ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକରେ ଅଭାବନୀୟ ଘଟଣା। ଭୋଜି ଖାଇ ୫ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣକ ତୃତୀୟ ଶ୍ରେଣୀର ସୌଦାମିନୀ ମାରାଣ୍ଡି । ଅନ୍ୟ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ସାରସକଣା ବ୍ଲକରେ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିଲା । ଏନେଇ ପାନ୍ଧଡା ଗ୍ରାମ ସ୍ଥିତ ହରିଶ୍ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର କିଛି ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହାପରେ ସେମାନେ ଦିନ ଦ୍ବିପହରରେ ସେଠାରେ ଖଟା, ମାଂସ ଓ ଭାତ ଖାଇଥିଲେ । ଏହାପରେ ସେଠାରୁ ଆସିବା ପରେ ହଷ୍ଟେଲରେ ୫ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ଏନେଇ ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସୌଦାମିନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେହପରି ଅନ୍ୟ ୪ ଛାତ୍ରୀ ଅଧିକ ଅସୁସ୍ଥ ହେବାରୁ ସେମାନଙ୍କୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ଏହି ଘଟଣାକୁ ନେଇ ମୃତ ସୌଦାମିନୀଙ୍କ ବାପା ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ,ଦାୟିତ୍ଵରେ ଥିବା ମେଟ୍ରୋନ ଜଣକ ତାଙ୍କ ଝିଅକୁ କିଛି ମେଡିସିନ ଖାଇବାକୁ ଦେଇଥିଲେ । ତାପରେ ସେ ହଷ୍ଟେଲରୁ ଅନ୍ୟତ୍ର ପଳାଇ ଯାଇଥିଲେ। ହଷ୍ଟେଲରେ ଝିଅ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ ସୁଦ୍ଧା ପରିବାର ଲୋକଙ୍କୁ ଖବର ଦେଇ ନଥିଲେ କିମ୍ବା ନିକଟସ୍ଥ ମେଡିକାଲକୁ ମଧ୍ୟ ନେଇ ନଥିଲେ। ତେଣୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଝିଅର ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ସୌଦାମିନୀଙ୍କ ବାପା । ସେପଟେ ଏ ସମ୍ପର୍କରେ ଅବଗତ ହେବା ପରେ ମୟୂରଭଞ୍ଜ ଏସପି ଏସ ସୁଶ୍ରୀ ଓ ଜିଲ୍ଲାପାଳ ଆଶିଷ ଠାକରେ ମେଡିକାଲକୁ ଯାଇ ମୃତକଙ୍କ ପରିବାରକୁ ଭେଟିବା ସହ ଅସୁସ୍ଥ ଅନ୍ୟ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ । ତେବେ ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।