ବ୍ରହ୍ମପୁର:ଖରିଫ ଧାନ କିଣାର ସମୀକ୍ଷା କଲେ ଯୋଗାଣ ମନ୍ତ୍ରୀ । ଗଞ୍ଜାମ ଜିଲ୍ଲାରେ କିପରି ଚାଲିଛି ଚଳିତ ବର୍ଷର ଖରିଫ ଧାନ କ୍ରୟ ପ୍ରକ୍ରିୟା ସେନେଇ ସମୀକ୍ଷା କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଛତ୍ରପୁର ସର୍କିଟ ହାଉସ ପରିସରରେ ଯୋଗାଣ ମନ୍ତ୍ରୀ ଜିଲ୍ଲାରେ ଖରିଫ ଧାନ କ୍ରୟ କାର୍ଯ୍ୟ କେତେ ସଫଳ ହୋଇଛି ? ଏବଂ ମିଳିଥିବା ଟାର୍ଗେଟ ପୂରଣ ହେବା ନେଇ ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି । ସେହିପରି ଜିଲ୍ଲାର ରାସନ କାର୍ଡ ପାଇଁ ଇ-କେୱାସିର ଅଗ୍ରଗତି ଏବଂ ଶୀତଳ ଭଣ୍ଡାର ନିର୍ମାଣ ଆଦି ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ମନ୍ତ୍ରୀ ।
- ଗଞ୍ଜାମରେ ୯୦ ପ୍ରତିଶତ ଧାନ କିଣା ହୋଇଛି:
ଏହି ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,"ଜିଲ୍ଲାରେ ୯୦ ପ୍ରତିଶତ ଧାନ କିଣା ହୋଇଛି । ଆଉ ୭ ଦିନ ମଧ୍ୟରେ ଧାନ କ୍ରୟ ପ୍ରକ୍ରିୟା ଶେଷ ହେବ । ଅଫିସରମାନେ ଭଲ କାମ କରିଛନ୍ତି । ଧାନ କିଣାରେ ତ୍ରୁଟି ନେଇ ୪୦ରୁ ଊର୍ଦ୍ଧ୍ୱ ମିଲର ଏବଂ ଅନ୍ୟ କେତେକ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି । ଯେଉଁ ଗରିବ ଲୋକଙ୍କ ଆୟ କମ ରହିଥିବ, ସେମାନଙ୍କ ରାସନ କାର୍ଡ କଟିବନି । ଯାହାର ଅଧିକ ଆୟ ରହିଥିବ ତାର ରାସନ କାର୍ଡ କଟିବ । "
- ଅଯୋଗ୍ୟ ହିତାଧିକାରୀ ରାସନ୍ କାର୍ଡ ଫେରାଇବା ପାଇଁ ଅପିଲ୍:
ସେ ଏହା ମଧ୍ୟ କହିଛନ୍ତି" ପ୍ରକୃତ ଗରିବ ଜନସାଧାରଣ ରାସନ୍ କାର୍ଡ ପାଇବାକୁ ସରକାର ଚାହୁଁଛନ୍ତି । ଅଯୋଗ୍ୟମାନେ ରାସନ୍ କାର୍ଡ ଫେରାଇବା ପାଇଁ ଆମେ ଅପିଲ କରିଛୁ । ଯେଉଁମାନେ ଫେରାଇବେ ନାହିଁ ,ତାର ଯାଞ୍ଚ କରାଯିବ । ମାର୍ଚ୍ଚ ୩୧ ସୁଦ୍ଧା ଇ-କେୱାସି କରିଦିଅନ୍ତୁ । ଯେଉଁମାନେ ଉକ୍ତ ସମୟସୀମା ମଧ୍ୟରେ କରିବେ ନାହିଁ । ସେମାନଙ୍କ ରାସନ୍ କାର୍ଡ କଟିଯିବ । "