ବାଲେଶ୍ବର:ଜିଲ୍ଲାରେ ଆସନ୍ତା 27ରୁ ଚାଷୀଙ୍କ ଠାରୁ ଧାନକିଣା ଆରମ୍ଭ ହେବ । ଏନେଇ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବାଲେଶ୍ୱର ଗସ୍ତରେ ଆସି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି । ଆଜି(ସୋମବାର) ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ସ୍ଥାନୀୟ ବିଧାୟକ ଏବଂ ଯୋଗାଣ ଅଧିକାରୀଙ୍କ ସହ ଚାଷୀଙ୍କ ଧାନ କିଣାରେ ଯେମିତି ବ୍ୟତିକ୍ରମ ନ ହୁଏ ସେନେଇ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ଏହାସହ ବାହାର ରାଜ୍ୟକୁ ଚାଷୀଙ୍କ ଧାନ କମ ଦରରେ ଯେମିତି ନ ଯାଏ ସେନେଇ ଧ୍ୟାନ ଦେବାକୁ କୁହାଯାଇଛି ।
27ରୁ ଧାନ କିଣା:
ତେବେ ମଣ୍ଡି ଖୋଲାଯିବାକୁ ନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ‘ଆଗାମୀ 27 ତାରିଖ ଠାରୁ ବାଲେଶ୍ୱର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ। ସେଥିପାଇଁ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ଅଛି ତା ବିଷୟରେ ଆମେ ଆଲୋଚନା କରିଥିଲୁ । ମଣ୍ଡିରେ ବସିବା ବ୍ୟବସ୍ଥା, ପିଇବା ପାଣିର ବ୍ୟବସ୍ଥା, ସବୁ ଜାଗାରେ ସେଡ ହୋଇଛି ନା ନାହିଁ, ସବୁ ନୋଡାଲ ଅଫିସର ନିୟୋଜିତ ହୋଇଛନ୍ତି ନା ନାହିଁ, ଏ ସବୁ ବିଷୟରେ ଆଲୋଚନା ହେଲା । ସବୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି, ଭଲ ଭାବରେ ପ୍ରସ୍ତୁତି ହୋଇଛି ।’
ବାହାର ଧାନ ଗାଡି ଓଡ଼ିଶାକୁ ପ୍ରବେଶ ନକରିବାକୁ ହୋଇଛି ବ୍ୟବସ୍ଥା:
ମନ୍ତ୍ରୀ ଆହୁରି କହିଛନ୍ତି, ‘ଚାଷୀଙ୍କର ଧାନ କିଣାଯିବ, କୌଣସି ଚାଷୀଙ୍କୁ ହଇରାଣ କରାଯିବ ନାହିଁ । FAQ ମାନର ଧାନ ସବୁ ଆଣିବେ ବୋଲି ଆମେ ନିବେଦନ କରିଛୁ ଏବଂ କ୍ୱିଣ୍ଟାଲ ପିଛା 3100 ଟଙ୍କା ଲେଖାଏଁ ଚାଷୀଙ୍କୁ ପ୍ରଦାନ କରାଯିବ । ଭାଗଚାଷୀ ମାନେ ଯେଉଁ ଜମିରେ ଚାଷ କରିଥିବେ ସେ ଅନୁଯାୟୀ ସେମାନେ ପଞ୍ଜିକରଣ କରିଥିବେ ପଟ୍ଟାକୁ ନେଇକି, ସେମାନଙ୍କୁ ମଧ୍ୟ ଆକାଉଣ୍ଟ ମାଧ୍ୟମରେ ପଇସା ଦିଆଯିବ । ବାହାର ବେପାରୀ ମାନଙ୍କ ପାଇଁ ଆମେ ସୀମାନ୍ତରେ ଏବଂ ପାଟ୍ରୋଲିଂ ଗାଡ଼ିସବୁ ଅଛି, ସିସିଟିଭି କ୍ୟାମେରା ଲାଗିଛି, ବାହାର ଧାନ ଯେମିତି ଆମର ଓଡିଶାକୁ ପ୍ରବେଶ କରିବନି ତାର ବ୍ୟବସ୍ଥା ମଧ୍ୟ କରାଯାଇଛି । ପୋଲିସ ଏଥିପାଇଁ ସଜାଗ ଅଛନ୍ତି ।’
କଟନୀ ଛଟନୀ ବନ୍ଦ:
ମନ୍ତ୍ରୀ ଆହୁରି କହିଛନ୍ତି, ‘ଅଦିନିଆ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଚାଷୀମାନଙ୍କ ପାଇଁ ଆମ ବିଧାୟକ ମାନେ ଉଦବେଗ ପ୍ରକାଶ କରିଛନ୍ତି । ସରକାର ମଧ୍ୟ ଚିନ୍ତିତ ଅଛନ୍ତି । ଯଦି ସେହିଭଳି ଅସୁବିଧା ଆସେ ସେତେବେଳେ ଆମେ ବିଚାର କରିବୁ । କଟନୀ ଛଟନୀକୁ ବନ୍ଦ କରଯାଇଛି।"