ଭୁବନେଶ୍ବର:ଓଡ଼ିଶା ଉପକୂଳ ସୁରକ୍ଷାକୁ କଡ଼ାକଡ଼ି କରିବାକୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଆସୁଛି ଅତ୍ୟାଧୁନିକ ବୋଟ୍ । ଉପକୂଳ ଜଗିବା ପାଇଁ ମାନବ ସମ୍ବଳ ବଢ଼ାଇବା ସହ ପ୍ରାଶାସନିକ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହାର ପ୍ରଥମ ପାହାଚ ସଦୃଶ ଜାନୁୟାରୀ ୨୬ ତାରିଖରେ ଉପକୂଳ ନିକଟବର୍ତ୍ତୀ ଟାପୁ (ଛୋଟ ଦ୍ବୀପ)ଗୁଡିକରେ ଉଡ଼ିବାକୁ ଯାଉଛି ଜାତୀୟ ପତାକା । ଏନେଇ ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ ସୂଚନା ଦେଇଛନ୍ତି ।
ଡିଜି କହିଛନ୍ତି,"ଉପକୂଳ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଓଡ଼ିଶା ଉପକୂଳର ୪୮୦ କି.ମି ଅଞ୍ଚଳକୁ ଡ୍ରୋନ ସର୍ଭିଲାନ୍ସ ସରିଛି । ପ୍ରାଥମିକ ପର୍ଯ୍ୟାୟରେ ଓଡିଶା ଉପକୂଳ ସୀମାବର୍ତ୍ତୀ କିଛି ଟାପୁ ଠାବ କରାଯାଇଛି । ୬୨ଟି ଟାପକୁ ଡ୍ରୋନ ସର୍ଭିଲାନ୍ସ ବେଳେ ଚିହ୍ନଟ ହେବା ପରେ ସେସବୁ ସ୍ଥାନକୁ ପୋଲିସ ପହଞ୍ଚି ଯାଞ୍ଚ କରିଛି । ଆସନ୍ତା ୨୬ ଜାନୁଆରୀରୁ ସେଠାରେ ଭାରତୀୟ ପତାକା ଉତ୍ତୋଳନ ପାଇଁ ପୋଲିସ ପ୍ରଶାସନ ଜରିଆରେ ପ୍ରୟାସ ଚାଲିଛି । ଯାହାଦ୍ବାରା ଅନୁପ୍ରବେଶ ଉପରେ ଏକ ପ୍ରକାର ଭୟ ସୃଷ୍ଟି ହେବ । "ସାମୁଦ୍ରିକ ପଥ ଦେଇ ଅନେକ ବାଂଲାଦେଶୀ ମତ୍ସ୍ୟଜୀବୀ ସୀମା ପାର କରି ଭାରତୀୟ ସୀମା ତଥା ବିଶେଷ ଭାବେ ଓଡ଼ିଶା ଉପକୂଳ ସୀମାରେ ପ୍ରବେଶ କରୁଛନ୍ତି । ଫଳରେ ଦେଶରେ ଏକ ପ୍ରକାର ଅନୁପ୍ରବେଶ ଭୟ ରହୁଛି । ଯାହାକୁ ନେଇ ଉପକୂଳ ସୁରକ୍ଷା ଏକ ଚିନ୍ତାଜନକ ବିଷୟ ହୋଇଛି ।
ଆକାଶ ମାର୍ଗରୁ ଓଡିଶା ଉପକୂଳର ଫଟୋ ଚିତ୍ର (ETV Bharat odisha) - ରାଜ୍ୟ ସରକାରଙ୍କ ପକ୍ଷରୁ ଡଙ୍ଗା:
ଉପକୂଳ ସୁରକ୍ଷାକୁ ଦୃଷ୍ଟିରେ ରଖି ସାମୁଦ୍ରିକ ଉପକୂଳବର୍ତ୍ତୀ ଥାନାର ମାନବ ସମ୍ବଳ ବଢ଼ାଇବା ସହ ସେମାନଙ୍କୁ ଅତ୍ୟାଧୁନିକ ବୋଟ୍ ବା ପାଟ୍ରୋଲିଂ ପାଇଁ ବୋଟର ଆବଶ୍ୟକ ପଡୁଛି । 6ଟି ଉପକୂଳବର୍ତ୍ତୀ ଜିଲ୍ଲାର ୪୮୦ କି.ମି ଅଞ୍ଚଳ ଉପରେ ନଜର ରଖିବା ପୋଲିସ ପାଇଁ ଚାଲେଞ୍ଜିଂ ହୋଇଛି । ଏନେଇ ପ୍ରାଥମିକ ପର୍ଯ୍ୟାୟରେ ଡ୍ରୋନ ସର୍ଭେ ପରେ ଏବେ ଭଡ଼ା ଆକାରରେ କିଛି ଡ଼ଙ୍ଗା ରାଜ୍ୟ ସରକାରଙ୍କ ପକ୍ଷରୁ ଅଣାଯାଉଛି । ବିଶେଷ କରି ଯେଉଁ ସବୁ ଟାପୁ ରହିଛି, ଯାହାକି ଉପକୂଳଠାରୁ ସାମୁଦ୍ରିକ ଉପଦ୍ବୀପ ଭାବେ ଓଡ଼ିଶା ଉପକୂଳ ସୀମାରେ ରହିଛି । ସେଠାରେ କିଭଳି ପୋଲିସର ୨୪ ଘଣ୍ଟିଆ ନଜର ରହିପାରିବ, ସେଥିପାଇଁ ପ୍ରୟାସ କରାଯିବ ବୋଲି ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଉପକୂଳରେ ଥିବା ସାମୁଦ୍ରିକ ଗଭୀରତା ଦେଖି ବିଭିନ୍ନ ଉନ୍ନତମାନର ବୋଟ ବା ଜେଟି ସହ ଫାଷ୍ଟ ଇଣ୍ଟରସେପ୍ଟର ମଧ୍ୟ ଆଣିବାକୁ ଯୋଜନା ଚାଲିଛି । 62ଟି ଉପଦୀପ ସମେତ 480 କିମି ସାମୁଦ୍ରିକ ସୀମାକୁ ଜଗିବା ପାଇଁ ଗଭୀର ସମୁଦ୍ରରେ ପାଟ୍ରୋଲିଂ ପାଇଁ ସ୍ବତନ୍ତ୍ର ବୋଟ ଡିପ୍ ଭେସେଲ ଓ କମ ଗଭୀର ଥିବା ଅଞ୍ଚଳରେ ପାଟ୍ରୋଲିଂ ପାଇଁ ଆଣିବା ନେଇ ଯୋଜନା ଚାଲିଛି । ସର୍ଭେ ଅନୁସାରେ ସେସବୁ ମେସିନ ବୋଟ ଓ ଜେଟି ପାଇଁ ଏକ ସ୍ବତନ୍ତ୍ର ଭାବେ ସର୍ଭେ ଜାରି ରହିଛି । ଏବେ ୧୮ଟି ଥାନା ଅଞ୍ଚଳରେ ମାତ୍ର ୧୫ଟି ବୋଟ ରହିଛି । ଖୁବଶୀଘ୍ର ଭଡ଼ାଟିଆ ଡଙ୍ଗା, ଚାଳକ, ବନବିଭାଗ ଅଧିକାରୀ ଓ କଷ୍ଟମ ଅଧିକାରୀଙ୍କ ଜରିଆରେ ଆଗକୁ ଆହୁରି ପାଟ୍ରୋଲିଂ କଡାକଡି କରାଯିବା ନେଇ ପ୍ରୟାସ ଚାଲିଛି।
ଓଡିଶା ଉପକୂଳରେ ଥିବା କିଛି ଟାପୁର ଏରିଏଲ ଫଟୋ (ETV Bharat odisha) - ସାମୁଦ୍ରିକ ଅଭିଜ୍ଞତା ଥିବା ଲୋକଙ୍କୁ ନିଯୁକ୍ତି:
ଦୁଇ ମାସ ମଧ୍ୟରେ ମାନବ ସମ୍ବଳ ବଢ଼ାଇବା ପାଇଁ ଯୋଜନା ଚାଲିଛି । ଏନେଇ ସାମୁଦ୍ରିକ ତଥା ତଟବର୍ତ୍ତୀ ଓ ଉପକୂଳ ଅଭିଜ୍ଞତା ଥିବା ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନେବା ପାଇଁ ଯୋଜନା ଚାଲିଛି । ପାଖାପାଖି ୩ହଜାର କର୍ମଚାରୀ ନିଯୁକ୍ତି ପାଇଁ ପ୍ରୟାସ ରହିଥିବାବେଳେ ସେଥିରେ ଅବସରପ୍ରାପ୍ତ କୋଷ୍ଟାଗାର୍ଡ କର୍ମାଚାରୀ,ପୂର୍ବତନ ସେନା କର୍ମଚାରୀ, ପୂର୍ବତନ ନୌସେନା କାର୍ମଚାରୀମାନଙ୍କୁ ନେବା ପାଇଁ ଯୋଜନା ରହିଛି ।
ଆଗକୁ ଅତ୍ୟାଧୁନିକ ଡ୍ରୋନ ମଧ୍ୟ ଆଣିବାକୁ ପ୍ରୟାସ ଚାଲିଛି । ଏବେ କିଛି ଡ୍ରୋନ ମଗାଯାଇ ସର୍ଭେ ମଧ୍ୟ ଚାଲିଛି । ବିଶେଷ କରି ଡ୍ରୋନ ପାଟ୍ରୋଲିଂ ଦ୍ବାରା ଗୋଟିଏ ସମୟରେ ୧୦ କିମି ବ୍ୟାସାର୍ଦ୍ଧ ଞ୍ଚଳରେ ତୁରନ୍ତ ଗତିବିଧି ଉପରେ ନଜର ରଖି ହେବ। ଅର୍ଥାତ୍ ଡଙ୍ଗା ବା ବୋଟ ପହଞ୍ଚିବା ପୁର୍ବରୁ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରହିବ। କିଛି ସାମୁଦ୍ରିକ ଥାନାର କର୍ମଚାରୀଙ୍କୁ ଏନେଇ ଟେକ୍ନୋଲୋଜି ତାଲିମ ମଧ୍ୟ ଦେବା ପାଇଁ ପ୍ରୟାସ ଚାଲିଛି । ଯାହାଦ୍ବାରା ନାଭିଗେସନ, କୋର୍ଡିନେସନ ଓ ସାମୁଦ୍ରିକ ପଥରେ ଗତିବିଧି ଆଦି କିପରି ସଠିକ ଭାବେ ଆକଳନ ହୋଇପାରିବ ସେନେଇ ଯୋଜନା ଚାଲିଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏବେ କୋଷ୍ଟାଲ ସିକ୍ୟୁରିଟି ଅଫିସ ପୁରୁଣା କ୍ରାଇମବ୍ରାଞ୍ଚ କୋଠାରୁ ପରିଚାଳିତ ହେଉଛି । ତେଣୁ ଡ୍ରୋନ ମନିଟରିଂ ଓ କଣ୍ଟ୍ରୋଲ ରୁମ୍ କରି ଅତ୍ୟାଧୁନିକ ଅଫିସ ମଧ୍ୟ ପାଇଁ ଯୋଜନା ଚାଲିଛି । ସେନେଇ ପ୍ରଶାସନିକ ନିଷ୍ପତ୍ତି ବାକି ରହିଛି ସୁବିଧା ମିଳିଲେ ସ୍ବତନ୍ତ୍ର କାର୍ଯ୍ୟାଳୟ କୋଠା ପାଇଁ ମଧ୍ୟ ପ୍ରୟାସ ରହିବ ।
ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି ଖୁରାନିଆ (ETV Bharat odisha) ପୂର୍ବରୁ ଅନେକ ଥର କଷ୍ଟମସ, ଷ୍ଟେଟ ମେରାଇନ ପୋଲିସ ଷ୍ଟେସନ,ଫରେଷ୍ଟ ଆଦି ମିଳିତ ପ୍ରୟାସରେ ଅପରେସନ ‘ହମଲା-୨’, ଅପରେସନ ଗଣ୍ଟଲେଟ, ଅପରେସନ ରକ୍ଷକ, ଅପରେସନ ହମଲା ଭଳି ଅନେକ ସମରାଭ୍ୟାସ ବା ସାମୁଦ୍ରିକ ଅଭ୍ୟାସ ବା ମକଡ୍ରିଲ କରାଯାଇଛି । ଯେପରି ସାମୁଦ୍ରିକ ପଥ ଦେଇ କୌଣସି ଅପ୍ରୀତିକର ବା ଆତଙ୍କୀ କାର୍ଯ୍ୟକଳାପ ରୋକିବା ପାଇଁ ଏଭଳି ଅଭ୍ୟାସ ଆଗାମୀ ଦିନରେ ସହାୟକ ହେବ । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଉପକୂଳ ସୁରକ୍ଷା ପ୍ରସ୍ତୁତି ବହୁତ ପଛରେ ରହିଛି । ଯେତିକି ଆମୁଦ୍ରିକ ଥାନା ରହିଛି ସେହି ହିସାବରେ ଥାନର ଷ୍ଟାଫ ନାହାନ୍ତି । ଯେଉଁମାନେ ବି ଅଛନ୍ତି, ସେମାନେ ଦକ୍ଷ ନାହାନ୍ତି ଏବଂ ସମୁଦ୍ରରେ ପାଟ୍ରୋଲିଂ ପାଇଁ ସେମାନେ ସକ୍ରିୟ ମଧ୍ୟ ନାହାନ୍ତି । ତେଣୁ ସେ ଦିଗରେ ସ୍ବତନ୍ତ୍ର ତାଲିମ ସହ ଦକ୍ଷ କର୍ମଚାରୀମାନଙ୍କୁ ନିୟୋଜିତ କରିବା ଦରକାର । ଯେପରିକି ଗଭିର ସମୁଦ୍ର ଉପକୂଳରୁ ୧୫ରୁ ୨୦ କି.ମି ପର୍ଯ୍ୟନ୍ତ ପାଟ୍ରୋଲିଂ କରିପାରିବେ । ଏପରିକି ଅନେକ ସ୍ଥାନରେ ସେମାନେ ବିନା ବନ୍ଧୁକରେ ପାଟ୍ରୋଲିଂ କରୁଛନ୍ତି । ଯାହାଦ୍ବାରା ସେମାନଙ୍କର ବନ୍ଧୁକ ହଜିଯିବାର ଭୟ ରହୁଛି । ଏନେଇ ରାଜ୍ୟ ପୋଲିସ ବରିଷ୍ଠ ଅଧିକାରୀ ନୌସେନା ଅଫିସର ଓ କୋଷ୍ଟଗାର୍ଡ ମିଳିତ ଭାବେ ବୈଠକ କରିବାର ଆବଶ୍ୟକତା ରହିଛି ।
ପୂର୍ବତନ ନୌସେନା ଅଧିକାରୀ କ୍ଯାପଟେନ ସରୋଜ ପ୍ରଧାନ (ETV Bharat odisha) - ମୁକୁଳା ପଡ଼ିଛି ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳ:
ସାମୁଦ୍ରିକ ସୀମା ସୁରକ୍ଷା ବିଶେଷଜ୍ଞ ତଥା ପୂର୍ବତନ ନୌସେନା ଅଧିକାରୀ କ୍ୟାପଟେନ୍ ସରୋଜ ପ୍ରଧାନ ରାଜ୍ୟର ଉପକୂଳ ସୀମା ମୁକୁଳା ପଡିଥିବା ଦର୍ଶାଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି,‘‘ବିଶେଷ କରି ଉପକୂଳ ଅଞ୍ଚଳର ବିଭିନ୍ନ ସ୍ତର ରହିଛି । ଯେପରିକି ପୁରୀ,ଚନ୍ଦ୍ରଭାଗା, ଗୋପାଳପୁର, ଚାନ୍ଦିପୁର ଇତ୍ୟାଦି । ସେହି ସବୁ ଉପକୂଳରୁ କମ ଦୂରତାରେ ପର୍ଯ୍ୟଟନସ୍ଥଳୀ ସମେତ ପୁରୀ, କୋଣାର୍କ ଭଳି ପର୍ଯ୍ୟଟନ ସ୍ଥାନରେ ହୋଟେଲ ସବୁ ରହିଛି, ତେଣୁ ସେସବୁ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ। ସେହିଭଳି ସମ୍ବେଦନଶୀଳ ଅଞ୍ଚଳ ଜାତୀୟ ସୁରକ୍ଷା ପାଇଁ ରହିଥିବା ରିସର୍ଚ୍ଚ ସେଣ୍ଟର ଭଳି ପୋର୍ଟ ଅନୁପ୍ରବେଶକାରୀଙ୍କ ନଜରରେ ରହିଥାଏ । ସେହିପରି ବନ୍ୟାଞ୍ଚଳ, ଖଲିସ୍ତାନ ଭଳି ସେସବୁ ସ୍ଥାନର ଗୁରୁତ୍ବ ଦେଖି ସେ ସବୁ ଅଞ୍ଚଳର ଗତିବିଧି ଉପରେ ନଜର ରଖିବା ଗୁରୁତ୍ବପୂର୍ଣ୍ଣ ଥାଏ । ସମସ୍ତ ଛୋଟ ବା ବଡ଼ ବୋଟରେ AIS (Automatic Identific System) ରହିବା ଦରକାର । AIS ସର୍ଭିଲାନ୍ସ ଦ୍ବାରା ଜାଣିହେବ ଯେ ସମୁଦ୍ର ପଥରେ କେତେ ଡଙ୍ଗା ଆମର ବା ଅନୁପ୍ରବେଶକାରୀଙ୍କର । ତେବେ ଉପକୂଳରୁ ୧୦ ନୌଟିକାଲ ପର୍ଯ୍ୟନ୍ତ ଉପକୂଳ ଥାନାର ସୁରକ୍ଷା ଦାୟିତ୍ବ । ୧୨ରୁ ୨୦୦ ନୌଟିକାଲ ମାଇଲ ପର୍ଯ୍ୟନ୍ତ କୋଷ୍ଟଗାର୍ଡ ସୁରକ୍ଷା ଦାୟିତ୍ବ । ପରେ ବାକି ଭାରତୀୟ ନାଭାଲର ସୁରକ୍ଷା ଦାୟିତ୍ବ ରହିଥାଏ। ସାରା ଦେଶରେ ୭ହଜାର ୫୭୦ କିମି ଉପକୂଳବର୍ତ୍ତି ଅଞ୍ଚଳ ରହିଥିବାବେଲେ ଓଡ଼ିଶାର ୪୮୦କିଲୋମିଟର ଅଞ୍ଚଳ ସୀମା ସହ ସଲଗ୍ନ ରହିଛି । ଏସବୁ ଟ୍ରାକ କରିବା ସୁରକ୍ଷା ପାଇଁ ମଧ୍ୟ ରାଡାର ସର୍ଭିଲାନ୍ସ ରହିଛି । ତା ସହିତ ଏୟାର ସର୍ଭିଲାନସ ମଧ୍ୟ ରହିଛି । ଏହା ସହିତ ଅଟୋମେଟିକ ଆଇଡେଣ୍ଟିଫିକେସନ ସିଷ୍ଟମ୍ ସର୍ଭିଲାନ୍ସ ମଧ୍ୟ ରହିଛି ।’’
ଇଟିଭି ଭାରତ, ଭୁବନେଶ୍ବର