କଟକ: ଅଦାଲତ ଅବମାନନା ମାମଲା ଗୁଡ଼ିକର ତଦାରଖ କରିବ କମିଟି । ଏନେଇ ଉନ୍ନୟନ କମିଶନରଙ୍କ ଅଧକ୍ଷତାରେ ୯ ଜଣ ସଦସ୍ୟଙ୍କୁ ନେଇ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏହି କମିଟି କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଙ୍ଗକୁ ନିରୀକ୍ଷଣ କରିବ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏଭଳି କମିଟି ଗଠନ ସଂପର୍କରେ ଗତ ଜାନୁଆରୀ ୬ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶନାମା ବାବଦରେ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ରାଜ୍ୟ ସରକାର ।
ଅଦାଲତ ଅବମାନନା ମାମଲାର ତଦାରଖ:
ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସଦସ୍ୟ ଭାବେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଗୃହ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଆଇନ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କୁ ରଖାଯାଇଛି । ତେବେ ମୁଖ୍ୟ ସଚିବଙ୍କ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ହାଇକୋର୍ଟ ପ୍ରଶଂସା କରିବା ସହିତ କୋର୍ଟରେ ଅଯଥା ଅଦାଲତ ଅବମାନନା ମାମଲା ଦାୟର ପ୍ରସଙ୍ଗ ଏଡ଼ାଇବା ପାଇଁ ସଂପୃକ୍ତ ଅଧିକାରୀମାନେ କାର୍ଯ୍ୟ କରିବେ ବୋଲି ଅଦାଲତ ଆଶା ପ୍ରକଟ କରିଛନ୍ତି ।
କାହିଁକି କମିଟିର ଆବଶ୍ୟକତା !
କୋର୍ଟ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଉ ନଥିବାରୁ ଅଦାଲତ ଅବମାନନା ମାମଲା ସଂଖ୍ୟା ବଢ଼ିଚାଲିଛି । ଏହାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ । ତେବେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ ପ୍ରସଙ୍ଗ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ।
ଏହାମଧ୍ୟ ପଢନ୍ତୁ... ରାଗିଂ ମାମଲାରେ ହାଇକୋର୍ଟଙ୍କ ରାୟ, ଅନାଥାଶ୍ରମରେ ପାଠ ପଢ଼ାଇବେ ଆଇନ ଛାତ୍ର |