ଓଡିଶା

odisha

ETV Bharat / state

ଲୁଣି ପାଣି ନୁହେଁ ମଧୁର ଜଳରେ ମୁକ୍ତା ଚାଷ, ଉଦାହରଣ ସୃଷ୍ଟି କରିଛନ୍ତି ଯୁବ ଉଦ୍ୟୋଗୀ ଦିବ୍ୟରାଜ - Pearl Farming

Pearl Farming In Sambalpur: ସାଧରଣତଃ ସମୁଦ୍ରର ଲୁଣି ଜଳରେ ରହୁଥିବା ଶାମୁକାରୁ ମୁକ୍ତା ବାହାରୁଥିବା ବେଳେ ଏବେ ମଧୁର ଜଳରେ ମୁକ୍ତା ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି ସମ୍ବଲପୁରର ଯୁବ ଉଦ୍ୟୋଗୀ ଦିବ୍ୟରାଜ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Jul 6, 2024, 8:54 AM IST

Pearl Farming
Pearl Farming (ETV Bharat Odisha)

ସମ୍ବଲପୁର: ପର୍ଲ (Pearl)ବା ମୁକ୍ତା । ଏହା ଏକ ମୂଲ୍ୟବାନ ପଦାର୍ଥ । ସାଧରଣତଃ ଏହାକୁ ସମୁଦ୍ରରୁ ମିଳୁଥିବା ଶାମୁକାରୁ ସଂଗ୍ରହ କରାଯାଇଥାଏ । ହେଲେ ବର୍ତ୍ତମାନ ସମୟରେ ମଧ୍ୟପ୍ରାଚ୍ୟର ଦେଶ ଗୁଡିକରେ ଏହାର ଚାହିଦା ବହୁତ ବେଶୀ ଥିବା ବେଳେ ସୁନା ରୁପା ଆଦିରେ ଏହାକୁ ଖଞ୍ଜିତ କରି ଅଳଙ୍କାର ପ୍ରସ୍ତୁତ କଲେ ଏହାର ଦାମ ବହୁତ ବଢିଯାଏ । ଏବେ ନିଜ ଫାର୍ମ ହାଉସ ଟାଙ୍କିର ମଧୁର ଜଳରେ ଶାମୁକା ଚାଷ କରି ବୈଜ୍ଞାନିକ ପଦ୍ଧତିରେ କୃତ୍ରିମ ଉପାୟରେ ମୁକ୍ତା ଉତ୍ପାଦନ କରୁଛନ୍ତି ସମ୍ବଲପୁରର ଯୁବ ଉଦ୍ୟୋଗୀ ଦିବ୍ୟରାଜ ବେରିହା ।

Pearl Farming (ETV Bharat Odisha)


ମଧୁର ଜଳରୁ ମୁକ୍ତା ଚାଷ । ଏହା ଶୁଣିଲେ ଜଣକୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । କାରଣ ସାଧରଣତଃ ସମୁଦ୍ରର ଲୁଣି ଜଳରେ ରହୁଥିବା ଶାମୁକାରୁ ମୁକ୍ତା ବାହାରି ଥାଏ । ମାତ୍ର ସମ୍ବଲପୁର ସହରରୁ ସୁବର୍ଣ୍ଣପୁର ରାସ୍ତାର ଖଣ୍ଡୁଆଳ ଠାରେ ଥିବା ନିଜ ଫାର୍ମ ହାଉସର ଟାଙ୍କିରେ ଶାମୁକା ଚାଷ କରି ଏବେ ମୁକ୍ତା ଉତ୍ପାଦନ କରି ପାରିଛନ୍ତି ସମ୍ବଲପୁରର ଯୁବ ବିଜ୍ଞାନୀ ତଥା ଉଦ୍ୟୋଗୀ ଦିବ୍ୟରାଜ ବେରିହା । 2022 ମସିହାର ଶେଷ ବେଳକୁ ସେ ଏହି ପ୍ରଜେକ୍ଟ ଆରମ୍ଭ କରିଥିଲେ । ଏଥିପାଇଁ ସେ 3ଟି ଟାଙ୍କି ତିଆରି କରିଥିଲେ । ସୋନପୁରର ମହାନଦୀ କ୍ଳବରୁ 3000ଟି ଶାମୁକା କିଣିଥିଲେ । ଆଉ ବର୍ତ୍ତମାନ ସେ ଏହି ଶାମୁକା ଗୁଡିକରୁ ମୁକ୍ତା ଉତ୍ପଦନ ଆରମ୍ଭ କରିଛନ୍ତି । ଏହି ମୁକ୍ତା ଉତ୍ପାଦନ ପାଇଁ ପ୍ରାୟ ଦେଢ଼ରୁ 2 ବର୍ଷର ସମୟ ଲାଗିଥାଏ ।

ପ୍ରାକୃତିକ ଉପାୟରେ ମୁକ୍ତା କିପରି ତିଆରି ହୋଇଥାଏ:

ଯୁବ ବିଜ୍ଞାନୀ ଦିବ୍ୟରାଜଙ୍କ ମୁତାବକ, ସମୁଦ୍ରରେ ରହୁଥିବା ଶାମୁକାର ପାକସ୍ଥଳୀକୁ ଯେତେବେଳେ ବାଲି କଣା ପଶି ଯାଏ, ସେ ଏହି ବାଲି କଣାକୁ ନିଜ ପେଟ ଭିତରୁ ବାହାର କରିବାକୁ ଚେଷ୍ଟା କରିଥାଏ । କିନ୍ତୁ ଏହା ଶାମୁକା ପାଇଁ ଏତେ ସହଜ ନଥାଏ । ଏଭଳି ସ୍ଥିତିରେ ଶାମୁକା ନିଜ ଦେହ ଭିତରେ ପ୍ରାକୃତିକ ଉପାୟରେ ଏକ ଲାଳ ନିର୍ଗତ କରିଥାଏ l ଏହି ଲାଳ ଶାମୁକାର ପେଟ ଭିତରେ ଥିବା ବାଲି କଣା ଉପରେ ପରସ୍ତ ପରସ୍ତ ହୋଇ ଘୋଡେଇ ହୋଇଯାଏ ଓ ଏହା ପରେ ମୁକ୍ତାର ରୂପ ନେଇଥାଏ । ପ୍ରାକୃତିକ ଉପାୟରେ ଏଭଳି ଭାବେ ଶାମୁକା ଭିତରୁ ମୁକ୍ତା ବାହାରି ଥାଏ ।



କୃତ୍ରିମ ଉପାୟରେ କିପରି ତିଆରି ହୋଇଥାଏ ମୁକ୍ତା:

ପ୍ରଥମେ ପୋଖରୀ ସଦୃଶ ଏକ ଟାଙ୍କି ତିଆରି କରାଯାଇ ସେଥିରେ ଶାମୁକା ଛଡା ଯାଏ । କିଛି ଦିନ ପରେ ଶାମୁକାମାନଙ୍କ ପେଟ ଭିତରେ ଏକ ପ୍ରକାର କ୍ୟାଲସିୟମ ଯୁକ୍ତ ନ୍ୟୁକ୍ଲିୟସ 2ଟି ଇନଜେକ୍ଟ କରାଯାଏ । ନିଜ ଇଚ୍ଛା ଅନୁସାରେ ଏହି ନ୍ୟୁକ୍ଲିୟସକୁ ଆକାର ଦିଆ ଯାଇଥାଏ । ଏହାପରେ ଏହି ଶାମୁକାମାନଙ୍କୁ 7 ଦିନ ଯାଏଁ ସ୍ପିରିଟ ୱାଟରରେ ରଖାଯାଇଥାଏ । ଏହି 7 ଦିନ ଶାମୁକା ଗୁଡିକୁ ବହୁତ ଯତ୍ନରେ ରଖାଯାଇଥାଏ, ଠିକ ଯେପରି ଅସ୍ତ୍ରୋପଚାର ପରେ ଜଣେ ରୋଗୀର ଯତ୍ନ ନେବାକୁ ପଡି ଥାଏ । ଏହା ପରେ ଶାମୁକା ଗୁଡିକୁ ଚାଷ ହୋଇଥିବା ଟାଙ୍କିରେ ଛଡା ଯାଏ । ଏହି ସମୟରେ ଶାମୁକାମାନଙ୍କୁ ଅମ୍ଳଜାନ ସହ ଅଟା ଓ ଛତୁଆ ପରି ଖାଦ୍ୟ ଦିଆ ଯାଇଥାଏ । ତେବେ ଏହି ପ୍ରକ୍ରିୟାକୁ ତାଲିମ ପ୍ରାପ୍ତ ବିଜ୍ଞାନୀମାନେ ହିଁ ସଫଳତା ସହ କରି ପାରିବେ । ଏହାପରେ ପ୍ରାୟ ଦେଢ଼ରୁ 2 ବର୍ଷ ଭିତରେ ମୁକ୍ତା ଉତ୍ପାଦନ ଆରମ୍ଭ ହୋଇଥାଏ ।



ବର୍ତ୍ତମାନ ସମ୍ବଲପୁରର ଯୁବ ଉଦ୍ୟୋଗୀ ଦିବ୍ୟରାଜ ଏହି ପଦ୍ଧତିରେ ମୁକ୍ତା ଉତ୍ପାଦନ କରିବାରେ ସଫଳ ହୋଇଛନ୍ତି । ଆଗକୁ ସେ କମଳା ରଙ୍ଗ ସହ ନୀଳ ଓ ହଳଦିଆ ରଙ୍ଗର ମୁକ୍ତା ଉତ୍ପାଦନ କରିବାକୁ ଗବେଷଣା ଜାରି ରଖିଛନ୍ତି । ଦିବ୍ୟରାଜଙ୍କ କହିବା ଅନୁସାରେ, ଯଦି ଜଣେ ବ୍ୟକ୍ତି ଟାଙ୍କି ତିଆରି କରି 1 ଲକ୍ଷ ଟଙ୍କା ନିବେଶ କରି ଏହି ଚାଷ କଲେ 1 ବର୍ଷରୁ ଦେଢ଼ ବର୍ଷ ଭିତରେ 3ରୁ 4 ଲକ୍ଷ ଟଙ୍କା ରୋଜଗାର କରି ପାରିବ । ଅନ୍ୟପଟେ ଯଦି କୌଣସି ବ୍ୟକ୍ତି 25 ଡ଼ିସିମିଲ ଜମିରେ ପୋଖରୀ ଖୋଳେଇ ଏହି ଚାଷ କରେ, ତାହେଲେ ତାକୁ 2 ଲକ୍ଷ ଟଙ୍କା ନିବେଶ କରିବାକୁ ପଡିବ ଓ ସେ ଦେଢ଼ ବର୍ଷ ଭିତରେ 8ରୁ 10 ଲକ୍ଷ ଟଙ୍କା ରୋଜଗାର କରି ପାରିବ ।


ତେବେ ସମ୍ବଲପୁରର ଏହି ଯୁବ ବିଜ୍ଞାନୀ ବର୍ତ୍ତମାନ ବହୁ ଯୁବକ ଯୁବତୀଙ୍କୁ ଆତ୍ମନିର୍ଭର ହେବାକୁ ପ୍ରେରଣାର ଉତ୍ସ ହୋଇ ପାରିଛନ୍ତି । ଏଥିପାଇଁ ବଜାର ବ୍ୟବସ୍ଥା କରିବା ସହ ସରକାରୀ ପ୍ରୋତ୍ସାହନ ମିଳିଲେ ବହୁ ଯୁବ ଚାଷୀ ଏହା ଦ୍ୱାରା ଲାଭବାନ ହୋଇପାରିବେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details