ଭୁବନେଶ୍ବର:ଜାତୀୟ ଯକ୍ଷ୍ମା ବିଲୋପ (NTEP) ହେଉଛି ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ । ଯେଉଁଠାରେ ଯକ୍ଷ୍ମା ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା ଏବଂ ପ୍ରତିରୋଧ ପାଇଁ ଗୁରୁତ୍ୱ ଦିଆଯାଇଛି । ଏ ଦିଗରେ ଓଡ଼ିଶା ଆଖିଦୃଶିଆ କାର୍ଯ୍ୟକ୍ରମ କରି ଏହାର ଫଳାଫଳକୁ ହ୍ରାସ କରିପାରିଛି । ତେବେ ୨୦୨୩ ଫେବୃଆରୀ ପରଠାରୁ ଭାରତ ସରକାରଙ୍କ କେନ୍ଦ୍ରୀୟ ଟିବି ଡିଭିଜନରୁ ଓଡ଼ିଶାକୁ ଆଣ୍ଟି ଟିବି ଔଷଧ ଯୋଗାଣ ପର୍ଯ୍ୟାପ୍ତ ନୁହେଁ । ଯାହାଦ୍ଵାରା ରାଜ୍ୟ ଉପରେ ସିଧାସଳଖ ଭାବରେ ପ୍ରତିକୂଳ ପ୍ରଭାବ ପକାଇଛି । ଆଣ୍ଟି ଟିବି ଔଷଧ ବଜାରରେ ଉପଲବ୍ଧ ନାହିଁ । ତେଣୁ ଏହି ଘଟଣାର ଅନୁଧ୍ୟାନ କରିବା ସହ ରାଜ୍ୟକୁ ଯକ୍ଷ୍ମା ଔଷଧର ଯୋଗାଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।
ବିଶେଷ ଭାବରେ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ସହ ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ସୁବିଧା କରୁଛନ୍ତି । ହେଲେ ଯକ୍ଷ୍ମା ଭଳି ସଂକ୍ରାମକ ରୋଗ ପାଇଁ ଅନେକ ଜିଲ୍ଲାର କୌଣସି ସ୍ବାସ୍ଥ୍ୟକେନ୍ଦ୍ରରେ ଔଷଧ ଉପଲବ୍ଧ ନଥିବା ବିଡ଼ମ୍ବନାର ବିଷୟ ପାଲଟିଛି । ଅନେକ ସମୟରେ ମେଡିକାଲରେ ଛୋଟ ପିଲାଙ୍କ ପାଇଁ ଟିବି ଔଷଧ ଉପଲବ୍ଧ ହେଉନାହିଁ । କେବଳ ବଡମାନଙ୍କ ପାଇଁ ଔଷଧ ଥିବା କହି ଫେରାଇ ଦେଉଥିବା ଅଭିଯୋଗ ହେଉଛି ।