ଭୁବନେଶ୍ବର:ଘନକୁହୁଡିରୁ ଏବେ ନିସ୍ତାର ମିଳିବନି । ଆହୁରି ୨ ଦିନ ପର୍ଯ୍ୟନ୍ତ ପୁଣି ଅସ୍ତବ୍ୟସ୍ତ କରିବ କୁହୁଡି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୨୪ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିପରି କିଛିଦିନ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ପାଣିପାଗି ବିଭାଗ ।
- ଘନକୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ:
ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନକୁହୁଡ଼ି ପାଇଁ ୧୪ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପିର ୨୭ରୁ ୨୮ ତାରିଖ ପାଇଁ ୧୧ ଜିଲ୍ଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର ଓ ଅନୁଗୋଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଦୃଶ୍ୟମାନର ଦୂରତା ୫୦ ମିଟରରୁ କମ୍ ରହିବ । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି ।
- ସର୍ବନିମ୍ନ ତାପମାତ୍ରା ପୂର୍ବାନୁମାନ:
ଘନକୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ସତର୍କତାର ସହ କରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ କୁହୁଡି ମାତ୍ରା ବୃଦ୍ଧି ପାଉଛି । ମୁଖ୍ୟତଃ ଭୋର ସମୟରେ ଅଧିକ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା କରାଯାଇଛି । ସେପଟେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । କିଛି ଜିଲ୍ଲାରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି ।