ଭୁବନେଶ୍ୱର:ଏଣିକି ଭିଡ଼ ଭିତରେ ଅପରାଧି ଚିହ୍ନିବା ହେବ ସହଜ । ସନ୍ଦିଗ୍ଧ ଅପରାଧିଙ୍କୁ ଚିହ୍ନିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରୁଛି ଓଡ଼ିଶା ପୋଲିସ । ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ହେଉ କିମ୍ବା ବିଭିନ୍ନ ଖଟି ଆଡ୍ଡା ଓ ସନ୍ଦିଗ୍ଧ ସ୍ଥାନରେ କମିଶନରେଟ ପୋଲିସ ଆପ୍ଲିକେସନର ବ୍ୟବହାର କରି ଅପରାଧିକୁ ଚିହ୍ନଟ କରୁଥିବା ଜଣାପଡିଛି । ଫୋନରେ ସେମାନଙ୍କର ଫଟୋ ଉଠାଇ ସେହି ଆପ ଜରିଆରେ ଯାଞ୍ଚ କରୁଛି । ତେବେ କେଉଁ ଆପରେ ପୋଲିସ ଏଭଳି ଯାଞ୍ଚ କରୁଛି ଜାଣନ୍ତୁ ।
ଅପରାଧିଙ୍କର ପୃଷ୍ଠଭୂମି ଯାଞ୍ଚ କରିବା ପାଇଁ ଓଡ଼ିଶା ପୋଲିସ ଏକ ଆପର ବ୍ୟବହାର କରିବାକୁ ଯାଉଛି । ଯାହାର ନାଁ ରହିଛି IBIOS ବା ଏମବିସି । ଯାହାକୁ ଟେଷ୍ଟିଂ ପ୍ରକ୍ରିୟାରେ କମିଶନରେଟ ପୋଲିସ ଏବେ ସହରରେ ପୋଲିସ ଚେକିଂ ସମୟରେ ବ୍ୟବହାର କରୁଛି । ଯେକୋୖଣସି ସ୍ଥାନରେ ଅପରାଧିକ ତତ୍ତ୍ୱ ବା କାର୍ଯ୍ୟକଳାପରେ କାହାକୁ ସନ୍ଦେହ ହେଉଛି ତୁରନ୍ତ ସେହି ଆପ ଜରିଆରେ ସେହି ଲୋକର ଫଟୋ ଉଠାଇ ଯାଞ୍ଚ କଲେ ପୁରା ତଥ୍ୟ ମିଳିପାରୁଛି ।
ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି," ସିସିଟିଏନସରେ ଆମର ଯେତେ କେସ ହେଉଛି ଓ ଯେଉଁମାନେ ଗିରଫ ହେଉଛନ୍ତି ସେମାନଙ୍କର ତଥ୍ୟକୁ ଫଟୋ ଓ ଗିରଫ ସମୟର ତଥ୍ୟ ସଂଗ୍ରହ କରାଯାଇଥାଏ । ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ(SCRB) ଗୋଟେ ନୂଆ ଆପ୍ଲିକେସନ ଡେଭଲପ କରିଛି । ସେହି ଆପ୍ଲିକେସନ ଦ୍ବାରା ଯେତେବେଳେ ଚେକିଂ ହେଉଛି ଆଉ କୌଣସି ଯାଗାରେ ସନ୍ଦେହଜନକ ଲୋକକୁ ପାଉଛୁ । ସେହି ବ୍ୟକ୍ତିର ଫଟୋ ନେଇକି ଫେସିଆଲ ରେକଗନାଇଜେସନ ମାଧ୍ଯମରେ ଜାଣିପାରିବୁ ସେହି ଲୋକର ପୁରୁଣା ଇତିହାସ କି ଅଛି ନାହିଁ । ଏହି ପ୍ରକାର ଆପ୍ଲିକେସନ ଏବେ ନୂଆ ଡେଭଲପ କରଯାଇଛି । ବହୁତ ବେନଫିଟ ରହିବ ଆମର ପିସିଆର ଏବଂ ଏନଫୋର୍ସମେଣ୍ଟ ସମୟରେ । ଲୋକଙ୍କର ପରିଚୟ ଜାଣିହେବ ବା ତାର ଚରିତ୍ର ବା ଅପରାଧିକ କାର୍ଯ୍ୟକଳାପ ବିଷୟରେ ଅନ ସ୍ପଟ ଜାଣିହେବ।"