ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଘାରିଲାଣି ଅଂଶୁଘାତ ଭୟ । ଅଂଶୁଘାତରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି । ମୃତକ ଜଣକ ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳର ଲକ୍ଷ୍ମୀକାନ୍ତ ସାହୁ ବୋଲି ଜଣାପଡ଼ିଛି । ଆକ୍ରାନ୍ତ ହୋଇଥିବା ୭୧ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଆକ୍ରାନ୍ତ ହୋଇଥିବା ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, "ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଓ ହିଟ୍ ରିଲେଟେଡ ଇଲନେସରେ ୭୧ ଜଣ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୟୂରଭଞ୍ଜରୁ ୭, ଅନୁଗୋଳରୁ ୭ ଜଣ ଅଂଶୁଘାତଜନିତ ସମସ୍ୟା ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିପରି କ୍ୟାପିଟାଲ ହସ୍ପିଟାଲରେ ୬ ଜଣ ଚିକିତ୍ସିତ ହୋଇଛନ୍ତି ।"
ଅଂଶୁଘାତ ପାଇଁ ସତର୍କ ରହିବାକୁ ସବୁ ଡାକ୍ତରଖାନାକୁ କୁହାଯାଇଛି । ଏନେଇ ଜିଲ୍ଲା ହସ୍ପିଟାଲ, CHC, PHC ଗୁଡିକରେ ବେଡ୍ ବ୍ୟବସ୍ଥା ସହ ଆବଶ୍ୟକୀୟ ମେଡ଼ିସିନ ପ୍ରସ୍ତୁତ ରଖାଯାଇଛି । ହିଟ୍ କ୍ରାମ୍ପସ, ହିଟ୍ ଷ୍ଟ୍ରୋକସର ଶିକାର ହୋଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ପାଇଁ ପ୍ରସ୍ତୁତ ଅଛନ୍ତି ହସ୍ପିଟାଲ । ଅଂଶୁଘାତ ହେଲେ ଜିଭ ଶୁଖିଯିବା, ବାନ୍ତି ଲାଗିବା, ବ୍ଲଡ ପ୍ରେସର କମିବା, ଦେହ ହାତ ଘୋଳା ବିନ୍ଧା ହେବା, ଗମଗମ ଝାଳ ବୋହିବା ଭଳି ଲକ୍ଷଣ ଦେଖାଦେବ । ଅଂଶୁଘାତ ଚିକିତ୍ସା ପାଇଁ ନିକଟରେ ୩ ଦିନ ଧରି ଶିଶୁରୋଗ ଓ ମେଡିସିନ ବିଭାଗ ଡାକ୍ତରମାନଙ୍କୁ ଟ୍ରେନିଂ ଦିଆଯାଇଛି ।