ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଭୁବନେଶ୍ୱର ଷ୍ଟେଟ ଇନଷ୍ଟିଚ୍ୟୁଟ ଫର ୱିମେନ ଆଣ୍ଡ ଚିଲଡ୍ରେନ ପରିସରରେ ମହିଳା ଓ ଶିଶୁ ବିକାଶ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି ଯେ, ଗୋପବନ୍ଧୁ ପ୍ରଶାସନ ଏକାଡ଼େମୀ, ରାଜ୍ୟ ଗ୍ରାମ୍ୟ ବିକାଶ ଅନୁଷ୍ଠାନ, ୱାସନ ଭଳି ବିଭିନ୍ନ ଜାତୀୟସ୍ତରୀୟ ଓ ରାଜ୍ୟସ୍ତରୀୟ ଅନୁଷ୍ଠାନ ସହଯୋଗରେ ଷ୍ଟେଟ ଇନଷ୍ଟିଚ୍ୟୁଟ ଫର ୱିମେନ ଆଣ୍ଡ ଚିଲଡ୍ରେନ ଏକ ଉତ୍କର୍ଷ ଅନୁଷ୍ଠାନ ହେବାର ଗୌରବ ଅର୍ଜନ କରିବାକୁ ଯାଉଛି ।
ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ଲଢିବା ପାଇଁ ଆମକୁ ସହଭାଗିତାରେ କାର୍ଯ୍ୟ କରିବାକୁ ପଡିବ । ଏହି ବୁଝାମଣା ପତ୍ର ଆମର ବିପର୍ଯ୍ୟୟ ମୁକାବିଲାକୁ ଆହୁରି ସୁଦୃଢ କରିବ । ସେହିପରି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁସ୍ମିତା ବେହେରା କହିଛନ୍ତି ଯେ, ମହିଳା ଓ ଶିଶୁ ବିକାଶ ବିଭାଗ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ତାଲିମ ସମ୍ପୂର୍ଣ୍ଣ କରିବାରେ ପ୍ରଥମ ବିଭାଗ ଭାବେ ପରିଗଣିତ ହୋଇପାରିଛି । ଏହି ବିପର୍ଯ୍ୟୟ ପରିଚାଳନା ତାଲିମକୁ ତୃଣମୂଳ ସ୍ତରରେ ପହଞ୍ଚାଇ ପ୍ରତି ଘରେ ଜଣେ ଜଣେ ବିପର୍ଯ୍ୟୟ ପ୍ରଶମନ ଯୋଦ୍ଧା ସୃଷ୍ଟି କରିବା ବୁଝାମଣା ପତ୍ରର ପ୍ରଧାନ ଲକ୍ଷ୍ୟ ।