କେନ୍ଦୁଝର: ପ୍ରକାଶ ପାଇଛି ବହୁ ଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡର ରାୟ । ଦୀର୍ଘ ୫ ବର୍ଷ ପରେ ଏହି ହତ୍ୟା ମାମଲାରେ ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ସଜା ଶୁଣାଇଛନ୍ତି କୋର୍ଟ । ୨୦୧୯ ମସିହା ମାର୍ଚ୍ଚ ମାସ ୨୫ ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କ ହତ୍ୟା ହୋଇଥିଲା । ଧକୋଠା ଗାଁରେ ଅତ୍ୟନ୍ତ ବିଭତ୍ସ ତଥା ଅମାନୁଷିକ ଭାବେ ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକି ଆଣି ହାତ ହାଣି ହତ୍ୟା କରିଥିଲେ ଅଭିଯୁକ୍ତ ମାନେ । ଏହି ହତ୍ୟା ମାମଲାରେ ବଡ଼ଏକତାଳି ଗାଁର ଅଜିତ ପୃଷ୍ଟି, ସଂଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ପୃଷ୍ଟି ଓ ଦୋଳ ବୋଇତେଇ ଗିରଫ ହୋଇଥିଲେ ।
ଏଥିରେ ୫୩ ଜଣ ସାକ୍ଷୀଙ୍କ ବୟାନ, ୯୪ଟି ଦସ୍ତାବିଜ ଓ ୩୦ଟି ମ୍ୟାଟେରିଆଲ ଅବଜେକ୍ଟ ଭଳି ପ୍ରମାଣକୁ ଭିତ୍ତି କରି ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତମାନଙ୍କୁ ମୃତ୍ୟୁଦଣ୍ଡାଦେଶ ସଜା ଶୁଣାଇଛନ୍ତି । ଘଟଣା ସମୟରେ ପ୍ରମୋଦ ଦାସ ନାବାଳକ ଥିବାରୁ ବିଚାରଧୀନ କାରାଗାରରେ ଅଛନ୍ତି । ଅଭିଯୁକ୍ତ ମାନଙ୍କୁ ୩୦୨ ଦଫାରେ ଫାଶୀଦଣ୍ଡ, ଆର୍ମସ ଆକ୍ଟ ରେ ୭ ବର୍ଷ କାରାଦଣ୍ଡ ଭଳି ଇତ୍ୟାଦି ଦଣ୍ଡାଦେଶ ଶୁଣାଯାଇଛି । ତେବେ ମୃତ ରାମଚନ୍ଦ୍ର ବେହେରାଙ୍କ ଝିଅ ମିନା ବେହେରା କହିଛନ୍ତିଯେ ପ୍ରାୟ ୫ ବର୍ଷ ପରେ ନ୍ୟାୟ ମିଳିଥିବାରୁ ଖୁସି ଅଛି । ଏଥି ସହିତ ନ୍ୟାୟପାଳିକା ଉପରେ ବିଶ୍ବାସ ରହିବା ସହ ଧନ୍ୟବାଦ କରିଛନ୍ତି ମିନା ।