ଭୁବନେଶ୍ବର: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବରିଷ୍ଠ ଆଇଏଏସ ଅଫିସର ଅରବିନ୍ଦ ପାଢ଼ୀ । ବୀର ବିକ୍ରମ ଯାଦବଙ୍କୁ ହଟାଇ ଅରବିନ୍ଦଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର । ଗୁରୁବାର ବିଳମ୍ବିତ ରାତିରେ ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅରବିନ୍ଦ ପାଢ଼ୀ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ ତୁଲାଇଛନ୍ତି । ବଡ଼ଠାକୁରଙ୍କ ଆଡ଼ପ ମଣ୍ଡପ ବିଜେ ହେବା ବେଳେ ଅଘଟଣକୁ ନେଇ ସରକାର ଚାପରେ ଥିବାବେଳେ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି ।
ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଜାରି ରହିଛି । ଏହାରି ଭିତରେ ଶ୍ରୀମନ୍ଦିର ପ୍ରଶାସନକୁ ନେଇ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରାତିଅଧିଆ ବଦଳି କରିଛନ୍ତି ରାଜ୍ୟ ସରକାର । ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦଙ୍କୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ନିଯୁକ୍ତ କରିଛନ୍ତି । ଆଜି ସେ ଏହି ଦାୟିତ୍ୱ ନେଇ କାର୍ଯ୍ୟ କରିବେ । ଏହାସହିତ ଅରବିନ୍ଦ କୃଷି ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ କାର୍ଯ୍ୟ ତୁଲାଇବେ । ଆଡପ ମଣ୍ଡପକୁ ବିଜେ ବେଳେ ବଡ଼ଠାକୁର ବଳଭଦ୍ର ଚାରମାଳ ଉପରେ ଖସିପଡ଼ିଥିଲେ । କୋଟି କୋଟି ଭକ୍ତଙ୍କ ଭାବାବେଗକୁ ଏହା ଶକ୍ତ ଆଘାତ ଦେଇଥିଲା । ଏହି ଅଘଟଣକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠିଛି । ସରକାରଙ୍କୁ ବିରୋଧୀ ଦଳ ଓ ଜନସାଧାରଣ ସମାଲୋଚନା ମଧ୍ୟ କରିଛନ୍ତି ।
Arabinda Padhee appointed as SJTA Chief Administrator (ETV Bharat Odisha) 10 ବର୍ଷ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିଲେ । 2012-14 ଦୁଇ ବର୍ଷ ପାଇଁ ଏହି ପଦରେ ଥିଲେ । ନିକଟରେ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଥିଲା । ରତ୍ନଭଣ୍ଡାର ଖୋଲିବା ଏବଂ ସୁରୁଖୁରୁରେ ବାହୁଡାଯାତ୍ରା ସମାପନ ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।
ଅରବିନ୍ଦଙ୍କ କାନ୍ଦରେ ଗୁରୁ ଦାୟିତ୍ୱ:-
ଦାୟିତ୍ୱ ମିଳିବା ପରେ ଅରବିନ୍ଦଙ୍କ ଉପରେ ଚ୍ୟାଲେଞ୍ଜ ବଢ଼ି ଯାଇଛି । ଭକ୍ତଙ୍କ ମନରେ ଲାଗିଥିବା ଆଘାତକୁ ପ୍ରଶମିତ କରିବା ଅରବିନ୍ଦଙ୍କର ପ୍ରଥମ କାର୍ଯ୍ୟ ହେବ । ଶ୍ରୀମନ୍ଦିର ପ୍ରଶାସନକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଖରାପ ଭାବନାକୁ ଦୂର କରିବାକୁ ପଡିବ । ଏଭଳି ଘଟଣା ଯେମିତି ନ ଘଟେ ସେଥିପାଇଁ ତାଙ୍କୁ ରଣନୀତି କାରିବାକୁ ପଡିବ । ମହାପ୍ରଭୁଙ୍କ ଯାତ୍ରାକୁ ସୁରୁଖୁରୁରେ ସାରିବା ଗୁରୁ ଦାୟିତ୍ୱ ରହିବ । ସେହିପରି ଆସନ୍ତା 14 ତାରିଖରେ ରତ୍ନଭଣ୍ଡାର ଖୋଲିବା ସମ୍ଭାବନା ରହିଛି । ଏହାକୁ ବ୍ୟବସ୍ଥିତ କରିବା ତାହା ଚ୍ୟାଲେଞ୍ଜ ହେବ ।
ଅଭିଜ୍ଞ ଅରବିନ୍ଦ:-
ଅରବିନ୍ଦଙ୍କ ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅଭିଜ୍ଞତା ରହିଛି । ଚଳିତ ବର୍ଷ ମେ' ମାସରେ ଅରବିନ୍ଦ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ନେଇଥିଲେ । ବୀର ବିକ୍ରମ ଯାଦବ ମେ' 22 ତାରିଖରୁ ଜୁନ 11 ତାରିଖ ଯାଏଁ ଛୁଟିରେ ରହିଥିଲେ । ଏହି ଅବଧି ମଧ୍ୟରେ ଅରବିନ୍ଦଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଥିଲା । ସେହିପରି ଅରବିନ୍ଦ 2012ରୁ 2014 ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିଲେ । ସେ ସମୟରେ ଶ୍ରୀମନ୍ଦିର ପ୍ରଶାସନ ସବୁ ବର୍ଗଙ୍କ ବିଶ୍ଵାସ ଭାଜନ ହୋଇଥିଲା ।
ରଥଯାତ୍ରା ପ୍ରକ୍ରିୟା ପରେ ବଦଳିଥାନ୍ତେ ଭି ଭି ଯାଦବ :-
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଦାୟିତ୍ୱରେ ଥିବା ବୀର ବିକ୍ରମ ଯାଦବ ରଥଯାତ୍ରା ପ୍ରକ୍ରିୟା ପରେ ବଦଳିଥାନ୍ତେ । ନବୀନ ସରକାରରେ ଗେହ୍ଲା ପୁଅ ଥିଲେ ବୀର ବିକ୍ରମ ଯାଦବ । ଦୀର୍ଘ ବର୍ଷ ହେବ ସେ ଯୋଗଣ ବିଭାଗରେ କାର୍ଯ୍ୟ କରୁଛନ୍ତି । ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ ପୂର୍ବରୁ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି । ନବୀନ ସରକାରରେ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବୀର ବିକ୍ରମ ଯାଦବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଛି । ପୂର୍ବତନ ପ୍ରଶାସକ ଭିକେ ପାଣ୍ଡିଆନଙ୍କ ଘନିଷ୍ଠ ଭାବେ ସେ ଜଣାଶୁଣା । ତେଣୁ ନୂଆ ସରକାର ରଥଯାତ୍ରା ପ୍ରକ୍ରିୟା ପରେ ବଦଳି କରିବା ନେଇ କ୍ଷେତ୍ର ପ୍ରସ୍ତୁତ କରିଥିଲେ । କିନ୍ତୁ ଏହି ବଡ଼ ଅଘଟଣ ପରେ ପଦକ୍ଷେପ ସ୍ୱରୂପ ତାଙ୍କୁ ବିଦା କରିଛନ୍ତି ମୋହନ ସରକାର ।
ଏହା ମଧ୍ୟ ପଢନ୍ତୁ: କାହିଁକି ଘଟିଗଲା ଏତେବଡ ଅଘଟଣ ? ମୁଣ୍ଡରୁ ଦୋଷ ଖସାଇବାକୁ ସମସ୍ତେ ପ୍ରସ୍ତୁତ, ଗଠନ ହେଲା ତଦନ୍ତ କମିଟି - Puri Adapa Mandap mishap
ଇଟିଭି ଭାରତ, ଭୁବନେଶ୍ବର