ଭୁବନେଶ୍ବର: ଦେବାଳିଆ ସ୍ଥିତିରେ ଭାରତିୟ ସଞ୍ଚାର ନିଗମ ଲିମିଟେଡ । BSNL କାମ କରିଥିବା ଠିକାଦାରଙ୍କ ବକେୟା ବିଲ୍ ଦେଇ ନପାରିବାରୁ BSNL ମୁଖ୍ୟ କାର୍ଯ୍ୟାଳୟର ସମ୍ପତ୍ତି ସିଜ୍ ପାଇଁ ମୁଖ୍ୟ ଅଫିସରେ ପହଞ୍ଚିଲେ ଭୁବନେଶ୍ୱର ସିଭିଲ କୋର୍ଟର କର୍ମଚାରୀ ।ଏନେଇ ରୂପାଲି ସ୍ଥିତ BSNL ଅଫିସରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ଭୁବନେଶ୍ୱର ସିଭିଲ କୋର୍ଟରେ ସିନିୟର୍ ଡିଭିଜନ କମର୍ସିଆଲ କୋର୍ଟର ୧୨ ଜୁଲାଇ ୨୦୨୪ରେ ଏକ ନିର୍ଦ୍ଦେଶନାମା ଆଧାରରେ ଜଣେ ଠିକାଦାରଙ୍କ ୧ କୋଟି ୩୩ ଲକ୍ଷ ୮୦ହଜାର ୧୮୧ ଟଙ୍କା ଭରଣ ପାଇଁ BSNL ଅଫିସର କିଛି ସରଞ୍ଜାମ ସିଜ ପାଇଁ କୋର୍ଟର ଆସିଛି ନିର୍ଦ୍ଦେଶ ନାମା । ଯାହାକୁ ଆଧାରକରି କୋର୍ଟର କର୍ମଚାରୀ BSNL ଚିଫ୍ ଇଞ୍ଜିନିୟରଙ୍କ ଅଫିସର ପହଞ୍ଚିବା ପରେ ସାମ୍ନାକୁ ଆସିଛି ଏହି ଘଟଣା ।
କୋର୍ଟର ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ଯେ BSNL କାର୍ଯ୍ୟାଳୟର ଥିବା ଆସବା ପତ୍ର ଯଥା- ଟେବୁଲ ୫୦ଟି, ଚୋକି ୧୦୦ଟି,ସିଲି ଫ୍ୟାନ ୫୦ଟି,ଷ୍ଟିଲ ଆଲମାରି ୫୦ଟି ,ସୋଫା ଗଦି ୩୦ଟି ,ଏସି ୫୦ଟି ,କମ୍ପ୍ୟୁଟର ୭ଟି ,ମନିଟର ୪୦ଟି ,ସିପିୟୁ ୪୦ଟି, ୟୁପିଏ ୪୦ଟି,ପ୍ରିଣ୍ଟ ର ୪୦ଟି ,ଲାପଟପ୍ ୫୦ଟି,ପାଣି ଫିଲ୍ମର ୨ଟି ଟିଭି ୧୪ଟିକୁ ସିଜ କରିବାକୁ ନିର୍ଦ୍ଦେଶ ରହିଛି ।ଯାହାକୁ ନେଇ କୋର୍ଟର କର୍ମଚାରୀ ଓ ଠିକାଦାର ପହଞ୍ଚି ଜିନିଷ ନେବା ପାଇଁ ଉଦ୍ୟମ ବେଳେ ସାମ୍ନାସାମ୍ନି ହୋଇଛନ୍ତି BSNL କର୍ମଚାରୀ ଓ ଠିକାଦାର ଓ କୋର୍ଟ କର୍ମଚାରୀ ।
ତେବେ ଟଙ୍କା ପାଇବାକୁ ଥିବା ଠିକାଦାର ସୁବାଷ ଚନ୍ଦ୍ର କାଞ୍ଚନ କହିଛନ୍ତି ଯେ, କଳିଙ୍ଗ ହସ୍ପିଟାଲ ପଛ ପାଖରେ BSNL ୯ଟି ଟାଇପ-୫ କ୍ବାର୍ଟର୍ସର ନିର୍ମାଣ କରିବା ଲାଗି ଠିକାଦାର ସୁବାଷ ଟେଣ୍ଡର ପାଇଥିଲେ । ୧୯୯୯ ମସିହାରେ ମହାବାତ୍ୟା ଯୋଗୁଁ ସେହି ବର୍ଷ କାମ ହୋଇପାରିନଥିଲା । ୨୦୦୦ ମସିହାରେ ସେ କାମ ଆରମ୍ଭ କରି ଶେଷ କରିଥିଲେ । ପରେ ଏହି କାମ ପାଇଁ ବିଲ୍ ପାସ କରିବା ବେଳେ BSNL ସଂସ୍ଥାର ବିଭିନ୍ନ କର୍ମଚାରୀ ତାଙ୍କୁ ଲାଞ୍ଚ ମାଗିଥିଲେ । ଫଳରେ ସେତେବେଳେ କାଞ୍ଚନଙ୍କ ଅଭିଯୋଗ ଆଧାରରେ ଜଣେ କର୍ମଚାରୀଙ୍କୁ ସିବିଆଇ ଗିରଫ କରିଥିଲା । ଏହାପରେ ସଂସ୍ଥା ଠିକାଦାର ସୁବାଷଙ୍କ ଉପରେ କ୍ଷୁବ୍ଧ ହୋଇଯାଇଥିଲା । ବିଭିନ୍ନ ସମୟରେ ତାଙ୍କୁ ହଇରାଣ ହରକତ କରାଯାଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି ।