କଟକ:ହଜାର ବର୍ଷର ଐତିହ୍ୟ ସହର କଟକର ବିଭିନ୍ନ ସମସ୍ୟା ପ୍ରସଙ୍ଗକୁ ଅତି ଗମ୍ଭୀରତାର ସହ ନେଇଛନ୍ତି ଓଡିଶା ହାଇକୋର୍ଟ । ବିଶେଷକରି ସହରର ବିଭିନ୍ନ ସ୍ଥାନରେ ଜବରଦଖଲ, ପରିମଳ, ପାର୍କିଂ, ଉଠା ବ୍ୟବସାୟୀଙ୍କ ଥଇଥାନ, ରାସ୍ତାରେ ବୁଲା ଜୀବଜନ୍ତୁଙ୍କ ସମସ୍ୟା ପ୍ରସଙ୍ଗରେ ତତ୍ପରତାର ସହ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଅଦାଲତ । କିଛି ମାମଲାରେ ମହନଗର ନିଗମକୁ ନିର୍ଦ୍ଦେଶ ଦେବା ସହ କିଛି ମାମଲାର କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେନେଇ ରିପୋର୍ଟ ତଲବ କରିଛନ୍ତି । ତୁରନ୍ତ ସହରରେ ଥିବା ଜବରଦଖଲକୁ ଉଚ୍ଛେଦ କରିବା ସହ ପୁନର୍ବାର ଯେପରି ଉକ୍ତ ସ୍ଥାନ ଯେପରି ଜବରଦଖଲ ନହୁଏ, ସେଥିପ୍ରତି ପଦକ୍ଷେପ ନେବାକୁ ମଧ୍ୟ କଡା ନିର୍ଦ୍ଦେଶ ଦେଇଛନ୍ତି ।
ଯଦିଓ ଏହି ମାମଲା ହାଇକୋର୍ଟରେ ବାରମ୍ବାର ଶୁଣାଣି ହେଉଛି ତଥାପି ସହରର ପ୍ରତ୍ୟକଟି ସମସ୍ୟା ଯେପରି ସମାଧାନ ହେବ ସେନେଇ ଅଦାଲତ ପଦକ୍ଷେପ ନେଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସହରର ଯେଉଁ ସ୍ଥାନଗୁଡିକ ଜବରଦଖଲ ଅବସ୍ଥାରେ ରହିଛି, ତାହା ପ୍ରତି କଟକ ମହାନଗର ନିଗମ (ସିଏମସି) ଏବଂ ଜିଲ୍ଲା ପ୍ରଶାସନ କ’ଣ ସବୁ ପଦକ୍ଷେପ ନେଉଛନ୍ତି ଏହାର ପ୍ରତ୍ୟକ ତଥ୍ୟ ରଖୁଛନ୍ତି କୋର୍ଟ ।
ଆଡଭୋକେଟ କମିଟି କୋର୍ଟଙ୍କୁ କଣ ଦର୍ଶାଇଲେ !
ଏହି କ୍ରମରେ ଲିଙ୍କରୋଡ-ବାଦାମବାଡ଼ି ମଧ୍ୟରେ ୯୦ ପ୍ରତିଶତ ଜବରଦଖଲ ଉଚ୍ଛେଦ କରାଯାଇଥିବା ନେଇ ‘ସିଏମସି’ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା । ଏନେଇ ମଧ୍ୟ ଗତ ଜୁଲାଇ ୨୫ ତାରିଖରେ ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ତେବେ ବହୁ ସ୍ଥାନରେ ରାସ୍ତାଘାଟ, ନାଳ ଉପର ଜବରଦଖଲରେ ରହିଥିବା ନେଇ ଆଡଭୋକେଟ କମିଟି ଅଭିଯୋଗ କରିବା ସହ ହାଇକୋର୍ଟଙ୍କୁ ରିପୋର୍ଟରେ ଦର୍ଶାଇଛି । ଆଡଭୋକେଟ କମିଟି ଗତ ଅଗଷ୍ଟ ୩ ତାରିଖରେ ଯେଉଁ ରିପୋର୍ଟ ଦାଖଲ କରିଥିଲେ ,ସେଥିରେ ଦର୍ଶାଇଥିଲେ କି,ବାଦାମବାଡ଼ି-ଶଙ୍କରପୁର ପୂଜା କମିଟି ପାଖ, ପାଲାମଣ୍ଡପ ତାରିଣୀ ମନ୍ଦିର, ଏଲଆଇସି କଲୋନୀକୁ ସଂଯୋଗ କରୁଥିବା ରାସ୍ତାକଡରେ ଥିବା ତ୍ରିନାଥ ମନ୍ଦିର ନିକଟରେ ଜବରଦଖଲ ରହିଛି । ସେହିପରି ବାଦାମବାଡ଼ି-ଲିଙ୍କରୋଡ୍ ରାସ୍ତାର ‘ଏଚଡିଏଫସି ବ୍ୟାଙ୍କ’ ନିକଟ ଡ୍ରେନ ଉପରେ ଅଳିଆ ଜମା ହୋଇ ରହିଛି । ବହୁ ଦିନ ହେବ ଏହି ଡ୍ରେନ୍ ଯେପରି ସଫେଇ ହୋଇନାହିଁ ।
ସିଏମସି କର୍ତ୍ତୃପକ୍ଷ କୋର୍ଟଙ୍କୁ କଣ ପ୍ରତିଶୃତି ଦେଲେ !
ସିଏମସି ଡେପୁଟି କମିସନର ଭର୍ଚୁଆଲ ମାଧ୍ୟମରେ ଖଣ୍ଡପୀଠଙ୍କ ନିକଟରେ ହାଜର ହୋଇଥିଲେ ଏବଂ ଦର୍ଶାଇଥିଲେ ଯେ ତ୍ରିନାଥ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ରିପୋର୍ଟରେ ଥିବା ଅନ୍ୟ ସ୍ଥାନଗୁଡ଼ିକରୁ ଖୁବଶୀଘ୍ର ଜବରଦଖଲ ହଟାଯିବ । ଏହି ଡ୍ରେନ୍ ସଫେଇ ଓ ସ୍ଲାବ ପକାଇବା ପ୍ରସଙ୍ଗରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସଂକ୍ରାନ୍ତରେ ଅବଗତ କରିବାକୁ ସିଏମସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ନୂଆବଜର- ଓଏମପି ରାସ୍ତାରେ ଉଚ୍ଛେଦ କରାଯାଇଥିବା ସ୍ଥାନରେ ପୁଣି ଯେପରି ଜବରଦଖଲ ଗଢି ନଉଠେ ତାହା ସୁନିଶ୍ଚିତ କରିବା ପାଇଁ ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଅନୁଧ୍ୟାନ ପାଇଁ ଜଣେ ଏଏସଆଇଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି:-
ଜୁଲାଇ ୨୫ର ନିର୍ଦ୍ଦେଶ ପାଳନ କରି ଡିସିପିଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ,ବାଦାମବାଡ଼ି ଥାନାର ଆଇଆଇସି ଜଣେ ଏଏସଆଇଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ବ ଦେଇଛନ୍ତି । ଜବରଦଖଲ ମୁକ୍ତ ପ୍ରସଙ୍ଗ ଅନୁଧ୍ୟାନ କରିବା ଓ ପୁଣି ଯେପରି ଜବରଦଖଲ ଗଢି ନଉଠେ ତାହା ନୋଡାଲ ଅଫିସର ତଦାରଖ କରିବେ । ବାଦାମବାଡ଼ି-ଲିଙ୍କରୋଡ୍, ଦୋଳମୁଣ୍ଡାଇ-ଛତ୍ରବଜାର, ବାଦାମବାଡ଼ି-ଖାନନଗର ରାସ୍ତା ଉପରେ ନୋଡାଲ ଅଫିସର ନଜର ରଖିବେ ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା । ଏହି ସତ୍ୟପାଠର କପି ହାଇକୋର୍ଟ ବାର୍ ଆସୋସିଏସନ ସଭାପତିଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ଉପରେ ପରବର୍ତ୍ତୀ ଶୁଣାଣି ସମୟରେ ବାର୍ ସଭାପତି ପକ୍ଷ ରଖିବେ ବୋଲି ହାଇକୋର୍ଟ କହିଛନ୍ତି ।
ରେଭେନ୍ସା ମୁଖ୍ୟ ଫାଟକରୁ ଛତ୍ରବଜାର କଲଭର୍ଟ ଜବରଦଖଲ ଉଚ୍ଛେଦ ହେବ !
ରେଭେନ୍ସା ବିଶ୍ବବିଦ୍ୟାଳୟର ମୁଖ୍ୟଫାଟକ ଠାରୁ ଛତ୍ରବଜାର କଲଭର୍ଟ ପର୍ଯ୍ୟନ୍ତ ପିଲିଗ୍ରିମ୍ ରୋଡର ଡ୍ରେନ ଉପରେ ଥିବା ସମସ୍ତ ଜବରଦଖଲ ଉଚ୍ଛେଦ କରିବା ପାଇଁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଡିସିପି ଆବଶ୍ୟକ ପୋଲିସ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବେ । ପରବର୍ତ୍ତୀ ଶୁଣାଣି ସମୟରେ ସିଏମସି ତରଫରୁ ଜବରଦଖଲ ଉଚ୍ଛେଦ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରାଯିବ ।
ଶୁଣାଣିରେ ଉଠିଲା ସହରର ପାର୍କିଂ ପ୍ରସଙ୍ଗ:-
ସିଏମସି ପକ୍ଷରୁ ସତ୍ୟପାଠ ମାଧ୍ୟମରେ କଟକ ସହରରେ ରହିଥିବା ପାର୍କି ସ୍ଥାନଗୁଡ଼ିକ ସଂକ୍ରାନ୍ତରେ ତଥ୍ୟ ଦାଖଲ କରାଯାଇଥିଲା । ଏଥିରେ ୨୦ଟି ପାର୍କିଂ ସ୍ଥାନ ଓ ତିନୋଟି ଟ୍ୟାକ୍ସି ଷ୍ଟାଣ୍ଡର ତାଲିକା ରହିଥିଲା । ସିଏମସି ଦ୍ବାରା ଚିହ୍ନଟ କରାଯାଇଥିବା ପାର୍କିଂ ସ୍ଥାନକୁ କେତେକ ଅନୁଷ୍ଠାନ ବ୍ୟବହାର କରୁଥିବାରୁ ଜନସାଧାରଣ ଆଉ ସମ୍ପୃକ୍ତ ସ୍ଥାନରେ ଗାଡ଼ି ରଖି ପାରୁନାହାନ୍ତି ବୋଲି ହାଇକୋର୍ଟ ବାର୍ ସଭାପତି ବିଜୟ କୁମାର ଦାଶ ଦର୍ଶାଇଛନ୍ତି ।