ବରଗଡ: ଶେଷ ହେଲା ପପଙ୍ଗା ପାହାଡ ମହୋତ୍ସବ । ଗତ 24 ଏପ୍ରିଲରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ତିନି ଦିନ ଘରି ଚାଲିଥିଲା । ତେବେ ଗତକାଲି 26 ଏପ୍ରିଲରେ ଏହି ମହୋତ୍ସବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ସମାପ୍ତ ହୋଇଛି । ଏହି ତିନି ଦିନ ମଧ୍ୟରେ ଦର୍ଶକ ଓଡ଼ିଶାର କଳା ସଂସ୍କୃତି ସହିତ ରାଜ୍ୟ ବାହାରର କଳାକାରଙ୍କ ପ୍ରଦର୍ଶିତ କଳାର ମଜା ନେଇଥିଲେ । ତେବେ ଭାରତ ସ୍ୱାଧିନତାର ବାର୍ତ୍ତା ବହନ କରୁଛି ବରଗଡ ସ୍ଥିତ ଏହି ଐତିହାସିକ ପପଙ୍ଗା ପାହାଡ । ତେବେ ବୀର ସୁରେନ୍ଦ୍ର ସାଏଙ୍କ ସହିତ ଭେଡ଼େନ ଜମିଦାର ମନୋହର ସିଂହ ଓ ପାହାଡ଼ ଶ୍ରୀଗିଡାର ଜମିଦାର ଜନାର୍ଦନ ସିଂଙ୍କର ବୀରତ୍ବର ଗାଥାକୁ ଚିରସ୍ମରଣୀୟ କରିବା ଉଦ୍ଦେଶ୍ୟରେ 2010 ମସିହାରୁ ଏହି ପପଙ୍ଗା ପାହାଡ ମହୋତ୍ସବ ପାଳନ କରାଯାଉଛି ।
ଗତକାଲି ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ ଅନେକ ସିନେ କଳାକାର ଯୋଗ ଦେଇଥିବା ବେଳେ ଅନ୍ୟ ରାଜ୍ୟରୁ ମଧ୍ୟ କଳାକାର ମାନେ ଆସି ନିଜ ନିଜର କଳା ପ୍ରଦର୍ଶନ କରି ଲୋକଙ୍କ ମନୋରଞ୍ଜନ କରିଥିଲେ । ପଶ୍ଚିମ ଓଡିଶାର ପାରମ୍ପାରିକ ନୃତ୍ୟଗୀତରେ ଉତ୍ସବ ମୁଖରିତ ହୋଇ ଉଠିଥିଲା ସାରା ପରିବେଶ। ଯାହାକୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ ଦର୍ଶକ ।
ତିନି ଦିନ ଧରି ଚାଲିଥିବା ଏହି ମହୋତ୍ସବର ସଂସ୍କୃତିକ ମଞ୍ଚରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ସାଂସ୍କୃତିକ ଦଳ ଭାଗ ନେଇଥିବା ବେଳେ କଳା ଓ ସଂସ୍କୃତିର ଆଦାନ ପ୍ରଦାନ ହୋଇଥିଲା । ଅନ୍ୟ ପକ୍ଷରେ ଏପରି ଏକ ଐତିହ ସଂପନ୍ନ ସ୍ଥାନରେ ଜନସମୁଦ୍ର ଭିତରେ ନିଜର କଳା ପ୍ରଦର୍ଶନ କରି କଳାକାର ମାନେ ମଧ୍ୟ ବେଶ ଉତ୍ସାହିତ ଥିଲେ । ପପଙ୍ଗା ପାହାଡ ମହୋତ୍ସବର ଲୋକପ୍ରିୟତା ଦିନକୁ ଦିନ ବଢି ଚାଲିଥିବା ବେଳେ ପଶ୍ଚିମ ଓଡିଶାର ଲୋକକଳା ଓ ଲୋକ ସଂସ୍କୃତିକୁ ପୁଣି ଥରେ ପୁନଃଜୀବିତ କରିବାରେ ବେଶ ସହାୟକ ହୋଇପାରିଛି ଏହି ପପଙ୍ଗା ପାହାଡ ମହୋତ୍ସବ।