ଭୁବନେଶ୍ବର:ଗତକାଲି ସଂସଦରେ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହୋଇଥିବା ବେଳେ ଆସନ୍ତାକାଲି (ଗୁରୁବାର) ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହେବାକୁ ଯାଉଛି । ବିଜେପି ସରକାର ପ୍ରଥମ ବଜେଟର ରୂପରେଖ କିପରି ରହିବ, ସେନେଇ ସମସ୍ତଙ୍କ ନଜର ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଗୃହରେ ବଜେଟ ଉପସ୍ଥାପନ କରିବେ । ଏହା ପୂର୍ବରୁ ଆଜି ସଂଧ୍ୟାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି ।
ଯୋଜନା ଓ ସଂଯୋଜନ ବିଭାଗ ଦ୍ବାରା ପ୍ରକାଶ ପାଇଥିବା ରାଜ୍ୟ ଅର୍ଥନୈତିକ ସର୍ଭେର ଆକଳନ ଅନୁସାରେ, ଆର୍ଥିକବର୍ଷ ୨୦୨୩-୨୪ ପାଇଁ ରାଜ୍ୟର ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ । ଏହି ହାର ଗତ ଅର୍ଥାତ ଆର୍ଥିକବର୍ଷ ୨୦୨୨-୨୩ ରେ ୭.୯ ପ୍ରତିଶତ ରହିଥିଲା । ସେହିପରି ରାଜ୍ୟରେ ମୁଣ୍ଡପିଛା ଆୟ ୨୦୨୩-୨୪ ଆର୍ଥିକ ବର୍ଷରେ ୧,୬୧,୪୩୭ ଟଙ୍କାରେ ପହଞ୍ଚିଛି । ଯାହା ଜାତୀୟ ମୁଣ୍ଡପିଛା ଆୟର ହାର ଠାରୁ ପ୍ରାୟ 12 ପ୍ରତିଶତ ତଳେ ରହିଛି ।
1. ଅର୍ଥନୈତିକ ଅଭିବୃଦ୍ଧି ହାର:-
ସର୍ଭେରେ ଅଗ୍ରୀମ ଆକଳନ ଅନୁସାରେ ବର୍ଷ 2023-24 ରେ ରାଜ୍ୟର ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ । ଏହି ଅଭିବୃଦ୍ଧି ହାର ଗତ ଆର୍ଥିକ ବର୍ଷ ୨୦୨୨-୨୩ ରେ ୭.୯ ପ୍ରତିଶତ ଥିଲା । ଶିଳ୍ପ ଏବଂ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁ ଏହା ସମ୍ଭବ ହୋଇପାରିଥିବା ସର୍ଭେରେ କୁହାଯାଇଛି ।
2. ମୁଣ୍ଡପ଼ିଛା ଆୟ
ଓଡିଶାରେ ମୁଣ୍ଡପିଛା ଆୟ ୨୦୨୩-୨୪ ରେ ୧,୬୧,୪୩୭ ଟଙ୍କାରେ ପହଞ୍ଚିଛି । ଯାହା ଦେଶର ଜାତୀୟ ମୁଣ୍ଡପିଛା ଆୟ ୧,୮୪,୨୦୫ ଟଙ୍କା ଠାରୁ ପ୍ରାୟ ୧୨.୪% ପ୍ରତିଶତ କମ ରହିଛି । କୃଷିକ୍ଷେତ୍ର ୨୦୨୩-୨୪ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧି ହାର ୩.୫ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ସେହିପରି ଶିଳ୍ପ କ୍ଷେତ୍ରରେ କରାଯାଉଥିବା ଅଗ୍ରୀମ ଆକଳନ ଅନୁସାରେ ୨୦୨୩-୨୪ ବର୍ଷରେ ଓଡିଶାରେ ଅଭିବୃଦ୍ଧି ହାର ୮.୭ ପ୍ରତିଶତ ହେବ । ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୯.୨% ରହିବା ବୋଲି ଆକଳନ ପ୍ରକାଶ ପାଇଛି ।
3 .ହ୍ରାସ ପାଇଛି ଦାରିଦ୍ର୍ୟ :-
ନୀତି ଆୟୋଗ ଅନୁଯାୟୀ ବହୁବିଧ ଦାରିଦ୍ର୍ୟ ଅନୁପାତ ହାର ବର୍ଷ ୨୦୧୫-୧୬ ରେ ୨୯.୩ ପ୍ରତିଶତ ଥିବା ବେଳେ ୨୦୧୯-୨୧ ବେଳକୁ ଏହା ୧୫.୭ ପ୍ରତିଶତକୁ ହ୍ରାସ ପାଇଛି । ଏହି ବର୍ଷଗୁଡିକ ଭିତରେ ପ୍ରାୟ ୬୨ଲକ୍ଷରୁ ଅଧିକ ରାଜ୍ୟବାସୀ ଦାରିଦ୍ର୍ୟ ସୀମାରେଖାରୁ ମୁକ୍ତ ହେଇଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ତେବେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ୩.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଶିଳ୍ପକ୍ଷେତ୍ରର ଅଭିବୃଦ୍ଧି ହାର ୮.୭ ପ୍ରତିଶତ, ସେବା କ୍ଷେତ୍ରର ଅଭିବୃଦ୍ଧି ହାର ୯.୨ ପ୍ରତିଶତ ରହିବ ବୋଲି ଆକଳନ ପ୍ରକାଶ ପାଇଛି ।