ଭୁବନେଶ୍ବର: ରାଜ୍ୟରେ ଆଳୁ ଟେନସନ ଥମିବାର ନା ଧରୁନି । ତଳମୁହାଁ ହେଉନାହିଁ ଦର । ଏବେବି ସରକାରଙ୍କ ନିର୍ଦ୍ଧାରିତ ଦରଠାରୁ ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି ବ୍ୟବସାୟୀ । କଳା ବଜାରୀକୁ ରୋକିବା ପାଇଁ ଏକ ନମ୍ବର ହାଟରେ ଯୋଗାଣ ବିଭାଗ ଚଢ଼ାଉ କରିଛି । ହାଟରେ ଦର ଦାମ କଣ ରହିଛି କେଉଁ ବ୍ୟବସାୟୀ କେତେ ବିକୁଛି ତାର ଯାଞ୍ଚ ଯୋଗାଣ ବିଭାଗର ଅଧିକାରୀ କରିଥିବା ବେଳେ ସରକାର ଧାର୍ଯ୍ୟ କରିଥିବା ଦରରେ ଆଳୁ ବିକିବା ପାଇଁ କଡା ନିର୍ଦ୍ଦେଶ ଦେଇଛିନ୍ତି । ଆଳୁ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଆନ୍ତରିକତା ଅଭାବ କହିଲା ବିଜେଡି । ସରକାର ଆଳୁ ସମସ୍ୟା ସମାଧାନ କରିବା ବଦଳରେ ବଢ଼ାଉଛନ୍ତି କହିଲା କଂଗ୍ରେସ ।
ଗୋଟି ଗୋଟି ଦୋକାନରେ ଯାଞ୍ଚ:-
ଆଜି ପଶ୍ଚିମବଙ୍ଗରୁ ଓଡିଶା ଆଳୁ ଆସିବା ପରେ ଆଳୁର ଅଭାବ ରାଜ୍ୟରେ ଆଉ ହେବନି ବୋଲି ସରକାର ସ୍ପଷ୍ଟ କରୁଥିବା ବେଳେ କଳା ବଜାରୀକୁ ରୋକିବା ପାଇଁ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । ଏନେଇ ଷ୍ଟେଟ ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡର ଅଧିକାରୀମାନେ ଗୋଟେ ଗୋଟେ ଦୋକାନ ବୁଲିବା ସହ ରେଟ୍ ଚାଟକୁ ଅନୁଧ୍ୟାନ କରୁଥିବା ବେଳେ ସ୍କ୍ବାର୍ଡର ଚିଫ ସିଏସଓ ସଞ୍ଜୀବ ସାହୁ କହିଛନ୍ତି, "ଯେଉଁ ବ୍ୟବସାୟୀ ଅଧିକ ରେଟ ଚାଟ ଲଗାଇଛନ୍ତି ତାଙ୍କୁ ତାଗିଦ କରାଯାଉଛି । ରେଟ ଚାଟ ଠିକ ଲେଖିବା ସହ ଗୋଦାମରୁ କେତେ ଟଙ୍କାରୁ ଆଳୁ କିଣୁଛନ୍ତି ଓ କେତେ ବିକୁଛନ୍ତି ସେ ଚିଠାକୁ ମଧ୍ୟ ଯାଞ୍ଚ କରିଛନ୍ତି । ଏହି ସମୟରେ ଆଳୁର କିସମକୁ ଦେଖି ନିର୍ଦ୍ଧାରିତ ରେଟ ବା ଦର ୩୫ରୁ ୩୮ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ କିଛି ବ୍ୟବସାୟୀ ୪୦ ଟଙ୍କା ଓ ତା'ଠାରୁ ଊର୍ଦ୍ଧ୍ବ ବିକୁଥିବା ଦେଖିବାକୁ ପାଇଥିଲେ । ତେଣୁ ଯେଉଁମାନେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଯାଇ ଚଢା ଦରରେ ଆଳୁ ବିକୁଥିଲେ ସେହି ଖିଲାପକାରୀଙ୍କ ନାଁ ଲେଖିକି ନିଆଯାଇଛି । ଆଗାମୀ ଦିନରେ ଏହାର ପୁନରାବୃତ୍ତି ହେଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ।"
'କିଲୋ ପିଛା 38ଟଙ୍କାରେ ବିକ ଆଳୁ'
ବ୍ୟବସାୟୀ ଗୋଦାମରୁ ୩୨ ଟଙ୍କାରୁ ୩୪ ଟଙ୍କାରେ ଆଳୁ ଆଣୁଛନ୍ତି । ତେଣୁ ତାଙ୍କର ଲାଭ ରଖି ୩୮ ଟଙ୍କା ବିକି ପାରିବେ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଵିଭାଗୀୟ ଅଧିକାରୀଙ୍କ ତାଗିଦ ପରେ ବ୍ୟବସାୟୀ ଆଳୁ ଦର ୩୫ ଓ ୩୮ ଟଙ୍କା କରିଥିବା ବେଳେ ଆଗକୁ ସରକାର ଯାହା ଦାମ ଧାର୍ଯ୍ୟ ପାରିବେ ସେହି ଅନୁଯାୟୀ ବିକିବୁ ବୋଲି କହିଛନ୍ତି ।
କଣ କହୁଛନ୍ତି ଖାଉଟି ?
ଜଣେ ଖାଉଟି କହିଛନ୍ତି ଯେ ବ୍ୟବସାୟୀ କେବଳ ଚଢ଼ାଉ ବେଳେ ଦାମ କମାଇଦେଉଛନ୍ତି । ପୁଣି ପରେ ଯାହାକୁ ସେଇୟା । କିଏ ୪୦ ତ କିଏ ୪୫ । ଏପରିକି ସମୟ ସମୟରେ ୫୦ରୁ ୬୦ ଟଙ୍କା ମଧ୍ୟ ହେଇଯାଉଛି । ଆଳୁର ଏହି ଅସ୍ଥିରତା ଦାମକୁ ନେଇ ସାଧାରଣ ଖଟିଖିଆଟିଏ ମନରେ ଆଳୁର ଦରକୁ ନେଇ ଦ୍ଵନ୍ଦ୍ବ ଉପୁଜୁଥିବା ବେଳେ ଆକାଶଛୁଆଁ ଦରଦାମ ପକେଟକୁ ବାଧୁଛି । ଏହାକୁ ନେଇ ରୋଷେଇ ଘରୁ ଆଳୁ ଉଭାନ ହେବା ସହ ରୋଷେଇ ଘରେ ଆଳୁ ମଡ଼କ ଦେଖିବାକୁ ମିଳୁଛି । ଯାହା ସାଧାରଣ ଖାଉଟିକୁ ବେଶ ବାଧୁଥିବା ବେଳେ ଏହା ପକେଟକୁ ସୁହାଉନାହିଁ । କଳାବଜାରୀ ବନ୍ଦ କରିବା ସହ ଦରଦାମ କମିବାର ସମାଧାନ ସରକାର କରନ୍ତୁ ବୋଲି ଦାବି କରିଛନ୍ତି ଖାଉଟି।