ଭୁବନେଶ୍ବର: ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଆଜି ଅନ୍ତିମ ଦିନ । ଏହି ତ୍ରିଦିବସୀୟ ସର୍ବଭାରତୀୟ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ୨୭ ପ୍ରବାସୀ ଭାରତୀୟଙ୍କୁ 'ପ୍ରବାସୀ ଭାରତୀୟ ସମ୍ମାନ'ର ପୁରସ୍କାରରେ ପୁରସ୍କୃତ କରିଛନ୍ତି ରାଷ୍ଟ୍ରପତି ।
ଉଦଯାପନୀ ସମାରୋହରେ ସାମିଲ ହେଲେ ରାଷ୍ଟ୍ରପତି:
ଆଜି ପ୍ରବାସୀ ଭାରତୀୟ ଦିବସର ସମ୍ମିଳନୀର ଉଦଯାପନୀ ସମାରୋହରେ ସାମିଲ ହୋଇଥିଲେ ରାଷ୍ଟ୍ରପତି । ସମ୍ମାନୀୟ ଅତିଥିଭାବେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ପରିବେଶ ପରିବେଶ,ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ, ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ପ୍ରମୁଖ ଯୋଗ ଦେଇଥିଲେ ।
'ରାଷ୍ଟ୍ର ନିର୍ମାଣରେ ପ୍ରବାସୀ ଭାରତୀୟଙ୍କର ରହିଛି ଉଲ୍ଲେଖନୀୟ ଅବଦାନ'
ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, " ସମସ୍ତଙ୍କୁ ନମସ୍କାର, ଜୁହାର, ଜୟ ଜଗନ୍ନାଥ.. ଆପଣଙ୍କ ନିଜ ମାଟି, ଜନ୍ମଭୂମିକୁ ସ୍ୱାଗତ । ଆପଣମାନଙ୍କ ବୈଶ୍ୱିକ ଉପସ୍ଥିତି ଅନନ୍ୟ ସମ୍ଭାବନା ପ୍ରଦାନ କରିଥାଏ । ଆପଣମାନଙ୍କ ସଫଳତା ଭାରତର ସଫଳତା । ପ୍ରବାସୀ ଭାରତୀୟମାନେ ପ୍ରାଦ୍ୟୋଗିକ, ଚିକିତ୍ସା, କଳା ଏବଂ ଉଦ୍ୟମିତା କ୍ଷେତ୍ରରେ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛନ୍ତି । ପ୍ରବାସୀ ଭାରତୀୟ ଏବଂ ଭାରତ ମଧ୍ୟରେ ଏହି ପ୍ରବାସୀ କାର୍ଯ୍ୟକ୍ରମ ଏକ ବଡ ସେତୁ । ଜ୍ଞାନ କୌଶଳ ଏବଂ ସହଯୋଗର ବଡ଼ ପ୍ଲାଟଫର୍ମରେ ପରିଣତ ହୋଇଛି ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ । ପ୍ରବାସୀ ଭାରତୀୟମାନଙ୍କର ଉଲ୍ଲେଖନୀୟ ଅବଦାନ ଭାରତକୁ ବିକାଶ ଦିଗରେ ପହଞ୍ଚାଇ ପାରିଛି । ରାଷ୍ଟ୍ର ଗଠନରେ ପ୍ରବାସୀ ଭାରତୀୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନଜରରେ ରଖି NRIମାନଙ୍କ ପାଇଁ ଭାରତ ସରକାର ଏକାଧିକ ଯୋଜନା କରିଛନ୍ତି । ବିଦେଶରେ ଥିବା ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବିଗତ କିଛି ବର୍ଷ ମଧ୍ୟରେ 'ଅପରେସନ କାବେରି', 'ଅପରେସନ ଗଙ୍ଗା', 'ଅପରେସନ ବନ୍ଦେ ଭାରତ' ଭଳି ଅନେକ ମିଶନ ଲଞ୍ଚ କରିଛି ଭାରତ । ମହିଳା, ଯୁବକ ତଥା ଛାତ୍ର ପ୍ରବାସୀ ଭାରତୀୟମାନଙ୍କର ମଧ୍ୟ ଉଲ୍ଲେଖନୀୟ ଅବଦାନ ରହିଛି ।" ଆଉମଧ୍ୟ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି ରାଷ୍ଟ୍ରପତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି," ପ୍ରବାସୀ ଭାରତୀୟ ଦିବସ ଯୋଗୁ ଓଡ଼ିଶାର ସମ୍ଭାବନା ଆଜି ବିଶ୍ୱ ଦରବାରରେ ପହଞ୍ଚିଛି । ଭୁବନେଶ୍ୱର ପାଇଁ ଐତିହାସିକ ଦିନ । ହୃଦୟର ମିଳନ, ଭାବର ଆଦାନପ୍ରଦାନ ଭବିଷ୍ୟତ ପାଇଁ ସ୍ମରଣୀୟ ରହିବ । ଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଆ ଅସ୍ମିତା ସଫଳତାର ନୂଆ ଶିଖର ଛୁଇଁଛି । ଓଡ଼ିଆ ଭାଷା ବିଭାଗ ତରଫରୁ ପ୍ରବାସୀ ଭାରତୀୟଙ୍କ ପାଇଁ ଜଣେ ନୋଡାଲ ଅଫିସର ରଖିବାକୁ ଆଜି ଘୋଷଣା କରୁଛି ।"
ଏହି ଅବସରରେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି, "ବିଦେଶରେ ପ୍ରବାସୀ ଭାରତୀୟମାନେ ବୈଷୟିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଯେଉଁ ଉତ୍କର୍ଷତା ଦେଖାଇଛନ୍ତି ସେଥିପାଇଁ ଭାରତର ଟେକ ରହିଛି । ଭାରତୀୟ ସମୂହ ଏ କାର୍ଯ୍ୟକ୍ରମରେ ବଡ଼ ଭୂମିକା ନିର୍ବାହ କରୁଛନ୍ତି । ବିଶ୍ୱ ସମାଜରେ ଭାରତୀୟଙ୍କ ସଫଳତା ପାଇଁ ଆଜି ଭାରତ ଏକ ବଡ଼ ଶକ୍ତି । ପ୍ରବାସୀ ଭାରତୀୟ ସମ୍ମାନ ପ୍ରତିଭାଙ୍କ ଅବଦାନ ଅତୁଳନୀୟ । ଭାରତର ଦ୍ରୁତ ବିକାଶରେ ପ୍ରବାସୀ ଭାରତୀୟଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ।"
ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନ:
ଅତିଥିମାନଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଚଳିତ ବର୍ଷ ୨୭ ଜଣ ଅତିଥି ତଥା ସଂଗଠନ ଏହି ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାନୁଆରୀ ୩ ତାରିଖ ଦିନ ଏହି ନାଁ ଗୁଡିକ ଘୋଷଣା କରାଯାଇଥିଲା । ପ୍ରବାସୀ ଭାରତୀୟମାନଙ୍କୁ ଦିଆଯାଉଥିବା ସମ୍ମାନ ମଧ୍ୟରେ ଏହା ସର୍ବୋଚ୍ଚ ସମ୍ମାନ ଅଟେ । ସାମୂଦାୟିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଷ୍ଟ୍ରେଲିଆର ପ୍ରଫେସର ଅଜୟ ରାଣେଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
କେଉଁ କ୍ଷେତ୍ରରେ କିଏ ପାଇଲେ ସମ୍ମାନ ?
ଅପରାଧ ବିରୋଧରେ ସ୍ୱର ଉଠାଇବା ପାଇଁ ପ୍ରଫେସର ରାଣେ ସାରା ବିଶ୍ୱରେ ପରିଚିତ । ଚେନ୍ନାଇରେ ଏକ ହସ୍ପିଟାଲ ନିର୍ମାଣ କରିଛନ୍ତି ଅଜୟ ରାଣେ । ସେହିଭଳି ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଷ୍ଟ୍ରିଆର ମାର୍ରିଅର୍ଲିନା ଜନ ଫର୍ଣ୍ଣାଡିଜଙ୍କୁ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଫିଲୋମେନା ମୋହିନି ହାରିସ, ସାମୂଦାୟିକ ସେବା କ୍ଷେତ୍ରରେ ଫିଜିର ସ୍ୱାମୀ ସଂଯୁକ୍ତାନନ୍ଦ, ସାମୂଦାୟିକ ସେବା କ୍ଷେତ୍ରରେ ଗୁୟେନାର ସରସ୍ୱତୀ ବିଦ୍ୟା ନିକେତନ ସଂଗଠନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଜାପାନର ଲେଖ୍ ରାଜ୍ ଜୁନେଜା, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ କିରଗିଜ୍ ଗଣରାଜ୍ୟର ପ୍ରେମ୍ କୁମାର, ବ୍ୟବସାୟ କ୍ଷେତ୍ରରେ ଲାଓଜର ସୌକଥଭି ଚୌଧୁରୀ ଓ ମାଲାଓ୍ବିର କ୍ରିଷ୍ଣା ଶବଜାନି, ରାଜନୀତି କ୍ଷେତ୍ରରେ ମାଲେସିଆର ସୁବ୍ରମଣିୟମ କେ ଭି ଶଥାଶିବମ, ସାମୂଦାୟିକ ସେବା କ୍ଷେତ୍ରରେ ସରିତା ବୁଦ୍ଧୋ, ବ୍ୟବସାୟ କ୍ଷେତ୍ରରେ ମଲଦୋବାର ଅଭୟ କୁମାର, ଶିକ୍ଷା କ୍ଷେତ୍ରରେ ମିଆଁମାରର ରାମ ନିଓ୍ବାସ, ବ୍ୟବସାୟ କ୍ଷେତ୍ରରେ ରୋମାନିଆର ଜଗନ୍ନାଥ ଶେଖର ଅସ୍ଥାନା, ସାମୂଦାୟିକ ସେବା କ୍ଷେତ୍ରରେ ଋଷିଆର ହିନ୍ଦୁସ୍ଥାନୀ ସମାଜ ସଂଗଠନ, ଶିକ୍ଷା କ୍ଷେତ୍ରରେ ଋଷିଆର ସୁଧାରାଣୀ ଗୁପ୍ତା, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସାଉଦି ଆରବିଆର ସୟେଦ ଅନଓ୍ବାର ଖୁର୍ସିଦ, ଶିକ୍ଷା କ୍ଷେତ୍ରରେ ସିଙ୍ଗାପୁରର ଅତୁଲ ଅରବିନ୍ଦ ତେମୁରନିକାର, ସାମୂଦାୟିକ ସେବା କ୍ଷେତ୍ରରେ ସ୍ପେନର ରର୍ବଟ ମାସିହ ନହାର, ମେଡିସିନ କ୍ଷେତ୍ରରେ ତାଞ୍ଜାନିଆର କୌଶିକ ଲକ୍ଷ୍ମୀଧର ରମାଇୟା, ଜନ ସମ୍ପର୍କ କ୍ଷେତ୍ରରେ ତ୍ରିନିନାଦ ଓ ଟୋବାଗୋର ଖ୍ରୀଷ୍ଟିନ କାର୍ଲା କଙ୍ଗାଲୁ ORTT, ବ୍ୟବସାୟ କ୍ଷେତ୍ରରେ ୟୁଏଇର ରାମକ୍ରିଷ୍ଣନ ଶିବାସ୍ୱାମୀ ଆୟାର, ସାମୂଦାୟିକ ସେବା କ୍ଷେତ୍ରରେ ଉଗାଣ୍ଡାର ବୋନ୍ଥାଲା ସୁବାୟ ସେଛୀ ରମେଶ ବାବୁ, ରାଜନୀତି କ୍ଷେତ୍ରରେ ୟୁକେ ବାରୋନେସ ଉଷା କୁମାରୀ ପ୍ରସାର, ମେଡିସିନ କ୍ଷେତ୍ରରେ ୟୁଏସଏର ଶରଦ ଲଖନପାଲ, ସାମୂଦାୟିକ ସେବା କ୍ଷେତ୍ରରେ ୟୁଏସଏର ଶର୍ମିଳା ଫୋର୍ଡ, ବ୍ୟବସାୟ କ୍ଷେତ୍ରରେ ୟୁଏସଏର ରବି କୁମାର ଏସ.ଙ୍କୁ ପ୍ରବାସୀ ଭାରତାୟୀ ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି । ପଦକ ସହ ମାନପତ୍ର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ।
ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି:
ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ସାରି ଆଜି ଦିଲ୍ଲୀ ଫେରିଯାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଗତକାଲି(ଗୁରୁବାର) ସନ୍ଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିଥିଲେ । ବାୟୁସେନାର ସ୍ବତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର