ଓଡିଶା

odisha

ଭୋଟ ଗଣତି ପାଇଁ ପ୍ରସ୍ତୁତ କେନ୍ଦୁଝର ଜିଲ୍ଲା ପ୍ରଶାସନ - KENDUJHAR VOTE COUNTING PREPARATION

By ETV Bharat Odisha Team

Published : Jun 3, 2024, 3:34 PM IST

Kendujhar Vote Counting Preparation: ଆସନ୍ତାକାଲି ହେବାକୁ ଯାଉଛି ଭୋଟ ଗଣତି । ଗଣତି ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି । ଅଧିକ ପଢନ୍ତୁ

କାଲି ଆସିବ ନିର୍ବାଚନ ଫଳାଫଳ, ଭୋଟ ଗଣତି ପାଇଁ ପ୍ରସ୍ତୁତ କେନ୍ଦୁଝର ଜିଲ୍ଲା ପ୍ରଶାସନ
କାଲି ଆସିବ ନିର୍ବାଚନ ଫଳାଫଳ, ଭୋଟ ଗଣତି ପାଇଁ ପ୍ରସ୍ତୁତ କେନ୍ଦୁଝର ଜିଲ୍ଲା ପ୍ରଶାସନ (ETV Bharat Odisha)

​କେନ୍ଦୁଝର: ଆସନ୍ତାକାଲି ଆସିବ ନିର୍ବାଚନ ଫଳାଫଳ । ଖୋଲିବ ନେତାଙ୍କ ପେଡି । ଜିଲ୍ଲାରେ ଗତ ମେ’ ମାସ ୨୫ ତାରିଖରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ହେବା ପରେ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଆଜି ଜିଲ୍ଲାପାଳଙ୍କ ମିନି କନଫରେନ୍ସ ରୁମରେ ସାମ୍ବାଦିକ ସମ୍ମିଳନୀରେ ଭୋଟ ଗଣତି ନେଇ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ ବିଶାଲ ସିଂହ ।

କାଲି ଆସିବ ନିର୍ବାଚନ ଫଳାଫଳ, ଭୋଟ ଗଣତି ପାଇଁ ପ୍ରସ୍ତୁତ କେନ୍ଦୁଝର ଜିଲ୍ଲା ପ୍ରଶାସନ (ETV Bharat Odisha)

୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଓ ରାଜ୍ୟ ପୋଲିସଙ୍କ ତ୍ରିସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆସନ୍ତାକାଲି ଜିଲ୍ଲାର ତିନୋଟି ସ୍ଥାନରେ ଥିବା ୬ ଗୋଟି ଗଣତି କେନ୍ଦ୍ରରେ ଭୋଟ ଗଣତି ହେବ । ଚମ୍ପୁଆ ଓ ପାଟଣା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଚନ୍ଦ୍ରଶେଖର ମହାବିଦ୍ୟାଳୟ, ଚମ୍ପୁଆ ଠାରେ ହେବାକୁ ଥିବା ବେଳେ, କେନ୍ଦୁଝର ଓ ତେଲକୋଇ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଓଡ଼ିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟ ଠାରେ ଏବଂ ଆନନ୍ଦପୁର ଓ ଘଷିପୁରା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବା ଲାଗି ସ୍ଥିର କରାଯାଇଛି । ଏଥିସହିତ ଏହି ସବୁ ଗଣତି କେନ୍ଦ୍ରରେ ବିଧାନସଭା ସହିତ କେନ୍ଦୁଝର ସଂସଦୀୟ କ୍ଷେତ୍ର ଲାଗି ମଧ୍ୟ ସମାନ୍ତରାଳ ଭାବେ ଭୋଟ ଗଣତି ହେବ ।

​କେନ୍ଦୁଝର ସଂସଦୀୟ କ୍ଷେତ୍ରର ଇଭିଏମ ଭୋଟ ଗଣତି ନିମନ୍ତେ କେନ୍ଦୁଝର ଜିଲ୍ଲାର ୬ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଇଭିଏମ ଭୋଟ ଗଣତି ନିମନ୍ତେ କେବଳ ଆନନ୍ଦପୁରରେ ୧୨ ଟେବୁଲ ଓ କେନ୍ଦୁଝର ଜିଲ୍ଲାର ଅନ୍ୟ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୧୪ଟି ଲେଖାଏଁ ଟେବୁଲ ଏବଂ ଏହି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ୧୪ଟି ଟେବୁଲ ବ୍ୟବସ୍ଥା କରାଯାଇ ସମୁଦାୟ ୯୬ ଗୋଟି ଇଭିଏମ ଟେବୁଲର ବ୍ୟବସ୍ଥା କରାଯାଇଛି । ଆହୁରି ମଧ୍ୟ ସମସ୍ତ ପୋଷ୍ଟାଲ ବାଲଟ ଗଣତି ପାଇଁ ଜିଲ୍ଲାର ୩ ଗୋଟି ଓ ମୟୂରଭଞ୍ଜ କରଞ୍ଜିଆ ଗଣତି କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।


​ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଢ଼ଙ୍ଗରେ ସଂସଦୀୟ କ୍ଷେତ୍ର ଏବଂ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ନିମନ୍ତେ ସମୁଦାୟ ନିଯୁକ୍ତ ୭୫୯ କର୍ମଚାରୀଙ୍କ ମଧ୍ୟରୁ ୨୪୦ ମାଇକ୍ରୋ ପର୍ଯ୍ୟବେକ୍ଷକ, ୨୪୦ କାଉଣ୍ଟିଙ୍ଗ ସୁପରଭାଇଜର ଏବଂ ୨୭୯ କାଉଣ୍ଟିଂ ଆସିଷ୍ଟାଣ୍ଟଙ୍କୁ ସର୍ବୋକୃଷ୍ଟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ନିଯୁକ୍ତ ୪ ଜଣ ପର୍ଯ୍ୟବେକ୍ଷକ ଇତିମଧ୍ୟରେ ଭୋଟ ଗଣତିର ନିରୀକ୍ଷଣ କରୁଛନ୍ତି ।

ଉଭୟ କେନ୍ଦୁଝର ସଂସଦୀୟ କ୍ଷେତ୍ର ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ପାଇଁ ତେଲକୋଇ ଲାଗି ୨୩ ରାଉଣ୍ଡ, ଘଷିପୁରା ପାଇଁ ୨୨ ରାଉଣ୍ଡ, ଆନନ୍ଦପୁର ପାଇଁ ୨୫ ରାଉଣ୍ଡ, ପାଟଣା ପାଇଁ ୨୦ ରାଉଣ୍ଡ, କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୧ ରାଉଣ୍ଡ, ଚମ୍ପୁଆ ପାଇଁ ୧୯ ରାଉଣ୍ଡ ଓ କରଞ୍ଜିଆ ଲାଗି ୧୮ ରାଉଣ୍ଡ ଭୋଟ ଗଣତି କରାଯିବା ପାଇଁ ସ୍ଥିର କରାଯାଇଛି । ସେପଟେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଗଣତି ସମ୍ବନ୍ଧିତ ସୂଚନା ପ୍ରଦାନ କରିବା ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ଏହା ମଧ୍ୟ ପଢନ୍ତୁ:କେନ୍ଦୁଝର ଲୋକସଭା ଫାଇଟ୍‌; ଅନନ୍ତଙ୍କୁ ମୋଦି, ସିଦ୍ଧୁଙ୍କୁ ନବୀନ ଓ ବିନୋଦଙ୍କୁ ନିଜ ଭାବମୂର୍ତ୍ତି ଭରସା


ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details