ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ୩୮ତମ ହାଇଲେଭଲ କ୍ଲିଅରାନ୍ସ ଅଥରିଟି ବୈଠକ । ବୈଠକରେ ରିଫାଇନାରୀ ଓ ପେଟ୍ରୋକେମିକାଲ, ଗ୍ରୀନ ଏନର୍ଜି ଉପକରଣ, ଷ୍ଟିଲ ଆଣ୍ଡ କେମିକାଲସ, ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଆସିଥିବା ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ରାଜ୍ୟରେ ୪୪ ହଜାର ୭୯୩ କୋଟି ୩ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଅନୁମୋଦନ ମିଳିଛି । ଏହା ଦ୍ୱାରା ଆଉ ୨୩୦୦୫ ଜଣଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ପୁଞ୍ଜିନିବେଶ ରାଜ୍ୟର ୩ଟି ଜିଲ୍ଲାରେ ଶିଳ୍ପ ପ୍ରକଳ୍ପରେ ହେବ । ଯାଜପୁର ଓ କଟକ ଜିଲ୍ଲାରେ ୨ଟି ଲେଖାଏଁ ଓ ଢେଙ୍କାନାଳରେ ଗୋଟିଏ ଶିଳ୍ପ ପ୍ରକଳ୍ପକୁ ମିଶାଇ ମୋଟ ୫ଟି ଶିଳ୍ପ ପ୍ରକଳ୍ପରେ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଯାହା ଓଡ଼ିଶାରେ ଶିଳ୍ପ ଓ ଆର୍ଥିକ ଭିତ୍ତିଭୂମିକୁ ଗତିଶୀଳ କରାଇବ । ଉତ୍କର୍ଷ ଓଡ଼ିଶା - ୨୦୨୫ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତ ରୋଡ ଶୋ’ବେଳେ ଏହି ପ୍ରସ୍ତାବ ଆସିଥିଲା ।
ଯାଜପୁର ଜିଲ୍ଲାରେ ହେବ ଅଶୋଧିତ ତୈଳ ଷ୍ଟୋରେଜ ପ୍ରକଳ୍ପ:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଉତ୍କର୍ଷ ଓଡ଼ିଶା ୨୦୨୫ ପୂର୍ବରୁ ଚଳିତବର୍ଷର ପ୍ରଥମ ବୈଠକର ସଫଳତା ପ୍ରତିପାଦିତ କରୁଛି ଯେ, ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟା ଦ୍ରୁତ ଅଗ୍ରଗତି କରୁଛି । ରାଜ୍ୟର ଆର୍ଥିକ ଓ ସାମାଜିକ ବିକାଶକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଓଡ଼ିଶାକୁ ଶିଳ୍ପପତିଙ୍କ ପ୍ରମୁଖ ଆକର୍ଷଣରେ ରୂପାନ୍ତରିତ କରିବା ଆମ ଲକ୍ଷ୍ୟ । ଦିଲ୍ଲୀ, ମୁମ୍ବାଇ, ସିଙ୍ଗାପୁରେ ରୋଡ ସୋ' ପରେ ଏବେ ବହୁ ଜାତୀୟ ଓ ଆନ୍ତର୍ଜାତିକସ୍ତରର ପୁଞ୍ଜିନିବେଶକାରୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ମଞ୍ଜୁରୀ ପାଇଥିବା ପ୍ରକଳ୍ପଗୁଡିକ ମଧ୍ୟରେ ଅଛି ଯାଜପୁର ଜିଲ୍ଲାରେ ପ୍ରସ୍ତାବିତ ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ଲିମିଟେଡର ୪ ନିୟୁତ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଅଶୋଧିତ ତୈଳ ଷ୍ଟୋରେଜ ପ୍ରକଳ୍ପ । ଏହି ପ୍ରକଳ୍ପ ପାଇଁ ୮ ହଜାର ୭୪୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଫଳରେ ୫ ହଜାର ୧୩୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଟାଟା ଷ୍ଟିଲ ପକ୍ଷରୁ ଯାଜପୁରରେ ଥିବା କୋଲ୍ଡ ରୋଲ୍ଡ ଓ ପେଲେଟ ଫ୍ୟାକ୍ଟିର ସଂପ୍ରସାରଣ ହେବ । ଏଥିପାଇଁ ୨୬ ହଜାର ୧୭୫ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ୮ ହଜାର ନିଯୁକ୍ତି ସୁଯୋଗ ରହିବ ।