ଭୁବନେଶ୍ବର: ଥାନାରେ ପହଞ୍ଚିଲା ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ବିଭୁକିଶୋରଙ୍କ ପାରିବାରିକ କଳି । କଣ୍ଠଶିଳ୍ପୀ ବିଭୁକିଶୋର, ତାଙ୍କ ପତ୍ନୀ ତଥା ଓଡ଼ିଆ ଅଭିନେତ୍ରୀ ରାକ୍ଷୀ ଦାସ, ବିଭୁକିଶୋରଙ୍କ ମାଆ ଓ ଜଣାଶୁଣା କଣ୍ଠଶିଳ୍ପୀ ପମି ଖାରବେଳ ନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି । ବିଭୁକିଶୋରଙ୍କ ବଡ଼ଭାଇ ପୀୟୁଷ ଦାସଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ପୀୟୁଷଙ୍କ ବିରୋଧରେ ଏନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ।
ବିଭୁକିଶୋରଙ୍କ ବଡ଼ ଭାଇ ପୀୟୁଷ ଦାସ ବିଭିନ୍ନ ସମୟରେ ବିଭୁଙ୍କ ପତ୍ନୀ ତଥା ଅଭିନେତ୍ରୀ ରାକ୍ଷୀ ଦାସଙ୍କୁ ଆକ୍ରମଣ ସହ ଅନେକ ସମୟରେ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ଅସଦାଚାରଣର ଅଭିଯୋଗ ମଧ୍ୟ ଆଣିଛନ୍ତି ରାକ୍ଷୀ । ଏହା ସହିତ ବିଭୁକିଶୋରଙ୍କ ଘରେ ଭଡ଼ା ରହୁଥିବା ପ୍ରସିଦ୍ଧ କଣ୍ଠଶିଳ୍ପୀ ପମି ମିଶ୍ରଙ୍କୁ ମଧ୍ୟ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି ପୀୟୁଷ । ଏହାକୁ ନେଇ ସୋମବାର ଉଭୟ ରାକ୍ଷୀ ଦାସ ଓ ପମି ମିଶ୍ରଙ୍କ ସମେତ ବିଭୁକିଶୋରଙ୍କ ମାଆ ମଧ୍ୟ ଥାନାର ଦ୍ବାରସ୍ଥ ହୋଇଛନ୍ତି ଆଉ ନ୍ୟାୟ ଭିକ୍ଷା କରିଛନ୍ତି । ତେବେ ପମି ମିଶ୍ରଙ୍କ କହିବା ମୁତବକ, ଗତକାଲି ସେ ସିସିଟିଭି ଲଗାଉଥିବା ସମୟରେ ପୀୟୁଷ ପୁଣି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଥିଲେ । ଜମି ଓ ଘର ବିବାଦକୁ ନେଇ ପୀୟୁଷ ବାରମ୍ବାର ଏଭଳି କରୁଥିବା କହିଛନ୍ତି ବିଭୁକିଶୋରଙ୍କ ପତ୍ନୀ ଅଭିନେତ୍ରୀ ରାକ୍ଷୀ ଦାସ ।