ଝାରସୁଗୁଡ଼ା: ବାତିଲ୍ ହେଲା ଝାରସୁଗୁଡ଼ା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନସ୍ଥା ଭୋଟିଂ । ଆଜି ଝାରସୁଗୁଡ଼ା ରାଜନୀତିରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ସ୍ବର୍ଗତଃ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ନବ ଦାସଙ୍କ ପୁତ୍ର ବିଶାଳ ଦାସ ଓ ୮ଜଣ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଛତିଶଗଡ଼ ପୋଲିସ ଉଠାଇନେବା ଘଟଣା ଏବଂ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନସ୍ଥା ଭୋଟିଂ ବାତିଲ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଛତିଶଗଡ଼ରୁ ଗୋଟିଏ ପରେ ଗୋଟିଏ ପ୍ରତିକ୍ରିୟା ଭିଡ଼ିଓ ଆସୁଥିବାବେଳେ ଏପଟେ ସେମାନଙ୍କୁ ଛାଡ଼ିବା ଦାବି ନେଇ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ପୂର୍ବତନ ବିଧାୟିକା ଦୀପାଳି ଦାସ । ସେପଟେ ଅଟକ ସଭ୍ୟଙ୍କୁ ଛାଡିବା ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଅର୍ଡା ପଞ୍ଚାୟତର ସରପଞ୍ଚ ଛତିଶଗଡ଼ର ଥାନାରୁ ଏକ ଭିଡିଓ ଯୋଗେ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି,"ଗତକାଲି (ଗୁରୁବାର) ଲଇକେରା ପୋଲିସ ଆମ ପାଖକୁ ଆସି ଭେଟି କହିଥିଲା କି ପରିବାର ପକ୍ଷରୁ ଏକ ମିସିଂ ଅଭିଯୋଗ ହୋଇଛି । ଏହା ପରେ ଛତିଶଗଡ଼ ପୋଲିସ ଆମକୁ ଥାନାରେ ଅଟକ ରଖିଛି । ଆମେ ପୋଲିସକୁ ପଚାରିବାରୁ ସେମାନେ କହିଛନ୍ତି ଉପରୁ ଚାପ ରହିଛି ।"
ଆଜି କିର୍ମିରା ପଞ୍ଚାୟତ ସମିତିର ଅଧ୍ୟକ୍ଷାଙ୍କ ବିରୋଧରେ ଥିଲା ଅନସ୍ଥା ଭୋଟିଂ:
ଆଜି ଝାରସୁଗୁଡ଼ା ଜିଲ୍ଲା କିର୍ମିରା ପଞ୍ଚାୟତ ସମିତିର ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଅନାସ୍ଥା ଭୋଟିଂ ରହିଥିଲା । ଏହାକୁ ଆଖି ଆଗରେ ରଖି ପୋଲିସ୍ ଅଜ୍ଞାତବାସରେ ଥିବା ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ନେଇ ଛତିଶଗଡ଼ର ସରେଇପାଲି ଥାନାରେ ଅଟକ ରଖିଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସ । ଏନେଇ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ କହିଛନ୍ତି," ଦୁଇ ବର୍ଷ ତଳେ ବାପାଙ୍କୁ ପୋଲିସ ଗୁଳିରେ ହତ୍ୟା କରାଯାଇଥିଲା । ଗତକାଲି ମୋ ଭାଇ ନିଜ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିବାରୁ ତାକୁ ମଧ୍ୟ ଛତିଶଗଡ଼ ପୋଲିସ ଉଠାଇ ନେଇଛି । ଆମ ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରୁଛନ୍ତି ସରକାର । ଗଣତନ୍ତ୍ର ଏହି ପ୍ରକ୍ରିୟାକୁ ରୋକୁଛନ୍ତି ସରକାର । ଯାହା ଡାର୍ଟି ପଲିଟିକ୍ସି । ଆମେ ସାଧାରଣ ଲୋକ । "
ସେ ଆହୁରି ମଧ୍ୟ କହିଛନ୍ତି," ଆମେ ସାଧାରଣ ଲୋକଙ୍କ ପାଇଁ ଲଢୁ । ଯଦି ଆପଣଙ୍କ ସାହାସ ଅଛି ,ତାହାଲେ ସେହି 12 ଜଣ ସମିତିସଭ୍ୟ ଏବଂ ସରପଞ୍ଚଙ୍କୁ ଆଣିକି ଦିଅନ୍ତୁ । ଯଦି ଆପଣଙ୍କ ଅଧ୍ୟକ୍ଷା ବସିବ ତାହାଲେ ମୋର କୌଣସି ଆପତ୍ତି ନାହିଁ । ଯିଏ ଭଲ କାମ କରିବ ବିଜେପି ସରକାର ତାକୁ ବାନ୍ଧିବ, ଆଉ ଯିଏ ଖରାପ କାମ କରିବ ତାକୁ ଚେୟାରରେ ବସେଇବେ । ଓଡ଼ିଶା ପୋଲିସ ଛତିଶଗଡ଼ ଯାଇ ସେମାନଙ୍କୁ ଅଟକ ରଖିଛି । ସେହି ସମୟରେ ସେମାନେ ମୋତେ ଫୋନ କରିଥିଲେ । ଆମକୁ ସାହାଯ୍ୟ କରନ୍ତୁ ବୋଲି ତେଣୁ ମୋ ଭାଇ ସେଠାକୁ ଯାଇଥିଲେ ।"
ଏହା ମଧ୍ୟ ପଢନ୍ତୁ: ପୋଲିସକୁ ଦେଖିଲେ ଡରୁଛନ୍ତି ନବ ଦାସଙ୍କ ପୁଅ ବିଶାଲ ! IGଙ୍କୁ ମାଗିଲେ ସୁରକ୍ଷା
ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ:
ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଭାପତି ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଛତିଶଗଡ ପୋଲିସ ଦ୍ବାରା କିଛି ସରପଞ୍ଚ ଓ ସମିତି ସଭ୍ୟ ଓ ବିଶାଳ ଦେବ ଅଟକ ରହିଛନ୍ତି । ଫଳରେ ଅନସ୍ଥା ଭୋଟିଂ ବାଧାପ୍ରାପ୍ତ ହୋଇଛି । ଅଟକ ଥିବା କାରଣରୁ ସେମାନେ ଅନସ୍ଥା ଭୋଟିଂରେ ସାମିଲ ହୋଇପାରିନଥିଲେ । ସେମାନଙ୍କୁ ଛାଡି ଦେବାକୁ ନିବେଦନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଗତକାଲି ଉତ୍ତରାଞ୍ଚଳ ଆଇଜିଙ୍କୁ ଭେଟିଥିଲେ ବିଶାଲ:
ଗତକାଲି(ଗୁରୁବାର) ଉତ୍ତରାଞ୍ଚଳ ଆଇଜି ହିମାଶୁଂ ଲାଲଙ୍କୁ ଭେଟିଥିଲେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦେବ । ପୋଲିସଠୁ ସୁରକ୍ଷା ଲୋଡି ଆଇଜିଙ୍କୁ ଭେଟିଥିଲେ । ହୋଟେଲରେ ବିନା ୱାରେଣ୍ଟରେ ପୋଲିସ ଚଢାଉ କରିଥିବା ଅଭିଯୋଗ ଆଣି ସୁରକ୍ଷା ଲୋଡି ଆଇଜିଙ୍କୁ ଭେଟିଥିଲେ ।
ଇଟିଭି ଭାରତ,ଝାରସୁଗୁଡ଼ା