ବଲାଙ୍ଗୀର:ଗନ୍ଧମାର୍ଦ୍ଦନ ପାହାଡ଼ ଆଗକୁ ଧ୍ଵଂସ ହୋଇଯିବ କି ? ଏଠି ଗଚ୍ଛିତ ଥିବା ବକ୍ସସାଇଟ୍ ଖନନ ପାଇଁ ସରକାର କରୁଛନ୍ତି କି ମସୁଧା ? ରେଳଲାଇନ, ଏୟାରପୋର୍ଟ, ଆଦାନୀ ଜମି କିଣିବା ଇତ୍ୟାଦି ନେଇ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ଜୋର ଧରିଲାଣି ଚର୍ଚ୍ଚା । ସେପଟେ ଗନ୍ଧମାର୍ଦ୍ଦନ ପାହାଡ ସୁରକ୍ଷା ପାଇଁ ଦଳ ମତ ନିର୍ବିଶେଷରେ ଏକାଠି ହେଲେ ନେତା । ଗାଁ ଗାଁରେ ଆରମ୍ଭ ହେଲା ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ମେଳି ।
ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ମେଳି:
ଗନ୍ଧମାର୍ଦ୍ଦନ ପାହାଡ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ସୀମାରେ ଅବସ୍ଥିତ । ଯାହା ଦୁଇ ଜିଲ୍ଲାର ଐତିହ୍ୟ, ସଂସ୍କୃତି, ବିଶ୍ୱାସ ଓ ଜୀବିକା ସହିତ ଘନିଷ୍ଠ ଭାବରେ ଜଡ଼ିତ । ତେବେ ଏହି ପାହାଡ଼ କିନ୍ତୁ ବକ୍ସାଇଟରେ ପରିପୂର୍ଣ୍ଣ । ଯାହା ପାଇଁ ଏହାର ଖନନ ପାଇଁ ଅନେକ ପ୍ରୟାସ ଅତୀତରେ ହୋଇ ସାରିଛି । ନୂଆ ସରକାର ଆସିବା ପରେ ଏବେ ପୁଣି ଏହି ପାହାଡର ଖନନ ଏବଂ ସମ୍ପୂର୍ଣ୍ଣ ଧ୍ଵଂସ ହୋଇ ଯିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଯାହାକୁ ନେଇ ଉଭୟ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ଏକାଠି ହୋଇଛନ୍ତି ।
କାହିଁକି ଏମିତି ଚର୍ଚ୍ଚା ଆରମ୍ଭ ହେଲା ?
ପାଟଣାଗଡ଼ରେ ଏୟାର ପୋର୍ଟ ନିର୍ମାଣ ପ୍ରସ୍ତାବ, ବରଗଡ଼-ନୂଆପଡ଼ା ରେଳ ଲାଇନ ପ୍ରସ୍ତାବ ସହ ଆଦାନୀ ଗ୍ରୁପ ବଲାଙ୍ଗୀର ଗନ୍ଧମାର୍ଦ୍ଦନ ପାହାଡ ପାଖରେ 18ଟି ଜମି କିଣିବା, ଏଥିରେ ଆହୁରି ଘିଅ ଢ଼ାଲିଛି । ସବୁଠି ଚର୍ଚ୍ଚା ଯେ ଗନ୍ଧମାର୍ଦ୍ଦନରେ ଖଣି ଖନନ ପାଇଁ ଏସବୁ ପ୍ରୟାସ ଚାଲିଛି । ସେଥିପାଇଁ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ଗାଁ ମାନଙ୍କରେ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ମେଳି ଆରମ୍ଭ ହୋଇଛି । ଏଥିରେ ସବୁ ଦଳର ନେତା ବିଧାୟକ ମାନେ ସାମିଲ ହେଉଛନ୍ତି । ଏହିପରି ବଲାଙ୍ଗୀର ଗନ୍ଧମାର୍ଦ୍ଦନ ପାହାଡ ଅଞ୍ଚଳ ଖପ୍ରାଖୋଲ ବ୍ଲକରେ ମଧ୍ୟ ଏକ ବିରାଟ ମେଳି ଆୟୋଜନ ହୋଇଥିଲା । ଯେଉଁଥିରେ ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହା, ପାଟଣାଗଡ଼ ପୂର୍ବତନ ବିଜେଡ଼ି ବିଧାୟକ ସରୋଜ ମେହେର, କୋଶଳ ସଂଗଠନର ବରିଷ୍ଠ ନେତା, ଦଳିତ ନେତା କୃଷକ ନେତା, କଂଗ୍ରେସ ଦଳ ସମସ୍ତେ ଏକାଠି ହୋଇ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ତୀବ୍ର ଆନ୍ଦୋଳନର ରୂପ ରେଖ ପ୍ରସ୍ତୁତ କରିଛନ୍ତି । କୌଣସି ମତେ ଗନ୍ଧମାର୍ଦ୍ଦନ ପାହାଡ଼ ଖନନ କରିବାକୁ ଦିଆ ଯିବ ନାହିଁ ବୋଲି ଏକ ମତ ହୋଇଛନ୍ତି ସମସ୍ତେ ।
ଜାତୀୟ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦାବି:
ଏନେଇ କୋଶଳ ସମନ୍ୱୟ ସମିତି ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର କହିଛନ୍ତି,"ଅନେକ ସନ୍ଦେହ ସୃଷ୍ଟି ହୋଇଛି, ଯେ ଗନ୍ଧମାର୍ଦ୍ଦନ ପାହାଡ଼ରେ ଖଣି ଖନନ ପାଇଁ ଆଦାନୀକୁ ଅନୁମତି ଦିଆଯିବ ବୋଲି । କାରଣ ଗନ୍ଧମାର୍ଦ୍ଦନ ଅଞ୍ଚଳରେ ଆଦାନୀ ଗ୍ରୁପ ଜମି କିଣିବା, ଏଠି ଏୟାରପୋର୍ଟ ହେବା ଭଳି ପ୍ରସ୍ତାବ ଏହି ସନ୍ଦେହକୁ ଆହୁରି ଦୃଢ଼ିଭୂତ କରିଛି । ତେବେ ଏହା ସରକାର ହିଁ ସ୍ପଷ୍ଟ କରିବେ । ଗନ୍ଧମାର୍ଦ୍ଦନ ଖନନ ପାଇଁ ଯୋଜନା ଅଛି ନା ନାହିଁ ? ଗନ୍ଧମାର୍ଦ୍ଦନ ଦୁଇଟି ଜିଲ୍ଲାର ଲୋକଙ୍କ ପାଇଁ ଜୀବନ ରେଖା ଅଟେ । ଏଠି ଅନେକ ପର୍ଯ୍ୟଟନ ସ୍ଥଳୀ ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଛି । ସେହିପରି ଦୁଇଟି ନଦୀ ଓ ଛୋଟ ବଡ ନାଲ ଏଠୁ ବାହାରି ଏଠିକାର ଜୀବନ ଚକ୍ର ଚଳାଇ ଆସିଛି । ସରକାର ନିଜେ ସ୍ପଷ୍ଟ କରନ୍ତୁ ଓ ଆଗକୁ ଏହାକୁ ଜାତୀୟ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦିଅନ୍ତୁ ।"
ଏମିତି କହିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର:
ବଲାଙ୍ଗୀର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି,"ପୂର୍ବରୁ ଏଭଳି ବଲ୍କୋକୁ ଖଣି ଖନନ ପାଇଁ ଏହି ପାହାଡ ଲିଜରେ ଦିଆଯାଇଥିଲା । ଯାହାକୁ ଏଠି ତୀବ୍ର ବିରୋଧ ହୋଇଥିଲା । ତତ୍କାଳୀନ ସରକାର ଏହାକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ଏଭଳି ପୁଣି ହେଲେ ନିହାତି ଭାବରେ ବିରୋଧ ହେବ । କଂଗ୍ରେସ ଏହାକୁ ନେଇ ତୀବ୍ର ଆନ୍ଦୋଳନ କରିବା ସହ ଲୋକଙ୍କ ସହିତ ପାହାଡ଼ର ସୁରକ୍ଷା ପାଇଁ ଲଢେଇ କରିବ ।"
'ଦେହରେ ରକ୍ତର ଶେଷ ବିନ୍ଦୁ ଥିବା ଯାଏଁ....'