ଓଡିଶା

odisha

ବିଶ୍ବ ରେକର୍ଡ କରିବ ଓଡ଼ିଶା: ଶିମିଳିପାଳରେ ହେବ ଦେଶର ପ୍ରଥମ କଳା ବାଘ ସଫାରୀ, ଡିସେମ୍ବର ସୁଦ୍ଧା ହୋଇପାରେ କାର୍ଯ୍ୟକ୍ଷମ - Similipal Black Tiger Safari

By ETV Bharat Odisha Team

Published : Aug 1, 2024, 2:59 PM IST

Updated : Aug 2, 2024, 9:14 AM IST

World's First Melanistic Black tiger safari Near Similipal Tiger Reserve in Mayurbhanj: ଓଡ଼ିଶାରେ ହେବ ବିଶ୍ବର ପ୍ରଥମ କଳା ବାଘ ସଫାରୀ । ସଫାରୀରେ ରହିବେ ମେଲାନିଷ୍ଟିକ ବ୍ଲାକ ଟାଇଗର ବା ବିରଳ କଳା ବାଘ । ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି (NTCA) ପରେ ସେଣ୍ଟ୍ରାଲ ଜୁ' ଅଥରିଟି (CZA) ଦେଇଛି ସବୁଜ ସଂକେତ । ପ୍ରିନସିପାଲ ଚିପ୍ କଞ୍ଜରଭେଟର ଫରେଷ୍ଟ (PCCF) ଦେଇଛନ୍ତି ଏହି ବଡ଼ ସୂଚନା । ତେବେ କେଉଁଠି ତିଆରି ହେବ ଏହି ସଫାରୀ ? କଣ ରହିବ ଏହାର ରୂପରେଖ ? କେଉଁଠୁ ଆସିବେ କଳାବାଘ ? କଳାବାଘ ସଫାରୀର ଟିକିନିକ ତଥ୍ୟକୁ ନେଇ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ ।

Etv Bharat
Etv Bharat (Etv Bharat)

ବାରିପଦା/ଭୁବନେଶ୍ବର: ବିଶ୍ବ ଭୌଗଳିକ ପରିଧିରେ ଓଡ଼ିଶା ଲେଖିବ ନୂଆ ନାମ । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଟାଇଗର ରିଜର୍ଭ ସହିତ ଯୋଡ଼ି ହୋଇଯିବ ଆଉ ଏକ ମାଇଲଖୁଣ୍ଟ । ଶିମିଳିପାଳ ଅଭୟାରଣ୍ୟ ନିକଟରେ ନିର୍ମାଣ ହେବ ଏକ ସ୍ୱତନ୍ତ୍ର ମେଲାନିଷ୍ଟିକ ଟାଇଗର ସଫାରୀ ବା କଳା ବାଘ ସଫାରୀ । ଏହି ପ୍ରକଳ୍ପ ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରି ଚାଲିଛି । ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି (NTCA) ପରେ ସେଣ୍ଟ୍ରାଲ ଜୁ' ଅଥରିଟି (CZA)ର ଅନୁମତି ମିଳିଛି । ଏହି ସୂଚନା ଦେଇଛନ୍ତି ପ୍ରିନସିପାଲ ଚିପ୍ କଞ୍ଜରଭେଟର ଫରେଷ୍ଟ (PCCF), ସୁଶାନ୍ତ ନନ୍ଦ । Technical Approval ବା ବୈଷୟିକ ଅନୁମତି ପରେ ଏହାର କାର୍ଯ୍ୟାନ୍ବୟନ ହେବ ବୋଲି କହିଛନ୍ତି PCCF ।

ବିଶ୍ବ ରେକର୍ଡ କରିବ ଓଡ଼ିଶା (ETV Bharat Odisha)

କେଉଁଠି ହେବ କଳା ବାଘ ସଫାରୀ:

ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା । ବାରିପଦା ସହରରୁ ମାତ୍ର 10 କିଲୋମିଟର ଦୂରରେ ଅବସ୍ଥିତ ମଞ୍ଚିଆପଡ଼ା ବା ମଞ୍ଚାବନ୍ଧା ସଂରକ୍ଷିତ ଜଙ୍ଗଲ । ଶିମିଳିପାଳ ଅଭୟାରଣ୍ୟ ଠାରୁ ମାତ୍ର ୧୫ କିଲୋମିଟର ଦୂର ଏବଂ ବାରିପଦା ସହରରୁ ୧୮ ନମ୍ବର ଜାତୀୟ ରାଜପଥ ନିକଟରେ ଅବସ୍ଥିତ । ପ୍ରସ୍ତାବ ଅନୁସାରେ 100 ଏକର ଜାଗାରେ ତିଆରି ହେବ ବିଶ୍ବର ପ୍ରଥମ କଳା ବାଘ ସଫାରୀ । ଏଥି ପାଇଁ ପ୍ରକ୍ରିୟା ଆଗେଇ ଚାଲିଛି ।

କଳା ବାଘଙ୍କ ଘର:

ପ୍ରିନସିପାଲ ଚିପ୍ କଞ୍ଜରଭେଟର ଫରେଷ୍ଟ (PCCF) ସୁଶାନ୍ତ ନନ୍ଦ କହିଛନ୍ତି, "କଳା ବାଘ ସଫାରୀ ପାଇଁ ପ୍ରଥମେ ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି (NTCA)ରୁ ଅନୁମତି ମିଳିଥିଲା । ଏବେ ସେଣ୍ଟ୍ରାଲ ଜୁ' ଅଥରିଟି (CZA) ଅନୁମତି ପ୍ରଦାନ କରିଛନ୍ତି । କଳା ବାଘ ବିରଳ ଅଟେ । ଶିମିଳିପାଳରେ କଳା ବାଘ ଦେଖିବା ସମ୍ଭବ ହେଉନଥିବାରୁ ବାରିପଦାରୁ 10 କିମି ଦୂରରେ 100 ଏକର ଜାଗାରେ ମଞ୍ଚିଆପଡ଼ାରେ କଳା ବାଘ ସଫାରୀ କରାଯିବ । ଏଥିରେ ପ୍ରାଣୀଙ୍କ ପାଇଁ ଚିକିତ୍ସା, ଭିତ୍ତିଭୂମି ଏବଂ ଉଦ୍ଧାର କେନ୍ଦ୍ର ସ୍ଥାପନ କରାଯିବ । ନନ୍ଦନକାନନରେ 3ଟି କଳା ଓ ଧଳା ବାଘ ପ୍ରଥମେ ଏଠାରେ ରହିବେ । କଳା ଜିନ ଥିବା ବାଘକୁ ନେଇ ସେଠାରେ ଛଡ଼ାଯିବାର ଯୋଜନା ରହିଛି । ବୈଷୟିକ କମିଟିର ଅନୁମୋଦନ ପରେ ଚଳିତବର୍ଷ ଶେଷ ସୁଦ୍ଧା ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲା ଯିବାର ସମ୍ଭାବନା ରହିଛି । ଏଠାରେ ଜୁ' (ZOO) ହସପିଟାଲ ସହିତ ଏନକ୍ଲୋଜର ବ୍ୟବସ୍ଥା ମଧ୍ୟ ରହିବ । "

ମୟୂରଭଞ୍ଜ ଶିମିଳିପାଳ ନିକଟରେ ବିଶ୍ବର ପ୍ରଥମ କଳା ବାଘ ସଫାରୀ (ETV BHARAT ODISHA)

କାହିଁକି ଓ କେମିତି ହେଲା କଳା ବାଘ ସଫାରୀର ପରିକଳ୍ପନା ?

ସାଧାରଣତଃ କଳା ବାଘ ବିରଳ ଅଟେ । ଶିମିଳିପାଳକୁ ଯେଉଁ ପର୍ଯ୍ୟଟକ ବୁଲି ଯାଆନ୍ତି, ସେମାନେ କଳା ବାଘ ଦେଖିବାକୁ ପାଉନାହାନ୍ତି । ପିସିପିଏଫ ସୁଶାନ୍ତ ନନ୍ଦଙ୍କ କହିବା କଥା, "ମୋଟ ପର୍ଯ୍ୟଟକଙ୍କ ମଧ୍ୟରୁ ମାତ୍ର 1 ପ୍ରତିଶତ ବାଘ ଦେଖିବାର ସୁଯୋଗ ପାଆନ୍ତି । ବାକି 99 ପ୍ରତିଶତ ନିରାଶ ହୋଇଫେରନ୍ତି । ଯାହା ଫଳରେ ପର୍ଯ୍ୟଟକମାନେ ଶିମିଳିପାଳରୁ ମୁହଁ ଫେରାଉଥିଲେ । ବର୍ତ୍ତମାନ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢ଼ିଲାଣି । ଯେହେତୁ 99 ପ୍ରତିଶତ କଳା ବାଘ ନଦେଖି ଫେରିବାକୁ ବାଧ୍ୟ ହେଉଛନ୍ତି, ତେଣୁ ଶିମିଳିପାଳ ଠାରୁ ମାତ୍ର ଅଳ୍ପ ଦୂରରେ ମଞ୍ଚିଆପଡ଼ା ବା ମଞ୍ଚାବନ୍ଧାରେ ସଫାରୀ କରାଯାଉଛି । "

କେଉଁଠୁ ଆସିବେ କଳା ବାଘ ?

PCCF ସୁଶାନ୍ତ ନନ୍ଦ ଆହୁରି ମଧ୍ୟ କହିଛନ୍ତି ଯେ, "ସେଣ୍ଟ୍ରାଲ ଜୁ' ଅଥରିଟି (CZA)ର ଅନୁମତି କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ 3ଟି କଳା ଓ ଧଳା ବାଘ ଅଣାଯିବ । ଯେଉଁ ବାଘ ନିକଟରେ ବିଶେଷ ଭାବେ କଳା ଜିନ୍ ଥିବ, ସେମାନଙ୍କୁ ଏହି ସଫାରୀରେ ଛଡ଼ାଯିବ । ଏହା ସହ ରାଞ୍ଚିରୁ ଦୁଇଟି ବାଘ ଅଣାଯାଇଛି । ଗୋଟିଏ କଳା ବାଘ ଏବଂ ଅନ୍ୟଟି କଳା ଜିନ ରହିଥିବା ବାଘ । ଯାହା ଏହି ସଫାରୀରେ ରହିବେ । ଏହି କଳା ବାଘ ବ୍ରିଡିଂରେ ହୋଇଥିବା ଶାବକଙ୍କୁ ମଧ୍ୟ ଏଠାରେ ରଖାଯିବ ।"

ମୟୂରଭଞ୍ଜ ଶିମିଳିପାଳ ନିକଟରେ ବିଶ୍ବର ପ୍ରଥମ କଳା ବାଘ ସଫାରୀ (ETV BHARAT ODISHA)

ଓଡ଼ିଶାରେ କେଉଁଠି ଅଛନ୍ତି କଳା ବାଘ ?

PCCF ସୁଶାନ୍ତ ନନ୍ଦଙ୍କ ସୂଚନା ଅନୁସାରେ, "ଓଡ଼ିଶାରେ ୫୦ ବର୍ଷ ହେବ ଏହି ବାଘ ଦେଖିବାକୁ ମିଳୁଛି । ବ୍ରିଟିଶ ଶାସନ ସମୟରେ ଗଞ୍ଜାମର କାଲିଆମ୍ବାରେ ମଧ୍ୟ ଏଭଳି କଳା ରଙ୍ଗର ବାଘ ଦେଖିବାକୁ ମିଳିଥିଲା । ତେବେ ଗଞ୍ଜାମ ଜିଲ୍ଲାକୁ ବାଦ ଦେଲେ ସୋନପୁର, ବଲାଙ୍ଗୀର, ଅନୁଗୋଳ ଓ କନ୍ଧମାଳ ଜିଲ୍ଲାରେ ଏବେ ଦେଖିବାକୁ ମିଳୁଛି । ତେବେ ପୂର୍ବରୁ ଦେଶର କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ ହିମାଚଳପ୍ରଦେଶ, ଆସାମ ଓ ଛତିଶଗଡ଼ ଆଦି 8ଟି ରାଜ୍ୟରେ କଳା ବାଘ ଦେଖିବାକୁ ମିଳୁଥିଲା । ଓଡ଼ିଶା ନବମ ରାଜ୍ୟ ଯେଉଁଠାରେ କି କଳା ବାଘ ଦେଖିବାକୁ ମିଳୁଛନ୍ତି । ଯାହା ବିରଳ ଅଟେ । "

ପର୍ଯ୍ୟଟକଙ୍କୁ ଆକର୍ଷିତ କରିବେ କଳା ବାଘ:

କଳା ବାଘ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବେ । ଓଡ଼ିଶାକୁ ବନ୍ୟଜନ୍ତୁଙ୍କ ଦେଖିବା ପାଇଁ 95 ପ୍ରତିଶତ ପଶ୍ଚିମବଙ୍ଗରୁ ଆସିଥାନ୍ତି । ସେମାନଙ୍କ ପାଇଁ ଭୁବନେଶ୍ବର ନିକଟ ନନ୍ଦନକାନନ ତୁଳନାରେ ଶିମିଳିପାଳ ବହୁତ ନିକଟ ହେବ । ରିଜିଓନାଲ ଚିପ୍ କଞ୍ଜରଭେଟର ଅଫ ଫରେଷ୍ଟ (RCCF), ମୟୂରଭଞ୍ଜ, ପ୍ରକାଶ ଚାନ୍ଦ ଗୋଗିନେନୀ ଇଟିଭି ଭାରତକୁ ଫୋନ ଯୋଗେ କହିଛନ୍ତି,"ବର୍ତ୍ତମାନସୁଦ୍ଧା ଆମ ପାଖକୁ ଆନୁଷ୍ଠାନିକ ଭାବେ କୌଣସି ଚିଠି କିମ୍ବା ସୂଚନା ଆସିନାହିଁ । ତେବେ ବାରିପଦା ମଞ୍ଚାବନ୍ଧାରେ କଳା ବାଘ ସଫାରୀ ହେବାର ପ୍ରସ୍ତାବ ରହିଛି । ଏଥିପାଇଁ ୩୦ କୋଟି ଟଙ୍କାର ବ୍ୟୟବରାଦ ପାଇଁ ପ୍ରସ୍ତାବ ଦିଆଯାଇଛି । ଚୂଡ଼ାନ୍ତ ଅନୁମୋଦନକୁ ଅପେକ୍ଷା ରହିଛି । " ସେ ଆହୁରି ମଧ୍ୟ କହିଛନ୍ତି, " ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟରେ ମୋଟ ୨୭ଟି ବଡ଼ ବାଘ ଅଛନ୍ତି, ସେଥିରୁ ୧୬ଟି ହେଉଛନ୍ତି କଳାବାଘ । "

ମୟୂରଭଞ୍ଜ ଶିମିଳିପାଳ ନିକଟରେ ବିଶ୍ବର ପ୍ରଥମ କଳା ବାଘ ସଫାରୀ (ETV BHARAT ODISHA)

ପର୍ଯ୍ୟଟକ ଦେଖିବେ କଳା ବାଘ:

ଶିମିଳିପାଳ ଅଭୟାରଣ୍ୟର ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦୀପ୍ତ କବି, ପ୍ରସ୍ତାବିତ କଳା ବାଘ ସଫାରୀକୁ ସ୍ବାଗତ କରିଛନ୍ତି । ସେ କହିଛନ୍ତି ଯେ, "ଏହା ଦୁଇଟି ଦିଗରୁ ଗୁରୁତ୍ବପୂର୍ଣ୍ଣ । ପ୍ରଥମ କଥା, ଶିମିଳିପାଳ ଅଭୟାରଣ୍ୟ ଏତେ ବିସ୍ତ୍ରୃତ ଅଞ୍ଚଳ ଯେ, ପର୍ଯ୍ୟଟକମାନେ ବାଘ ଦେଖି ପାରନ୍ତି ନାହିଁ ଏବଂ ନିରାଶ ହୋଇ ଫେରନ୍ତି । ତେବେ ଏହି ପ୍ରକଳ୍ପ ହେଲେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକ ବାଘ ଦେଖିବାର ସୁଯୋଗ ପାଇବେ । ଏଭଳି ସୁବିଧା ମଧ୍ୟପ୍ରଦେଶର କାହ୍ନା ଏବଂ ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ରହିଛି । "

ପର୍ଯ୍ୟଟନ ବିକାଶ ଦିଗରେ ବଡ଼ ସୁଯୋଗ:

ପରିବେଶବିତ ସୌରଭ ପଟ୍ଟନାୟକଙ୍କ ମତରେ "କଳା ବାଘ ସଫାରୀ ହେଲେ ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ଘଟିବ । ପରିବେଶ ସୁରକ୍ଷା ସହିତ ପ୍ରକୃତି ଏବଂ ବନ୍ୟପ୍ରାଣୀଙ୍କ ପ୍ରତି ସାଧାରଣ ଲୋକ ଅଧିକ ଆକୃଷ୍ଟ ହେବେ । ବନ୍ୟପ୍ରାଣୀ ଶିକାର ବନ୍ଦ ପାଇଁ ସଚେତନତା ସୃଷ୍ଟି ହେବା ସହ ବନ୍ୟପ୍ରାଣୀଙ୍କ ଉପରେ ଗବେଷଣାକୁ ଏକ ଭଲ ଦିଗ ଦେଖାଇବ ।"

ମେଲାନାଷ୍ଟିକ ବାଘ ଦେଖିବାକୁ କିଭଳି:

ମେଲାନିଷ୍ଟିକ ବାଘର ବିଶେଷତଃ ହେଉଛି, ସିକ୍ରେସନ ପିଗମେଣ୍ଟ ଅଧିକ ହେବା କାରଣରୁ ଶରୀରରେ ଥିବା ଛିଟ ଦାଗ ଦେଖାଯାଏନି ବା ହଳଦିଆ ରଙ୍ଗ ଲୁଚିଯାଏ । ସାଧାରଣ ଭାବେ ବାଘଟି କଳା ରଙ୍ଗର ଦେଖାଯାଇଥାଏ । ଅର୍ଥାତ ବାଘର ଶରୀରରେ କଳା ଗାର ପଡ଼ିଯାଏ । ବର୍ତ୍ତମାନ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ସମେତ ବିଭିନ୍ନ ଜିଲ୍ଲାରେ କଳାବାଘ ସନ୍ଧାନ ମିଳିଛି । ବାଘ ଗଣନା ପାଇଁ ବନ ବିଭାଗ ପକ୍ଷରୁ ଲଗାଯାଇଥିବା କ୍ୟାମେରାରେ କଏଦ ଫଟୋ ଏବଂ ଭିଜୁଆଲରୁ କଳା ବାଘ ଚିହ୍ନଟ ହୋଇଛି ।

ମୟୂରଭଞ୍ଜ ଶିମିଳିପାଳ ନିକଟରେ ବିଶ୍ବର ପ୍ରଥମ କଳା ବାଘ ସଫାରୀ (ETV BHARAT ODISHA)

ବାଘ ସଂଖ୍ୟା କମିଲେ ସାଂଘାତିକ:

ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି, " ୧୯୯୩ ମସିହାରୁ କଳାବାଘର ସନ୍ଧାନ ମିଳିଥିଲା । ଏବେ ଶିମିଳିପାଳରେ ଅଳ୍ପ କଳାବାଘ ଅଛନ୍ତି । ଯଦି କୌଣସି ଅଞ୍ଚଳରେ ବାଘ ସଂଖ୍ୟା ୧୦୦ରୁ କମ୍ ହୋଇଯାଆନ୍ତି, ସେମାନଙ୍କ ସଂଖ୍ୟା ଭବିଷ୍ୟତରେ ଲୋପ ପାଇଯିବାର ଆଶଙ୍କା ମଧ୍ୟ ରହିଛି । କଳାବାଘ ଚିହ୍ନଟ, ଜେନେଟିକ ଇନବ୍ରିଡିଂର ସଙ୍କେତ ଦେଉଛି । କାରଣ ଅଳ୍ପ ସଂଖ୍ୟକ ବାଘଙ୍କ ମଧ୍ୟରେ ପ୍ରଜନନ ହେଲେ, ଯେଉଁ ବାଘ ଶାବକ ଜନ୍ମ ନେବେ, ସେମାନେ ରୋଗାକ୍ରାନ୍ତ ହେବା ସହ ମୃତ୍ୟୁ ହେବାର ଆଶଙ୍କା ରହିଛି । "

ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ଶିମିଳିପାଳ ଅଭୟାରଣ୍ୟ

ବିଶ୍ୱ ଦରବାରରେ କେତେ କଣ ପ୍ରଶଂସା ସାଉଁଟିଛି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ । ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ପାଖାପାଖି ୧୯୦ କିଲୋମିଟର ଦୂର ଏବଂ ୨୭୫୦ ବର୍ଗ କିଲୋମିଟର ପରିମିତ ଅଭୟାରଣ୍ୟରେ ଚିହ୍ନଟ ହୋଇଛନ୍ତି melanistic black tiger ବା କଳାବାଘ । ଏବେ ରାଜ୍ୟ ପରିବେଶ ଏବଂ ଜଙ୍ଗଲ ବିଭାଗର ପ୍ରୟାସରେ ଜିଲ୍ଲାର ମୁଖ୍ୟାଳୟ ବାରିପଦାଠାରୁ ମାତ୍ର ୧୦ କିଲୋମିଟର ଦୂରରେ ହେବାକୁ ଯାଉଛି 'ବିଶ୍ବର ପ୍ରଥମ କଳାବାଘ ସଫାରୀ' । ଏହା କେବଳ ପର୍ଯ୍ୟଟକଙ୍କ ମନମୋହିବ ତାହା ନୁହେଁ, ବରଂ ବିରଳ କଳାବାଘ ପ୍ରଜାତିର ବଂଶବୃଦ୍ଧି ଓ ସୁରକ୍ଷା ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ।

ମୟୂରଭଞ୍ଜ ଶିମିଳିପାଳ ନିକଟରେ ବିଶ୍ବର ପ୍ରଥମ କଳା ବାଘ ସଫାରୀ (ETV BHARAT ODISHA)

ଚୂଡା଼ନ୍ତ ମୋହରକୁ ଅପେକ୍ଷା:

ଆସନ୍ତା କିଛି ସପ୍ତାହ ମଧ୍ୟରେ କଳା ବାଘ ସଫାରୀକୁ ଚୂଡ଼ାନ୍ତ ଅନୁମୋଦନ ମିଳିବାର ସମ୍ଭାବନା ରହିଛି । ଏହା ହେବା ପରେ ଚଳିତ ୨୦୨୪ ମସିହା ଶେଷ ସୁଦ୍ଧା ଉକ୍ତ ସଫାରୀ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପ୍ରମୂଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (PCCF) ସୁଶାନ୍ତ ନନ୍ଦ । ବାଘଙ୍କ ପାଇଁ ଓଡ଼ିଶା ଏବେ ପ୍ରକୃଷ୍ଟ ସ୍ଥାନ । ଓଡ଼ିଶାରେ ଘଞ୍ଚ ଜଙ୍ଗଲ ସହିତ ବନ୍ୟପ୍ରାଣୀଙ୍କ ପାଇଁ ପ୍ରଚୁର ମାତ୍ରାରେ ଖାଦ୍ୟ ମିଳୁଥିବାରୁ ବାଘଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେଉଛି । ଯାହା କି ଲୁପ୍ତ ପ୍ରାୟ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଶୁଭ ସଂକେତ ।

ମୟୂରଭଞ୍ଜ ଶିମିଳିପାଳ ନିକଟରେ ବିଶ୍ବର ପ୍ରଥମ କଳା ବାଘ ସଫାରୀ (ETV BHARAT ODISHA)

ଏହା ମଧ୍ୟ ପଢ଼ନ୍ତୁ...ବ୍ୟାଘ୍ର ଦିବସରେ ଖୁସି ଖବର: ଶିମିଳିପାଳରେ କଳାବାଘ ସଫାରୀକୁ CZAର ଗ୍ରୀନ ସିଗନାଲ, ଜାଣନ୍ତୁ ବାଘ ବଂଶ ବୃଦ୍ଧି ପାଇଁ ସରକାରଙ୍କ ମିଶନ କେତେ ସଫଳ ? - International Tiger Day

ଏହା ମଧ୍ୟ ପଢ଼ନ୍ତୁ...ଶିମିଳିପାଳରେ ନୂଆ ନୂଆ ଶିକାର କରୁଛି କଳାବାଘ ଛୁଆ - Melanistic Tiger Cub

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଶିମିଳିପାଳରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରୀ

ଇଟିଭି ଭାରତ, ମୟୂରଭଞ୍ଜ ଓ ଭୁବନେଶ୍ବର

Last Updated : Aug 2, 2024, 9:14 AM IST

ABOUT THE AUTHOR

...view details