ଭୁବନେଶ୍ବର:ଭୁବନେଶ୍ବର: ଚଳିତ ମାସରୁ ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମାସିକ ୩୦ ହଜାର ଟଙ୍କା ସମ୍ମାନ ସୂଚକ ସହାୟକ ରାଶି ପ୍ରଦାନ କରାଯିବ । ଗତ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୀବିତ ପଦ୍ମ ପୁରସ୍କାର ବିଜେତାଙ୍କ ସବିଶେଷ ତଥ୍ୟ ପ୍ରଦାନ ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର ।
- ପଦ୍ମ ବିଜେତାଙ୍କୁ ମାସକୁ ମିଳିବ 30 ହଜାର
ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ଚଳିତ ମାସକୁ ମିଳିବ ୩୦ ହଜାର ଟଙ୍କାର ସମ୍ମାନ ସୂଚକ ସହାୟକ ରାଶି । ସମ୍ମାନ ସୂଚକ ସହାୟକ ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ନଭେମ୍ବର ମାସରେ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସମସ୍ତ ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ମାସକୁ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ସହାୟକ ରାଶି ପାଇବେ । ଚଳିତ ମାସରୁ ଏହା ପ୍ରଦାନ କରିବାକୁ ଥିବା ବେଳେ ଏଥିପାଇଁ ବର୍ଷକୁ ୨ କୋଟି ଟଙ୍କା ଖର୍ଚ୍ଚ ହେବ ।
ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର ଏନେଇ ଜିଲ୍ଲାପାଳ ଓ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ଦର୍ଶାଇଛନ୍ତି, "ଭାରତରତ୍ନ ପରେ ପଦ୍ମ ପୁରସ୍କାର ହେଉଛି ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର । ୧୯୫୪ ମସିହାରେ ପଦ୍ମ ସମ୍ମାନ ପ୍ରଚଳିତ ହୋଇଥିଲା । କଳା, ଶିକ୍ଷା, ବିଜ୍ଞାନ, କ୍ରୀଡା, ସାମାଜିକ କାର୍ଯ୍ୟ, ଜନସେବା, ଔଷଧ, ସାହିତ୍ୟ ଇତ୍ୟାଦି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ । ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଆମ ରାଜ୍ୟରୁ ବହୁତ ଓଡ଼ିଆ ଦେଶର ଏହି ପ୍ରତିଷ୍ଠିତ ତଥା ସମ୍ମାନନୀୟ ପୁରସ୍କାର ପ୍ରାପ୍ତ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କ ବିଭିନ୍ନ କ୍ଷେତ୍ରରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କୁ ମାସକୁ ୩୦ ହଜାର ଟଙ୍କାର ସମ୍ମାନ ସୂଚକ ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟର ସମସ୍ତ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ମାସିକ ୩୦ ହଜାର ଟଙ୍କାର ସମ୍ମାନ ସୂଚକ ସହାୟତା ରାଶି ପ୍ରଦାନ କରାଯିବ’’।