛନ୍ତି ।"
All Set For Third Phase Polling (ETV Bharat Odisha) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା, କେନ୍ଦୁଝର ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ 64 ସାଂସଦ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରେ 55 ପୁରୁଷ 9 ମହିଳା ପ୍ରାର୍ଥୀ ଅଛନ୍ତି । ସେହିପରି 42 ବିଧାନସଭା କ୍ଷେତ୍ରରୁ 383 ଜଣ ବିଧାୟକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି । ସେଥିରେ 339 ପୁରୁଷ ଓ 44 ଜଣ ମହିଳା ପ୍ରାର୍ଥୀ । ମୋଟ 10 ହଜାର 551 ପୋଲିଂ ବୁଥ ରହିଛି । ସେଥିରୁ 2 ହଜାର ମଡେଲ ପୋଲିଂ ଷ୍ଟେସନ ରହିବ । 15 ଶହ ସଖୀ ବୁଥ ହୋଇଛି । ଏହି ପୋଲିଂ ବୁଥକୁ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ ।
All Set For Third Phase Polling (ETV Bharat Odisha) ସେହିପରି 30ଟି ବୁଥକୁ ଭିନ୍ନକ୍ଷମ ଅଧିକାରୀ ଚଳାଇବେ । ଚଳିତ ପର୍ଯ୍ୟାୟରେ 20 ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଏହି ପର୍ଯ୍ୟାୟରେ ସର୍ବାଧିକ ସିଏପିଏଫ ମୁତୟନ ହେଉଛନ୍ତି । ମୋଟ 121 କମ୍ପାନୀ ସିଏପିଏଫ ମୁତୟନ ହୋଇଛନ୍ତି । ସମ୍ବଲପୁରରେ 12 କମ୍ପାନୀ, ଦେବଗଡ଼ରେ 2 କମ୍ପାନୀ, ଅନୁଗୁଳରେ 12 କମ୍ପାନୀ, ଢେଙ୍କାନାଳରେ 8, ମୟୂରଭଞ୍ଜରେ 2 କମ୍ପାନୀ, କେନ୍ଦୁଝରରେ 17 କମ୍ପାନୀ, କଟକ ଗ୍ରାମାଞ୍ଚଳରେ 11 କମ୍ପାନୀ, କଟକ ସହରାଞ୍ଚଳରେ 8 କମ୍ପାନୀ, ଭୁବନେଶ୍ୱର ସହରାଞ୍ଚଳରେ 13 କମ୍ପାନୀ, ଖୋର୍ଦ୍ଧା ଗ୍ରାମାଞ୍ଚଳରେ 11 କମ୍ପାନୀ, ପୁରୀରେ 11 କମ୍ପାନୀ, ନୟାଗଡରେ 14 କମ୍ପାନୀ ସିଏପିଏଫ ମୁତୟନ ହୋଇଛନ୍ତି । ନିର୍ବାଚନ ପରିଚାଳନା ପାଇଁ 70 ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
ଏହା ବି ପଢନ୍ତୁ...ଓଡିଶା ନିର୍ବାଚନ 2024: ଚତୁର୍ଥ ପର୍ଯ୍ୟାୟରେ କେତେ କୋଟିପତି ପ୍ରାର୍ଥୀ ? ସ୍କୁଲ ହତା ମାଡ଼ି ନାହାନ୍ତି ୩ପ୍ରାର୍ଥୀ, ମୈଦାନରେ ବୟସ୍କ ଯୋଦ୍ଧା - ADR REPORT
ପ୍ରଥମ ଦୁଇ ପର୍ଯ୍ୟାୟରେ 2019 ତୁଳନାରେ ଅଧିକ ଭୋଟିଂ ହୋଇଛି । ହିଟ ୱେଭକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଇଛି । ସହରାଞ୍ଚଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି । କୁଚିଣ୍ଡା, ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ଭୋଟିଂ ଶେଷ 4ଟା ରହିଛି । ସେହିପରି ଦେବଗଡ଼ରେ 5ଟାରେ ଶେଷ ହେବ । 524 ବୁଥରେ 4ଟା, 338 ବୁଥରେ 5ଟା ଓ 9ହଜାର 689 ବୁଥରେ ନିର୍ଦ୍ଧାରିତ ସମୟ 6 ଟାରେ ମତଦାନ ସରିବ । ନିର୍ବାଚନ ହେଉଥିବା 6 ଟି ସଂସଦୀୟ କ୍ଷେତ୍ରରୁ 12 କୋଟି 22 ଲକ୍ଷ ଟଙ୍କା ଜବତ ହୋଇଛି । ସେହିପରି 12 କୋଟି 83 ଲକ୍ଷ ଟଙ୍କାର ମଦ ଜବତ ହୋଇଛି । ରାଜ୍ୟ ସାରା 263 କୋଟି ଟଙ୍କା, ଅଳଙ୍କାର, ନିଶା ସାମଗ୍ରୀ ଜବତ ହୋଇଛି । ରାଜ୍ୟରେ ମୋଟ 87 କୋଟି ଜବତ ହୋଇଛି । ଭୁବନେଶ୍ୱରରୁ 9.664 ଲକ୍ଷ, କଟକରୁ 16.30 ଲକ୍ଷ ଓ ପୁରୀରୁ 2.82 ଲକ୍ଷ ଟଙ୍କା ଜବତ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର