ଭୁବନେଶ୍ବର:ରାଜ୍ୟରେ ଅଙ୍ଗ କିମ୍ବା ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଶରୀର ଦାନ ପାଇଁ ରହିଛି ନିୟମ । ହେଲେ ସାଧାରଣ ଲୋକଙ୍କ ମଧ୍ୟରେ ଏ ସମ୍ପର୍କରେ ଉଚିତ ସଚେତନତା ନାହିଁ । ଯେଉଁ ପରିମାଣରେ ଅଙ୍ଗ ଓ ଶରୀର ଦାନ ହେବା କଥା, ସେହି ଅନୁସାରେ ହେଉନାହିଁ । ଫଳସ୍ବରୂପ ରାଜ୍ୟର ମେଡିକାଲ କଲେଜଗୁଡିକରେ ମେଡିକାଲ ପାଠପଢା ଓ ଗବେଷଣା ପାଇଁ ମାନବ ଶରୀର ଅଭାବ ରହିଛି । କିନ୍ତୁ ଏପଟେ ମୃତ୍ୟୁ ପରେ ଜଣେ ବ୍ୟକ୍ତିଙ୍କର ଶରୀର ଦାନ କରିବା ପାଇଁ ହେଲେ, କ’ଣ କରିବାକୁ ପଡିବ ଓ ଏନେଇ କଣ ପ୍ରକ୍ରିୟା ରହିଛି ସେନେଇ ବିସ୍ତୃତ ଭାବରେ କହିଛନ୍ତି ଅତିରିକ୍ତ ‘ଡିଏମଇଟି’ ଡାକ୍ତର ଉମାକାନ୍ତ ଶତପଥୀ ।
- କିଭଳି କରିବେ ଶରୀର ଦାନ:-
ଶରୀରର ଦାନ ପାଇଁ ଏକ ଫର୍ମ ରହିଛି । ଯେଉଁଥିରେ ପରିବାର ବର୍ଗଙ୍କ ନୋମିନ ରହିବା ବାଧ୍ୟତାମୂଳକ ଆବଶ୍ୟକ । ଯଥା ଯଦି ସ୍ଵାମୀଙ୍କ ଶରୀର ଦାନ କରିବାକୁ ଚାହୁଁଛନ୍ତି, ତେବେ ବାପା-ମାଆ, ପତ୍ନୀ ଓ ପିଲାଙ୍କ ନୋମିନୀ ରହିବା ଆବଶ୍ୟକ । ଯଦି ପତ୍ନୀ ଶରୀରର ଦାନ କରିବାକୁ ଚାହୁଛନ୍ତି, ତେବେ ସେହି କ୍ଷେତ୍ରରେ ମଧ୍ୟ ବାପା-ମା, ସ୍ଵାମୀ ଓ ପିଲାମାନଙ୍କ ସହ ଗୋଟିଏ ଆଫିଡେପିଟି କରିବା ଆବଶ୍ୟକ । ଏହି କ୍ଷେତ୍ରରେ ସର୍ବାଧିକ ଦୁଇ ଜଣ ହି ନୋମିନ ରହିପାରିବେ । ଏହା ସହ ଫଟୋ ଏବଂ ସଂପୂର୍ଣ୍ଣ ତଥ୍ୟ ମଧ୍ୟ ରହିବା ଆବଶ୍ୟକ । ସେହିପରି ବଞ୍ଚିଥିବା ସମୟରେ ଯଦି କୌଣସି ବ୍ୟକ୍ତି ଶରୀରର ଦାନ ପାଇଁ ଇଚ୍ଛା ପ୍ରକାଶ କରିଥିବ ତେବେ ଉକ୍ତ ବ୍ୟକ୍ତିଙ୍କୁ ଏକ କାର୍ଡ ଦିଆଯାଇଥିବ । ଯାହା ଫଳରେ ପରିବାର ଲୋକ ଚାହିଁଲେ ଶରୀର ଦାନ କରିପାରିବେ ବୋଲି ଏମ୍ସର ଅନାଟୋମୀକ ବିଭାଗର ପ୍ରଫେସର କହିଛନ୍ତି ।
- ମୃତ୍ୟୁ ହେବାର କେତେ ସମୟ ମଧ୍ୟରେ ଶରୀର ଦାନ କରିପାରିବେ:-
ସାଧାରଣତଃ ମୃତ୍ୟୁ ହେବାର ୧୦ ଘଣ୍ଟା ମଧ୍ୟରେ ଶରୀର ଦାନ କରିବା ଆବଶ୍ୟକ । ଯେତେବେଳେ ଶରୀର ସଠିକ ଭାବରେ ରହିଥିବ । ଶରୀରରେ କୌଣସି ସ୍ଥାନରେ କିଛି ଅପରେସନ ହୋଇନଥିବ ବା ବ୍ୟବଚ୍ଛେଦ ମଧ୍ୟ ହୋଇନଥିବ । ତେବେ ମୃତ ଶରୀରରକୁ ଯେ କୌଣସି ମେଡିକାଲ କଲେଜକୁ ଦାନ କରିପାରିବାର ନିଷ୍ପତ୍ତିଗତ ସୁବିଧା ରହିଛି ।
ମେଡିକାଲ କଲେଜକୁ କେତେ ମୃତଶରୀର ଆବଶ୍ୟକ:
ରାଜ୍ୟରେ ଥିବା ସମସ୍ତ ମେଡିକାଲ କଲେଜକୁ ପିଲାଙ୍କ ପାଠ ପଢା ପାଇଁ ମୃତଶରୀରର ଆବଶ୍ୟକତା ରହିଛି । କିନ୍ତୁ ଯାହା ଜଣାପଡୁଛି, ବର୍ତ୍ତମାନ ସମୟରେ ମେଡିକାଲ ପାଠ୍ୟକ୍ରମ ଓ ରିସର୍ଚ୍ଚ ପାଇଁ ମୃତଶରୀରର ବହୁମାତ୍ରାରେ ଅଭାବ ପଡୁଛି । ‘ଏମ୍ସ’କୁ ପୂର୍ବରୁ ବର୍ଷକୁ ୧୦ଟି ପାଖାପାଖି ମୃତ ଶରୀରର ଦାନ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ୫ ରୁ ୮ ଟି ଆସୁଛି । ଯେତିକି ମେଡିକାଲ କଲେଜ ଅଛି, ସେହି ଅନୁସାରେ ଅଧିକରୁ ଅଧିକ ଶରୀରର ଦାନ ଆବଶ୍ୟକ ପଡୁଛି ବୋଲି ଏମ୍ସର ଅନାଟୋମୀକ ବିଭାଗର ପ୍ରଫେସର। ।