ଭୁବନେଶ୍ବର: ରାଜ୍ୟରେ ପ୍ରଥମଥର ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେଉଛି । ଏଥିପାଇଁ ଆଜି ଜନତା ମଇଦାନରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଜାନୁଆରୀ 8ରୁ 10 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ 7 ହଜାରରୁ ଉର୍ଦ୍ଧ୍ବ ପ୍ରବାସୀଙ୍କ ସହ 10 ହଜାର ଅତିଥି ସାମିଲ ହେବେ । 8 ତାରିଖରେ ଯୁବ ପ୍ରବାସୀ କାର୍ଯ୍ୟକ୍ରମ ଓ 9 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନ୍ୟ ବିଶିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେବେ । ଗୋଟିଏ ଜିଲ୍ଲା ଗୋଟିଏ ସାମଗ୍ରୀକୁ ନେଇ ପଦର୍ଶନୀ ସହ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରଦର୍ଶିତ କରାଯିବ ।
ଆଜି ଭୂମି ପୂଜନ:
ଭୁବନେଶ୍ୱରର ଜନତା ମୈଦାନରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହା ଉପଲକ୍ଷେ ଆଜି ଜନତା ମଇଦାନରେ ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଇଡକୋର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ଇଡ଼କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଦଳେଇ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ସମ୍ମିଳନୀର ପ୍ରଥମ ଦିବସରେ ଯୁବ ପ୍ରବାସୀ ଭାରତୀୟ ଦିବସ, ଦ୍ଵିତୀୟ ଦିବସରେ 18ତମ ପ୍ରବାସୀ ଭାରତୀୟ ଦିବସର ମୁଖ୍ୟ ସମାରୋହ ଓ ତୃତୀୟ ଦିନରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ତୀର୍ଥ ଏକ୍ସପ୍ରେସର ଡିଜିଟାଲ ଫ୍ଲାଗଅପ କରିବେ ।
- ପ୍ରବାସୀ ଭାରତୀୟ ଦିବସ ପାଇଁ ଭୂମି ପୂଜନ
- ଜାନୁଆରୀ 8ରୁ 10 ପର୍ଯ୍ୟନ୍ତ କାର୍ଯ୍ୟକ୍ରମ
- ପ୍ରବାସୀଙ୍କ ସହ 10 ହଜାର ଅତିଥୀଙ୍କ ଯୋଗ ଦେବେ
- 8ରେ ପ୍ରବାସୀ ଦିବସ କାର୍ଯ୍ୟକ୍ରମ
- 9ରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ଓଡ଼ିଶାର କଳାସଂସ୍କୃତିକୁ କରାଯିବ ପ୍ରଦର୍ଶନ
10 ହଜାର ଅତିଥୀ ସାମିଲ ହେବେ:
ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି, ‘ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ଓଡିଶାରେ ଆୟୋଜନ ହେଉଛି । ଆସନ୍ତାବର୍ଷ ଜାନୁଆରୀ 8ରୁ 10 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି । ଓଡିଶା ଲାଗି ଏହା ବଡ଼ ସୁଯୋଗ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଟାର୍ଗେଟରୁ ଅଧିକ ଭଲ କରି ଲାଗି ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ତିନି ଦିନିଆ କାର୍ଯ୍ୟକ୍ରମରେ ପ୍ରାୟ ପ୍ରବାସୀଙ୍କ ସମେତ 10 ହଜାର ଲୋକ ସାମିଲ ହେବେ । 8 ତାରିଖରେ ଯୁବ ପ୍ରବାସୀ କାର୍ଯ୍ୟକ୍ରମ ଆୟୋଜନ ହେବ । 9 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତି ସାମିଲ ହେବେ । 10 ତାରିଖରେ ମଧ୍ୟ ସେହିପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ ।"
ଥିମ୍ ପ୍ୟାବିଲିୟନ ରହିବ:
ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଆହୁରି ମଧ୍ୟ କହିଛନ୍ତି, "ଜନତା ମଇଦାନରେ କାର୍ଯ୍ୟକ୍ରମ ସହ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ପୂର୍ବରୁ ଓଡିଶାରେ ଏତେ ବଡ଼ ପ୍ରଦର୍ଶନୀ କେବେ ଆୟୋଜନ ହୋଇନାହିଁ । ଭାରତବର୍ଷର ପ୍ରତ୍ୟେକ ରାଜ୍ୟ ପ୍ରଦର୍ଶନୀରେ ସାମିଲ ହେବେ । ଗୋଟେ ଜିଲ୍ଲା, ଗୋଟେ ସାମଗ୍ରୀ ମଧ୍ୟ ପ୍ରଦର୍ଶିତ କରାଯିବ । ଥିମ ପ୍ୟାବିଲିୟନ ରହିବ । ସେଥିରେ 5 ପ୍ରକାର ବାର୍ତ୍ତା ପ୍ରଦର୍ଶିତ ହେବ । ରାମାୟଣ ଉପରେ ଇଣ୍ଡିଆନ କାଉନ୍ସିଲ ଅଫ କଲଚର ରିଲେସନ ପ୍ରଦର୍ଶନ ହେବ । ଓଡିଶା ସରକାର ଓ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏଠାରେ ପ୍ରଦର୍ଶନ ରହିବ । ଦୁଇଟି ବଡ଼ ବଡ଼ ହେଙ୍ଗର କରାଯିବ । ସେଥିରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ । 7 ହଜାର ଲୋକ ବସିବା ଲାଗି ବ୍ୟବସ୍ଥା କରାଯିବ ।"
ସେ ଏହା ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଲାଉଞ୍ଜ ରହିବ । ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ୱାନ ଟୁ ୱାନ ବୈଠକ, ଶିଳ୍ପ ପ୍ରତିଷ୍ଠାନ ସହ ବୈଠକ ଏବଂ ପ୍ରବାସୀଙ୍କ ସହ ଆମ ଲୋକ କିପରି ଆଲୋଚନା କରିବେ ସେନେଇ ବ୍ୟବସ୍ଥା କରାଯିବ । ବିକଶିତ ଭାରତରେ ପ୍ରବାସୀଙ୍କ ଭୂମିକା କାର୍ଯ୍ୟକ୍ରମର ଥିମ । 2047 ସୁଦ୍ଧା ଭାରତ ବିକାଶମୁଖୀ ଓ ଅର୍ଥନୈତିକ ଅଭିବୃଦ୍ଧି ନେଇ ଆଲୋଚନା ହେବ । ବିକାଶରେ ଟେକ୍ନୋଲୋଜିର ଭୂମିକା ନେଇ ମଧ୍ୟ ପ୍ରଦର୍ଶନୀ ଓ ଆଲୋଚନା କରାଯିବ । ଓଡିଶାରେ କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ଆମ ଲାଗି ବଡ଼ ସୁଯୋଗ ରହିଛି । ରାଜ୍ୟର ପ୍ରଗତୀକୁ ଲୋକଲୋଚନକୁ ଆଣିବୁ । ଆମ ପ୍ରଗତିରେ ପ୍ରବାସୀ କିଭଳି ସହଯୋଗ କରିପାରିବେ କାର୍ଯ୍ୟକ୍ରମର ଫୋକସ ରହିବ । ଓଡିଶାର କଳା ଓ ସଂସ୍କୃତିକୁ ପର୍ଯ୍ୟବେସିତ କରି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଉଛି ।"
ଓଡ଼ିଶା ପାଇଁ ଗୌରବର ବିଷୟ: