ବରଗଡ଼:୨୦୨୪ ସାଧାରଣ ନିର୍ବାଚନ ଶେଷ ହୋଇଛି ଏବଂ ଆସନ୍ତାକାଲି (ଜୁନ ୪) ତାରିଖରେ ଅଛି ଭୋଟ ଗଣତି । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମରେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ କଏଦ ହୋଇରହିଥିବା ବେଳେ ଆସନ୍ତାକାଲିର ଭୋଟ ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିବାବେଳେ ଆଜି ଭୋଟ ଗଣତିର ଏକ ଟ୍ରାଏଲ ରନ କରାଯାଇଥିଲା । ତେବେ ଆସନ୍ତାକାଲି ସକାଳ ୭ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ବରଗଡ଼ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ମତଦାନ ପରେ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ ଭୋଟ୍ ଗଣତି ପାଇଁ ବରଗଡ ଜିଲ୍ଲାରେ ରହିଥିବା ୫ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବରଗଡ, ଅତାବିରା ଓ ଭଟଲି ଆଦି ୩ ଗୋଟି ନିର୍ବାଚନ ମଣ୍ଡଳୀର ବରଗଡର ସ୍ଥାନୀୟ ପଞ୍ଚାୟତ କଲେଜ ଠାରେ ଭୋଟ ଗଣତି ପ୍ରକ୍ରିୟାର ବ୍ୟବସ୍ଥା କରାଯାଇଛି । ସେହିପରି ପଦ୍ମପୁର ଓ ବିଜେପୁର ଏହି ୨ ଗୋଟି ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ପ୍ରକ୍ରିୟା ପଦ୍ମପୁର ସ୍ଥିତ ମାର୍କେଟ ୟାଡ଼ ଠାରେ ହେବାର ବ୍ୟବସ୍ଥା କରାଯାଇଛି । ସେପଟେ ବ୍ୟାପକ ପୋଲିସ ଫୋର୍ସ ଏବଂ ଯବାନ ମାନଙ୍କୁ ମୁତୟନ କରାଯାଇଥିବାବେଳେ ଭୋଟ ଗଣତି ସ୍ଥାନର ୧୦୦ ମିଟର ପର୍ଯ୍ୟନ୍ତ କୌଣସି ଯାନବାହାନ ଚଳାଚଳ କିମ୍ବା ପାର୍କିଂକୁ ବାରଣ କରାଯାଇଛି ।
ଉଭୟ ପଦ୍ମପୁର ଓ ବରଗଡର ଭୋଟ ଗଣତି କେନ୍ଦ୍ର ମାନଙ୍କରେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସର କଡା ସୁରକ୍ଷା ବ୍ୟବସ୍ତା କରାଯାଇଛି । ବରଗଡ଼ ସଂସଦୀୟ କ୍ଷେତ୍ରର ଇଭିଏମ୍ ଭୋଟ୍ ଗଣତି ନିମନ୍ତେ ସମୁଦାୟ ୭୦ ଗୋଟି ଇଭିଏମ୍ ଟେବୁଲର ବ୍ୟବସ୍ତା ହୋଇଥିବା ବେଳେ ଜିଲ୍ଲାର ୫ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଇଭିଏମ୍ ଭୋଟ୍ ଗଣତି ନିମନ୍ତେ ୧୪ଟି ଲେଖାଏଁ ଟେବୁଲ ହିସାବରେ ସମୁଦାୟ ୭୦ ଗୋଟି ଇଭିଏମ୍ ଟେବୁଲର ବ୍ୟବସ୍ଥା କରାଯାଇଛି । ସେହିଭଳି ସମସ୍ତ ପୋଷ୍ଟାଲ ବାଲଟ୍ ଗଣତି ପାଇଁ ଉଭୟ ପଞ୍ଚାୟତ କଲେଜ ଏବଂ ପଦ୍ମପୁର ମାର୍କେଟ ୟାଡ଼ ଠାରେ ସ୍ବତନ୍ତ୍ର କୋଠରୀର ବ୍ୟବସ୍ଥା କରାଯାଇଛି ।