ଭୁବନେଶ୍ବର: ଆଗକୁ ଖରା ଦିନ। ଜାନୁଆରୀ ମାସ ସରିନି କିନ୍ତୁ ଆରମ୍ଭ ହେଲାଣି ତାତି। ଏପଟେ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହେଇଗଲାଣି। ଜଙ୍ଗଲ ନିଆଁ ଘଟଣାରେ ଭାରତ ବର୍ଷରେ ତୃତୀୟ ସ୍ଥାନରେ ରହିଛି ଓଡିଶା। ଯାହା ପୂର୍ବ ୭ ଦିନ ମଧ୍ୟରେ ରେକର୍ଡ କରିଛି ଏଫଏସଆଇ। ଏପଟେ ଗତ ସପ୍ତାହକ ମଧ୍ୟରେ କର୍ଣ୍ଣାଟକରେ ସର୍ବାଧିକ ବନାଗ୍ନି ଘଟିଥିବାବେଳେ ଦ୍ବିତୀୟରେ ରହିଛି ନାଗାଲାଣ୍ଡ ଓ ତୃତୀୟ ସ୍ଥାନରେ ରହିଛି ଓଡ଼ିଶା ଜଙ୍ଗଲ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪୨ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବା ଉପଗ୍ରହ ତଥ୍ୟକୁ ଆଧାର କରି ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ (ଏଏଆଇ) ଏହି ସୂଚନା ଜାରି କରିଛି।
- କାହିଁକି ବ୍ୟାପୁଛି ଜଙ୍ଗଲ ନିଆଁ ?
ଖରା ବଢିବା ସହିତ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ବୃଦ୍ଧି ହୋଇଥାଏ। ଫଳରେ ଅନେକ ମୂଲ୍ୟବାନ ଗଛ ସହିତ ବନ୍ୟ ପ୍ରାଣୀ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ। ରାଜ୍ୟରେ ଥିବା ଅନେକ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହେଲାଣି। ତେଣୁ ଜଙ୍ଗଲ ସଂଲଗ୍ନରେ ରହୁଥିବା ଗାଁର ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକ ରହିଛି। ବନାଗ୍ନି ରୋକିବା ପାଇଁ ପୂର୍ବ ପ୍ରସ୍ତୁତ କରିବା ସହ ଚିନ୍ତା ପ୍ରକଟ କହିଛନ୍ତି ପରିବେଶ ବିଶେଷଜ୍ଞ ଜୟକୃଷ୍ଣ ପାଣିଗ୍ରାହୀ। ସେ କହିଛନ୍ତି ଯେ, "ରାଜ୍ୟରେ ଦେଖାଯାଉଥିବା ଜଙ୍ଗଲ ନିଆଁ ବିଶେଷ ଭାବରେ ଗ୍ରାଉଣ୍ଡ ଫାୟାର। ଅର୍ଥାତ୍ ଜଙ୍ଗଲର ତଳେ ପଡିଥିବା ଶୁଖିଲା ପତ୍ର ଓ ଶୁଖିଲା କାଠରେ କୁହୁଳି କୁହୁଳି ଲାଗିଥାଏ ନିଆଁ। ସେଥିପାଇଁ ଅଧିକରୁ ଅଧିକ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଲୋକଙ୍କୁ ସଚେତନ କରିବା ଆବଶ୍ୟାକ। ଏହାଛଡ଼ା ଯେଉଁମାନେ ନିଆଁ ଲଗାଉଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ" ବୋଲି କହିଛନ୍ତି ପରିବେଶ ବିଶେଷଜ୍ଞ।
ଏପଟେ ବନ୍ୟାପ୍ରାଣୀ ବିଶେଷଜ୍ଞ ଆଦିତ୍ୟ ପଣ୍ଡା କହିଛନ୍ତି ଯେ, "ଖରାଦିନେ ଜଙ୍ଗଲରେ ନିଆଁ ଲାଗିଲେ ଦରକାରୀ ବୃକ୍ଷରାଜି ସହିତ ବନ୍ୟପ୍ରାଣୀ ପୋଡିଯିବା ସହ ଆଖପାଖ ପରିବେଶ ମଧ୍ୟ ପ୍ରଦୂଷିତ ହୋଇଯାଇଥାଏ। ଏହା ସହ ବିଶେଷ ଭାବରେ ଏହି ସମୟରେ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଥାଏ। ଜଙ୍ଗଲରେ ନିଆଁ ଲାଗିବା ହେଉଛି ମନୁଷ୍ୟଜନିତ କାରଣରୁ ହୋଇଥାଏ। ଯେମିତିକି ଜଙ୍ଗଲ ମଧ୍ୟରେ ଅଧା ଜଳା ସିଗାରେଟ/ବିଡି ଫୋପାଡିବା, ଭଲ ଉତ୍ପାଦନ ପାଇଁ ଗଛଲତାରେ ନିଆଁ ଲଗାଇବା, ଡାଳକୁ ଡାଳ ଘଷି ହେବା ଆଦି କାରଣ ପାଇଁ ଜଙ୍ଗଲରେ ନିଆଁ ଲାଗିଥାଏ’’।
ବନାଗ୍ନି ଘଟଣାରେ ତୃତୀୟ ସ୍ଥାନରେ ଓଡିଶା (ETV Bharat) ଏହାକୁ ଦୃଷ୍ଟିରେ ରଖି ଏହି ବନାଞ୍ଚଳରେ ଥିବା ପ୍ରାୟ ଗାଁ ଗୁଡ଼ିକରେ ଲୋକମାନେ ପ୍ରତିବର୍ଷ ଖରାଦିନ ପୂର୍ବରୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ନିଜକୁ ପ୍ରସ୍ତୁତ କରନ୍ତି। ଏନେଇ ରାଜ୍ୟ ସରକାର ଜଙ୍ଗଲ ନିଆଁ ଲିଭାକୁ ନେଇ ଗତ ବର୍ଷ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି।
- 2024ରେ ବନାଗ୍ନି ଘଟଣାରେ ଓଡିଶା ପ୍ରଥମରେ ଥିଲା
ଆଗକୁ ବିଭିନ୍ନ ଜଙ୍ଗଲରେ ନିଆଁ ବ୍ୟାପିବା ନେଇ ସମ୍ଭାବନା ରହିଛି। ବର୍ତମାନ ସମୟରେ ୭ ଦିନ ମଧ୍ୟରେ ବନାଗ୍ନି ଘଟଣାରେ ଦେଶରେ ତୃତୀୟ ସ୍ଥାନରେ ରହିଛି ଓଡିଶା। ଆଗକୁ ଗ୍ରୀଷ୍ମ ଋତୁ କାରଣରୁ ନିଆଁ ଆହୁରି ବ୍ୟାପିବା ନେଇ ମଧ୍ୟ ସମ୍ଭାବନା ରହିଛି। 2024 ମସିହା ପ୍ରାରମ୍ଭରେ ଜଙ୍ଗଲରେ ନିଆଁ ଲାଗିବାରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ ଭାବରେ ମାନ୍ୟତା ହାସଲ କରିଥିଲା । ଯାହାଫଳରେ ରାଜ୍ୟ ସରକାର ଏକ ଟାକ୍ସ ଫୋର୍ସ ଗଠନ କରାଯାଇଥିଲା । ସ୍ଥାନୀୟ ଲୋକଙ୍କର ସହାୟତା ନେଲେ ଜଙ୍ଗଲରେ ନିଆଁକୁ ବହୁ ମାତ୍ରାରେ କମ କରାଯାଇ ପାରିବ । ତେବେ ଜଙ୍ଗଲ ନିଆଁ ବିଶେଷ ଭାବରେ ମନୁଷ୍ୟକୃତ । ସ୍ଥାନୀୟ ଲୋକଙ୍କ ସହଯୋଗ ଫଳରେ ଏହା ବିଶେଷ ଭାବରେ ଫଳପ୍ରଦ ହୋଇପାରିବ । ଜଙ୍ଗଲ ବିଭାଗରେ ଅନେକ ପଦବୀ ଖାଲି ପଡ଼ିଛି । ଜଙ୍ଗଲରେ ଯେଭଳି ଭାବରେ ବନ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗର ଗାଡ଼ି ଜାଇପାରିବ ସେନେଇ ରାସ୍ତା ରହିଥିବା ଆବଶ୍ୟକ । ବନ ବିଭାଗ ପକ୍ଷରୁ ଉପକରଣ ପର୍ଯ୍ୟାପ୍ତ ପରିମାଣରେ ରହିବା ଦରକାର ବୋଲି କହିଛନ୍ତି ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ ।
ବନାଗ୍ନି ଘଟଣାରେ ତୃତୀୟ ସ୍ଥାନରେ ଓଡିଶା (ETV Bharat) - ଶିମିଳିପାଳ ଜଙ୍ଗଲରେ ସର୍ବାଧିକ ଅଗ୍ନିକାଣ୍ଡ
ତେବେ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍ଏସ୍ଆଇ) ର ତଥ୍ୟ ଅନୁସାରେ, ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିବାରେ ଗତ ୨୨ ତାରିଖରୁ ୭ ଦିନ ମଧ୍ୟରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। କିନ୍ତୁ ଗତ ବର୍ଷ ତୁଳନାରେ ରାଜ୍ୟରେ ଜଙ୍ଗଲ ନିଆଁ କମ ରହିଛି। ଏଫ୍ଏସ୍ଆଇର ଗତ ୫ ବର୍ଷର ତଥ୍ୟକୁ ଦେଖିଲେ ଶିମିଳିପାଳରେ ମଧ୍ୟ କମ ସ୍ଥାନରେ ନିଆଁ ଲାଗିଥିବା ଦେଖାଯାଇଛି। ୨୦୨୦ରେ ଜାନୁଆରୀରୁ ଏପ୍ରିଲ ମାସ ଭିତରେ ୫୯୯ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିବା ବେଳେ ୨୦୨୧ ରେ ୨ ହଜାର ୮୬୧, ୨୦୨୨ରେ ୩୧୯ ଓ ୨୦୨୩ ରେ ୧ ହଜାର ୪୫୬ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ କରାଯାଇଥିଲା। ତେବେ ଓଡିଶାରେ ବିଶେଷ ଭାବରେ ଶିମିଳିପାଳରେ ସର୍ବାଧିକ ନିଆଁ ଲାଗିଥାଏ। ଏହା ସହ କୋରାପୁଟ ସର୍କଲ, ସମ୍ବଲପୁର ସର୍କଲ, ରେଙ୍ଗାଲି ରେଞ୍ଜରେ, କୁଚିଣ୍ଡା ରେଞ୍ଜର, ବେଲପାହାଡ଼, ବରଗଡ଼, ଭବାନୀପାଟଣା ସର୍କଲ, ଅନୁଗୁଳ ସର୍କଲ, ତାଳଚେର ରେଞ୍ଜ, କେନ୍ଦ୍ରପଡ଼ା ରେଞ୍ଜ ଆଦି ସ୍ଥାନରେ ନିଆଁ ଲାଗିଥିଲା।
- 2024ରେ 60ରୁ ଊର୍ଦ୍ଧ୍ବ ଲୋକଙ୍କୁ ଧରିଥିଲା ବନବିଭାଗ
ସୂଚନା ଅନୁସାରେ, ଶିମିଳିପାଳ ସମେତ ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ୩୦୦ ଫାୟାର ସ୍କ୍ୱାର୍ଡ ନିୟୋଜିତ ହୋଇଥିବା ବେଳେ ୩୦ ଜଣ ପୂର୍ବତନ କର୍ମଚାରୀ, ଓଡ୍ରାଫର ୫୨ ଜଣ, ୨୨ଟି ସ୍ୱତନ୍ତ୍ର ଗାଡ଼ି, ଫାୟାର ସ୍କ୍ୱାର୍ଡ ପାଇଁ ୨୦ଟି ଗାଡ଼ି ଓ ଫାୟାର ବ୍ଲୋୟର୍ସ ୪୬୦ଟି ଇତ୍ୟାଦି ଦିଆଯାଇଛି । ସେପଟେ ଜଙ୍ଗଲ ନିଆଁ ୯୦ ପ୍ରତିଶତ ମନୁଷ୍ୟକୃତ । ଶୀକାର କରିବା ପାଇଁ ହେଉ ବା ମହୁଲ ଆଣିବା ପାଇଁ ଜଙ୍ଗଲରେ ଅଧିକାଂଶ ସ୍ଥାନରେ ନିଆଁ ଲଗାଯାଉଛି । ଏଭଳି ସ୍ଥଳରେ ସେମାନଙ୍କୁ ଧରିବା ପାଇଁ ମଧ୍ୟ ବନ ବିଭାଗ ଏଥର କଡ଼ା ପଦକ୍ଷେପ ଗ୍ରହଣ କରିଛି । ଏହି ଘଟଣାରେ ୬୦ରୁ ଅଧିକ ଲୋକଙ୍କୁ ବନ ବିଭାଗ ଧରିଛି ।