କଟକ: ସହର ସମସ୍ୟାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ଓଡିଶା ହାଇକୋର୍ଟ । ଏ ସମ୍ପର୍କିତ ମାମଲାର ଶୁଣାଣି କରି କୋର୍ଟ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ବାଲିଯାତ୍ରାର ଉଭୟ ପଡିଆରେ ପଡି ରହିଥିବା ଆବର୍ଜନା ପ୍ରସଙ୍ଗକୁ ନେଇ କୋର୍ଟ ଗଭୀର ଅସନ୍ତୋଷ ଜାହିର କରିଛନ୍ତି । ଗତ ଶନିବାର ଦିନ ଠାରୁ ବାଲିଯାତ୍ରା ସରିଥିଲେ ବି କାହିଁକି ପଡ଼ିଆ ସଫା ହୋଇନାହିଁ । କେବେ ସୁଦ୍ଧା ସଫା କାମ ସରିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।
୨ ଦିନ ମଧ୍ୟରେ ବାଲିଯାତ୍ରା ପଡ଼ିଆରୁ ଆବର୍ଜନା ସଫା:
ତେବେ କଟକ ଜିଲ୍ଲାପାଳ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କଟକ ଜିଲ୍ଲାପାଳ ଦତାତ୍ରେୟ ଭାଉସାହେବ ସିନ୍ଦେ ଭର୍ଚୁଆଲ ମାଧ୍ୟମରେ କୋର୍ଟରେ ଉପସ୍ଥିତ ହୋଇଥିଲେ । କେବେ ସୁଦ୍ଧା ଉଭୟ ପଡ଼ିଆରୁ ଆବର୍ଜନା ଉଠିବ ବୋଲି କୋର୍ଟ ଜିଲ୍ଳାପାଳଙ୍କୁ ପ୍ରଶ୍ନ କରିଥିଲେ । ଆସନ୍ତା ୨ ଦିନ ମଧ୍ୟରେ (୩୦ ତାରିଖ) ସୁଦ୍ଧା ଉଭୟ ପଡ଼ିଆରୁ ଆବର୍ଜନା ସଫା କାମ ଶେଷ ହେବ । ସେହିପରି ଯେଉଁ ଷ୍ଟଲ ଗୁଡିକ ରହିଛି, ସେଗୁଡିକ ମଧ୍ୟ ଏହି ସମୟ ମଧ୍ୟରେ ହଟାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ତେବେ କୋର୍ଟ କହିଛନ୍ତି ୩୦ ତାରିଖ ସୁଦ୍ଧା ସଫା କାର୍ଯ୍ୟ ସରିଲେ ଡିସେମ୍ବର ୨ ତାରିଖରେ ଆଡଭୋକେଟ କମିଟି ଉଭୟ ପଡ଼ିଆର ସମୀକ୍ଷା କରିବେ ।
କେବେ ସୁଦ୍ଧା ଷ୍ଟ୍ରୀଟ ଲାଇଟ କାମ ଶେଷ:
ଷ୍ଟ୍ରୀଟ ଲାଇଟକୁ ନେଇ କଟକ ସହରରେ ଅନେକ ସମସ୍ୟା ଦେଖା ଦେଇଛି । ସହରର ଅନେକ ସ୍ଥାନରେ ଷ୍ଟ୍ରୀଟ ଲାଇଟ ନାହିଁ । ବିଶେଷକରି ଯୋବ୍ରା ଠାରୁ ବିରିବାଟୀ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଆଲୋକୀକରଣ ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି । ଏହି କ୍ରମରେ କାମ କେତେବାଟ ଆଗେଇଛି ବୋଲି କୋର୍ଟ ଜାଣିବାକୁ ଚାହିଁଥିଲେ । ସିଏମସିକୁ ଏହି ଷ୍ଟ୍ରୀଟ ଲାଇଟ କାମ କରିବାକୁ ଦାୟିତ୍ୱ ଦିଆଯାଇଛି । ୨ କୋଟି ୮୨ ଲକ୍ଷ ଟଙ୍କାର ଏହି କାର୍ଯ୍ୟ ପାଇଁ ଟେଣ୍ଡର କରାଯାଇଛି । ଆସନ୍ତା ଏପ୍ରିଲ ୧୫ ତାରିଖ ସୁଦ୍ଧା ସହରର ସମସ୍ତ ସ୍ଥାନରେ ଷ୍ଟ୍ରୀଟ ଲାଇଟ କାମ ସରିବ ବୋଲି କୋର୍ଟଙ୍କୁ ଅବଗତ କରାଯାଇଛି ।
ମଶାଙ୍କ ପ୍ରାଦୁର୍ଭାବକୁ ନେଇ ଏମିତି କହିଲେ କୋର୍ଟ:
କଟକ ସହରରେ ମଶାଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ସ୍ଥିତି ଏମିତି କି କଟକର କୌଣସି ସ୍ଥାନରେ କେହି ଖାଲି ଦେହରେ ଛିଡା ହେବା ସମ୍ଭବ ହେଉ ନାହିଁ । ସନ୍ଧ୍ୟା ୫ଟା ହେଲେ ଘେରେ ମଶାଙ୍କ ଆସର ଜମୁଛି । ଘରର କବାଟ ଖୋଲିବା ବି ମୁସ୍କିଲ ହୋଇ ପଡୁଛି । ଘରର ୩ ମହଲାକୁ ବି ମଶା ଚାଲିଯାଉଛନ୍ତି । କେବଳ ସେତିକି ନୁହେଁ ବରଂ ପାଟି ଖୋଲିଲେ ମଶା ପଶି ଯାଉଛନ୍ତି ବୋଲି କୋର୍ଟ, ସହର ସମ୍ପର୍କିତ ମାମଲାର ଶୁଣାଣି କରି କହିଛନ୍ତି । ମଶା ନିୟନ୍ତ୍ରଣ ପାଇଁ କ'ଣ କ'ଣ ପଦକ୍ଷେପ ନେଉଛ ବୋଲି କୋର୍ଟ ସିଏମସି କମିଶନର ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ଏହି ସମୟରେ ଆଡ଼ଭୋକେଟମାନେ ମଧ୍ୟ ଅସନ୍ତୋଷ ଜାହିର କରିଥିଲେ । ସହରର କୌଣସି ସ୍ଥାନରେ ମଶା ତେଲ ପକାଯାଉନାହିଁ କିମ୍ବା ଧୂଆଁ ବି ଦିଆ ଯାଉନାହିଁ । ବୁସ କଟିଂ ବି କରାଯାଉ ନାହିଁ । ଏନେଇ ଜବାବ ରଖିବାକୁ କୋର୍ଟ ସିଏମସି ସ୍ୱସ୍ଥ୍ୟ ଅଧିକାରୀଙ୍କୁ କହିଛନ୍ତି ।